ଜମ୍ମୁ, ଜମ୍ମୁ- କାଶ୍ମୀରର ରାମବନ ଜିଲ୍ଲାର କିସ୍ତବାରୀ ପଥାର ଅଂଚଳରେ ଭୂ-ସ୍ଖଳନ ଯୋଗୁଁ ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ମଙ୍ଗଳବାର ମଧ୍ୟ ଯାତାୟାତ ବନ୍ଦ ରହିଛି । ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥ ସୋମବାର ସଂନ୍ଧ୍ୟାରୁ ବନ୍ଦ ହୋଇଥିବାରୁ ବହୁ ସଂଖ୍ୟାରେ ଯାନବାହନ ଏହି ରୁଟ୍ ରେ ଫଶି ରହିଛି । ଟ୍ରାଫିକ୍ ପୋଲିସ ପକ୍ଷରୁ ଏହି ରୁଟ୍ ରେ ଯାତାୟାତ ନକରିବାକୁ ଯାତ୍ରୀ ମାନଙ୍କୁ ପରାମର୍ଶ ଦିଆଯାଇଛି ।
ଜମ୍ମୁ- କାଶ୍ମୀର ଟ୍ରାଫିକ୍ ପୋଲିସ ର ସୂଚନା ମୁତାବକ, ସୋମବାର ଭୀଷଣ ବର୍ଷା ଏବଂ ଏହାପରେ ହୋଇଥିବା ଭୂ-ସ୍ଖଳନ କାରଣରୁ ରାମବନ ଜିଲ୍ଲାର କିସ୍ତବାରୀ ପଥାର ଅଂଚଳରେ ରାଜପଥ ଉପରେ ମାଟି ଓ ବଡ ବଡ ପଥର ଖଣ୍ଡ ପଡି ରହିଥିଲା । ଏହାକୁ ଦୃଷ୍ଟିରେ ରଖି ଜାତୀୟ ରାଜପଥକୁ ସୋମବାର ଠାରୁ ଆଗାମୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି । ଭୂ-ସ୍ଖଳନକୁ ଦୃଷ୍ଟିରେ ରଖି ଲୋକ ମାନଙ୍କୁ ଏନଏଚ-୪୪ ରେ ଯାତ୍ରା ନକରିବାକୁ ପରାମର୍ଶ ଦିଆଯାଇଛି ।