କନ୍ଧମାଳ, ଆଜି ଘୋଷଣା କରିଥିବା କନ୍ଧମାଳ ଜିଲ୍ଲା ବନ୍ଦ ଡାକରାକୁ କୁଇ ସମାଜ ସେବା ସମିତି ପ୍ରତ୍ୟାହାର କରିଛି । ସାଧାରଣ ନିର୍ବାଚନରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଦିଆଯାଇଥିବା ପ୍ରାର୍ଥୀଙ୍କ ଆଦିବାସୀ ମାନ୍ୟତା ଉପରେ ଆପତ୍ତି ଉଠାଇ କୁଇ ସମାଜ ପକ୍ଷରୁ ୧୬ ତାରିଖରେ କନ୍ଧମାଳ ବନ୍ଦ ଡାକରା ଦିଆଯାଇଥିଲା।
ପ୍ରକାଶ ଥାଉ କି, କଂଗ୍ରେସ ପକ୍ଷରୁ ବାଲିଗୁଡ଼ାରେ ଦିଆଯାଇଥିବା ପ୍ରାର୍ଥୀ ସୁରଦା ପ୍ରଧାନ ଜଣେ ଅଣ ଆଦିବାସୀ ଏବଂ ଫୁଲବାଣୀ ପ୍ରାର୍ଥୀ ପ୍ରତିଭା କହଁର ଏବଂ ବାଲିଗୁଡାର ବିଜେପି ପ୍ରାର୍ଥୀ କଳ୍ପନା କହଁର ଅଣ ଆଦିବାସୀଙ୍କୁ ବିବାହ କରିଥିବାରୁ ସମାଜ ଦ୍ବାରା ଗ୍ରହଣୀୟ ନୁହନ୍ତି ବୋଲି କୁଇ ସମାଜ ପକ୍ଷରୁ କୁହାଯାଇଥିଲା, ପାର୍ଥୀଙ୍କୁ ବଦଳାଇବା ପାଇଁ ଦାବି ହୋଇଥିଲା। ସେ ନେଇ କନ୍ଧମାଳ ବନ୍ଦ ଡାକରା ଦିଆଯାଇଥିଲା। ସମାଜର ଦାବିକୁ ସମ୍ମାନ ଦେଇ କଂଗ୍ରେସ ତାର ବାଲିଗୁଡ଼ା ବିଧାୟକ ପ୍ରାର୍ଥୀ ସୁରଦା ପ୍ରଧାନଙ୍କୁ ବଦଳାଇ ଉପେନ୍ଦ୍ର ପ୍ରଧାନଙ୍କୁ ପରିବର୍ତ୍ତନ କରି ପ୍ରକୃତ ଆଦିବାସୀଙ୍କୁ ଟିକଟ ଦେଇଥିବାରୁ ଦଳକୁ ଧନ୍ୟବାଦ ଜଣାଇଛି କୁଇ ସମାଜ। ଏଥି ସହିତ ଅନ୍ୟ ମାନଙ୍କୁ ସମୟ ଦିଆଯାଇଛି, ତେଣୁ ଆଜିର କନ୍ଧମାଳ ବନ୍ଦ ଡାକରା ପ୍ରତ୍ଯାହାର କରାଯାଇଛି ବୋଲି କୁଈ ସମାଜ ସେବା ସମିତିର ସମ୍ପାଦକ ଅବନୀ କହଁର ସୂଚନା ଦେଇଛନ୍ତି। ରାଜନୈତିକ ଦଳମାନେ ସମାଜର ଦାବିକୁ ସମ୍ପୂର୍ଣ୍ଣ ରୂପେ ମାନି ନନେବା ପର୍ଯ୍ୟନ୍ତ ସଂଗ୍ରାମ ଜାରି ରହିବ ବୋଲି ମଧ୍ୟ କୁଇ ସମାଜ ସେବା ସମିତି କହିଛି । କୁଇ ସମାଜ ଏକ ଅଣରାଜନୈତିକ ସଙ୍ଗଠନ ବୋଲି ଏହି ପଦକ୍ଷେପ ପଛରେ କୌଣସି ରାଜନୈତିକ ଅଭିସନ୍ଧି ନାହିଁ ବୋଲି ମଧ୍ୟ କୁଇ ସାମାଜ ସମ୍ପାଦକ ଅବନୀ କହଁର କହିଛନ୍ତି ।
ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଫିରିଙ୍ଗିଆ ଶାଖା ସଭାପତି ମୁକୁନ୍ଦ କହଁର, ବାଲିଗୁଡା କୁଇକୁଳ ସମାଜ ସଭାପତି ମନୋଜ ମଲ୍ଲିକ, ଯୁବ ସଦସ୍ୟ ଗୋଲୋକ କହଁର ପ୍ରମୁଖ ଉପସ୍ଥିତ ଥିଲେ। ତେବେ ବନ୍ଦ ଡାକରା ପାଇଁ ସମିତି ପକ୍ଷରୁ ଯେଉଁଭଳି ଗଣମାଧ୍ୟମକୁ ଆନୁଷ୍ଠାନିକ ଭାବେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରାଗଲା ଠିକ୍ ସେହିଭଳି ପ୍ରତ୍ଯାହାର ଘୋଷଣା ମଧ୍ୟ ଆନୁଷ୍ଠାନିକ ଭାବରେ କରାଯିବା ଆବଶ୍ୟକ ବୋଲି ଅନେକ ଗଣମାଧ୍ୟମ ପ୍ରତିନିଧି ଅସନ୍ତୋଷ ବ୍ୟକ୍ତ କରିଛନ୍ତି।