ରାଉରକେଲା, ରାଉରକେଲା ନିର୍ବାଚନମଣ୍ଡଳୀ ଲାଗି ବିଜେପି ତାର ପ୍ରାର୍ଥୀଭାବେ ଦିଲିପ ରାୟଙ୍କୁ ଘୋଷଣା କରିବା ପରେ ସହରର ବିଭିନ୍ନ ଛକ ବଜାରରେ ବାଣ ଫୁଟିବା ସହ ତାଙ୍କ ବାସଭବନରେ ପ୍ରବଳ ଭିଡ ସାଙ୍ଗକୁ ଜିନ୍ଦାବାଦ ନାରାରେ ସେହି ଅଂଚଳ କମ୍ପି ଉଠିଛି। ଦିଲିପ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ରାଉରକେଲା ବାସୀ ତାଙ୍କର ପରିବାରର ସଦସ୍ୟ, ସେମାନଙ୍କ ଦୁଃଖ ସୁଖରେ ମୁଁ ଥିଲି ରହିଥିବି ମୋ ସହ ସେମାନଙ୍କ ସ୍ନେହ ଆଦର ସବୁଦିନ ଭଳି ଏବେବି ସତେଜ ରହିଛି ।
ଆଜି ସକାଳୁ ଦିଲିପଙ୍କ କଲ୍ୟାଣୀ ବାସଭବନରେ ଅଳ୍ପ କିଛି ଭିଡ ଥିବା ବେଳେ ଦିନ ପ୍ରାୟ ୧୨ଟା ବେଳେ ଏହି ଭିଡ ବଢିବା ସହ ବଜାର ଘାଟରେ ବାଣ ଫୁଟିବା ଆରମ୍ଭ ହୋଇଥିଲା, ସେଥିରୁ ଜଣାପଡିଥିଲା ଯେ ଦିଲିପ ବାବୁ ବିଜେପିରୁ ଟିକେଟ ପାଇଲେ। ପରେ ମିଡିଆ ବନ୍ଧୁମାନଙ୍କୁ ସେ କହିଛନ୍ତି ଯେ, ରାଉରକେଲାରେ ନିର୍ବାଚନରେ ମୋତେ ପୁଣି ଥରେ ରାଉରକେଲା ବାସୀଙ୍କ ଲାଗି ଅବତରଣ କରିବାକୁ ପଡିଛି, ସହରର ନାନା ସମସ୍ୟା ଏବେବି ରହିଯାଇଛି, ନାଲା ରୋଡ ଠାରୁ ଆରମ୍ଭ କରି ପାୱାରହାଉସ ରୋଡ, ଡେଲ୍ଲୀ ମାର୍କେଟ ପ୍ରଭୃତି ଏରିଆରେ ନାଳ ଟିଏ ନଥିବା ବେଳେ ଯାତାୟତରେ ଲୋକେ ନାନା ସମସ୍ୟା ଦେଇ ଗତି କରୁଛନ୍ତି। ମଧୁଶୁଦନପାଲ୍ଲୀ, ଗୋପବନ୍ଧୁପାଲ୍ଲୀ ଅଁଚଳ କଥା ନକହିବା ଭଲ। ଏହି ସମସ୍ୟା ସହ ସହର ବାସୀଙ୍କର ମୌଳିକ ସମସ୍ୟା ସମାଧାନ ସଠିକ ଭାବେ ହୋଇପାରିନି, ସ୍ମାର୍ଟ ସିଟି ହେଲା ପରେ ମଧ୍ୟ ଲୋକେ ନାନା ସମସ୍ୟା ଦେଇ ସହରରେ ଜୀବନଯାପନ କରୁଛନ୍ତି। ଏହା ଛଡା ଏଠାରେ ବାସଗୃହ ସମସ୍ୟା ଦିନକୁ ଦିନ ଜଟିଳ ଆକାର ଧାରଣ କରିବାରେ ଲାଗିଛି। ସେ ପୂର୍ବରୁ ରାଜ୍ୟ ମନ୍ତ୍ରୀ ମଣ୍ଡଳରେ ମନ୍ତ୍ରୀ ଥିବା ବେଳେ ବିଜୁ ବାବୁଙ୍କ ସରକାରରେ ଛେଣ୍ଡ ଭଳି ପ୍ରକଳ୍ପ ହୋଇଥିଲା। ତା ପର ଠାରୁ କୌଣସି ପ୍ରକଳ୍ପ ହାତକୁ ନିଆଯାଇନାହିଁ, ତେଣୁ ଯାହା କିଛି ସମସ୍ୟା ରହିଛି ତାଙ୍କ ସରକାର ଆସିବା ପରେ ସେ ସେବୁକୁ ଲୋକଙ୍କ ମତନେଇ ସମାଧାନ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି । ମୋଟା ମୋଟି ଭାବେ ଏ ସହର ତାଙ୍କ ପରିବାର ଭଳି ତେଣୁ ସେ ଏଠାରୁ ଯେଉଁ ସ୍ନେହ ଶ୍ରଦ୍ଧା ପାଇଛନ୍ତି ସେ ନେଇ ସେ ଆଗାମୀ ଦିନରେ ନିଶ୍ଚୟ କାମ କରିବେ ବୋଲି କହିଛନ୍ତି । ଆଜି ଏହି ଗହଳି ଭିତରେ ରାଉରକେଲାର ବହୁ ପୁରାତନ ନେତା ନେତ୍ରୀ ମାନେ ଯେଉଁମାନେ ବିଭିନ୍ନ ଦଳକୁ ଚାଲି ଯାଇଥିଲେ ସେମାନଙ୍କୁ ଦିଲୀପଙ୍କ ବାସଭବନରେ ଦେଖିବାକୁ ମିଳିଥିଲା ।