ଗଞ୍ଜାମ, ପ୍ରଚଣ୍ଡ ରୌଦ୍ରତାପ ସତ୍ଵେ ଆଜି ମା ତାରାତାରିଣୀଙ୍କ ଚୈତ୍ର ଚତୁର୍ଥ ମଙ୍ଗଳ ବାର ଯାତ୍ରାରେ ମାଙ୍କ ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି । ଗତ ବିଳମ୍ବିତ ରାତିରୁ ମା ତାରାତାରିଣୀଙ୍କ ମନ୍ଦିର ଦ୍ଵାରଫିଟା, ଶୃଙ୍ଗାରବେଶ, ଅବକାଶ ପୂଜାର୍ଚ୍ଚନା ପରେ ଶ୍ରଦ୍ଧାଳୁମାନେ ଶୃଙ୍ଖଳିତ ଭାବେ ଧାଡିରେ ଯାଇ ମା ଙ୍କ ଦର୍ଶନ କରି ପୂଜାର୍ଚ୍ଚନା କରିଛନ୍ତି । ହଜାର ହଜାର ସଂଖ୍ୟାରେ ଶିଶୁଙ୍କ ମୁଣ୍ଡନକରି ସେମାନଙ୍କ ଦୀର୍ଘ ଜୀବନ ଓ ମଙ୍ଗଳ କାମନା କରି ପ୍ରଥମ କେଶକୁ ମା ଙ୍କ ଉଦ୍ଦେଶ୍ୟରେ ସମର୍ପଣ କରିଛନ୍ତି ଏବଂ କୁମାରୀ ପର୍ବତ ପାଦଦେଶରେ ଭୋଜିକରି ମାଙ୍କୁ ପ୍ରସାଦ ଲାଗିକରି ବନ୍ଧୁ ବାନ୍ଧବ ସହ ପ୍ରସାଦ ସେବନ କରିଛନ୍ତି ।
ମନ୍ଦିର ପକ୍ଷରୁ ମଧ୍ୟ ଅନ୍ନ ପ୍ରସାଦ ଓ ଖାଦ୍ୟ ପୁଡିଆ ବିକ୍ରି ଓ ବଂଟନ ବ୍ୟବସ୍ଥା କରାଯାଇଛି । ପ୍ରଚଣ୍ଡ ରୌଦ୍ରତାପକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଜଳଛତ୍ର, ଜଳ ସିଂଚନ ଓ ପାଇପପାଣି ଯୋଗାଣର ବ୍ୟବସ୍ଥା କରାଯାଇଛି । ପାହାଡ଼ ପାଦଦେଶରୁ ମନ୍ଦିରକୁ ଶ୍ରଦ୍ଧାଳୁଙ୍କ ଯାତାୟାତ ପାଇଁ ମନ୍ଦିର ପକ୍ଷରୁ ସ୍ଵତନ୍ତ୍ର ବସ୍ ଚଳାଚଳର ବ୍ୟବସ୍ଥା କରାଯାଇଛି । ଏତଦ୍ ବ୍ୟତୀତ ଶ୍ରଦ୍ଧାଳୁ ମାନେ ରୋପୱେ ଓ ୯୯୯ ପାହାଚ ଚଢି ପାଦଚଲାରେ ମନ୍ଦିରକୁ ଯାଇ ଦେବୀଙ୍କ ଦର୍ଶନ କରୁଛନ୍ତି । ପୁଲିସ୍ ପକ୍ଷରୁ ଶାନ୍ତି ଶୃଙ୍ଖଳାରକ୍ଷାଓ ଟ୍ରାଫିକ ନିୟନ୍ତ୍ରଣ କରାଯାଇଛି । ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ସ୍ଵାସ୍ଥ୍ୟ ସେବା ପ୍ରତି ସ୍ଵତନ୍ତ୍ର ଧ୍ୟାନ ଦିଆଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ଅଧିକାରୀ ମାନେ ମନ୍ଦିର ଅଂଚଳରେ ଉପସ୍ଥିତ ରହି ସ୍ଥିତି ନିୟନ୍ତ୍ରଣ କରୁଛନ୍ତି । ପାହାଡ଼ ପାଦଦେଶରେ ସହସ୍ରାଧିକ ଅସ୍ଥାୟୀ ଦୋକାନ ବଜାର ଖୋଲାଯାଇଛି । ମା ଙ୍କ ଆଜିର ଏହି ଯାତ୍ରା ସଂଧ୍ୟା ଯାଏ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି ।