ଘଟଗାଁ, ଆଜି ହେଉଛି ପବିତ୍ର ପଣା ସଂକ୍ରାନ୍ତି । ପରମ୍ପରା ଅନୁଯାୟୀ ଏହି ଦିନ ଠାରୁ ଓଡ଼ିଆ ନୂତନ ବର୍ଷ ଆରମ୍ଭ ହୋଇଥାଏ । ଏହି ଉପଲକ୍ଷେ କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ଘଟଗାଁ ମା’ ତାରିଣୀ ପୀଠ ଚଳଚଂଚଳ ହୋଇ ଉଠିଛି । ଏଠାରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି । ସ୍ଵତନ୍ତ୍ର ରୀତିନୀତି ଅନୁଯାୟୀ ମା ଙ୍କ ପୂଜାର୍ଚ୍ଚନା ଅନୁଷ୍ଠିତ ହେଉଛି । ଏହି ଅବସରରେ ଆଜି ଭୋର୍ ୪ଟାରୁ ଦେହୁରୀ ମାନେ ମାଙ୍କୁ କ୍ଷୀର, ଲହୁଣୀ, ହଳଦୀ, ଚୁଆ, ଚନ୍ଦନ, ମହୁ ଲେପନ କରି ମାଜଣା କରିବା ପରେ ସ୍ନାନ କାର୍ଯ୍ୟ ସମାପନ ହୋଇଥିଲା । ପରେ ମାଙ୍କୁ ବିଭିନ୍ନ ସୁବର୍ଣ୍ଣ ଅଳଙ୍କାରରେ ସଜ୍ଜିତ କରାଯିବା ସହ ମାଙ୍କ ସୁନାବେଶ ଅନୁଷ୍ଠିତ ହୋଇଛି । ଧୂପ, ଦୀପ, ନୈବେଦ୍ୟ, ଶଙ୍ଖ, ଘଂଟ ଧ୍ବନୀରେ ମାଙ୍କ ସକାଳ ଆଳତୀ ଅନୁଷ୍ଠିତ ହୋଇଛି । ନୀତିକାନ୍ତି ସରିବା ପରେ ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେଉଛନ୍ତି ମା ତାରିଣୀ । ଭୋର୍ ୪ଟାରୁ ମାଙ୍କ ସମସ୍ତ ନୀତିକାନ୍ତି ଶେଷ ହୋଇଥିଲା, ସକାଳ ୧୦ଟାରେ ମାଙ୍କୁ ପଣା ଭୋଗ ଲାଗି କରାଯାଇଛି ।
ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଓ ମନ୍ଦିର କର୍ତୃପକ୍ଷଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି । ମନ୍ଦିର ପରିସରରେ ୫ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି । ଜଣେ ଅତିରିକ୍ତ ଏସପି, ୪ ଜଣ ଡିଏସପି ଏବଂ ୫ ଜଣ ଆଇଆଇସି ସ୍ଥିତିର ତଦାରଖ କରୁଛନ୍ତି ।
ଏଠାରେ ଉଲ୍ଲେଖଯୋଗ୍ୟ, ମହା ବିଷୁବ ସଂକ୍ରାନ୍ତି ଦିନ ମା’ଙ୍କୁ ସୁନାବେଶରେ ଦର୍ଶନ କଲେ ସମସ୍ତ ମନୋସ୍କାମନା ପୂରଣ ହୁଏ ବୋଲି ବିଶ୍ଵାସ ରହିଛି ।