ଭୁବନେଶ୍ୱର – ଆସନ୍ତା ୮ ତାରିଖରେ ବାମପନ୍ଥୀ ଦଳ ଏବଂ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ୍ ପକ୍ଷରୁ ନିଆଯାଇଥିବା ରାଜ୍ୟ ଓ ଦେଶବ୍ୟାପୀ ଧର୍ମଘଟ ଡାକରାକୁ ରାଜ୍ୟ କଂଗ୍ରେସ ସମର୍ଥନ ଜଣାଇଛି ।
ପିସିସି ସଭାପତି ନିରଂଜନ ପଟ୍ଟନାୟକ କହିଛନ୍ତି ଯେ ଦେଶରେ ଲୋକମାନଙ୍କର ସ୍ୱାଧିନ ମତବ୍ୟକ୍ତ କରିବାର ଅଧିକାର ଦିନକୁ ଦିନ କ୍ଷୁର୍ଣ୍ଣ ହେବାରେ ଲାଗିଛି । ଏପରି ଭୟ ଓ ଅବିଶ୍ୱାସର ବାତାବରଣରେ କେନ୍ଦ୍ରୀୟ ଶ୍ରମିକ ସଂଗଠନ, ଅନ୍ୟାନ୍ୟ ସ୍ୱାଧିନ ଫେଡେରେସନ ଓ ଆସୋସିଏସନ ତରଫରୁ ଆସନ୍ତା ୮ ଜାନୁଆରୀ ବୁଧବାର ଦିନ ଦେଶବ୍ୟାପୀ ସାଧାରଣ ଧର୍ମଘଟକୁ ସଫଳ କରିବା ପାଇଁ କଂଗ୍ରେସ ଦଳ ସଂପୂର୍ଣ୍ଣ ସମର୍ଥନ ଦେବ । ଏହା ସହ ଧର୍ମଘଟରେ ହଜାର ହଜାର ସଂଖ୍ୟାରେ କଂଗ୍ରେସ ନେତୃମଣ୍ଡଳୀ, କର୍ମକର୍ତା ଓ ଶୁଭେଚ୍ଛୁମାନେ ଶାନ୍ତି ଶୃଙ୍ଖଳାର ସହ ସକ୍ରୀୟ ଅଂଶଗ୍ରହଣ କରିବାକୁ ସେ ଅନୁରୋଧ କରିଛନ୍ତି ।
ସୋମବାର ଦିନ ବିଭିନ୍ନ ବାମପନ୍ଥୀ ଦଳର ନେତା ମାନେ କଂଗ୍ରେସ ଭବନ ଆସି ଶ୍ରୀ ପଟ୍ଟନାୟକଙ୍କୁ ସାକ୍ଷାତ କରିବା ସହ ଭାରତ ବନ୍ଦ ପାଇଁ ସମର୍ଥନ ଲୋଡିଥିଲେ । ପିସିସି ସଭାପତିଙ୍କୁ ଭେଟିବା ପରେ ଏଆଇଟିୟୁସି ସମ୍ପାଦକ ରାମକୃଷ୍ଣ ପଣ୍ଡା କହିଛନ୍ତି ଯେ କଂଗ୍ରେସ ଦେଶବ୍ୟାପୀ ଆନେ୍ଦାଳନକୁ ପୂର୍ଣ୍ଣ ସମର୍ଥନ ଜଣାଇଛି । ଆନେ୍ଦାଳନ ଦିନ କ୍ଷୀର ଗାଡି , ପରୀକ୍ଷାର୍ଥୀ ଓ ଔଷଧ ଦୋକାନ ଗୁଡିକୁ ବାଦ୍ ଦିଆଯିବ ।
ଉଲ୍ଲେଖଯୋଗ୍ୟ ଯେ ରାଜ୍ୟ ଓ ଦେଶରେ ଦେଖା ଦେଇଥିବା ଉକ୍ରଟ ଆର୍ଥିକ ମାନ୍ଦାବସ୍ଥା, ବର୍ଦ୍ଧିଷ୍ଣୁ ବେକାରୀ, ନିତ୍ୟ ବ୍ୟବହୃତ ଖାଦ୍ୟ ସାମଗ୍ରୀର ଅହେତୁକ ମୂଲ୍ୟବୃଦ୍ଧି, ରାଷ୍ଟ୍ରାୟତ ଉଦ୍ୟୋଗର ଘରୋଇକରଣ , କର୍ପୋରେଟ୍ ସପକ୍ଷରେ ଶ୍ରମ ଆଇନ୍ର କୋଅର୍ଡିଫିକେସନ ବିରୁଦ୍ଧରେ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ଅନ୍ୟାନ୍ୟ ସ୍ୱାଧିନ ଫେଡେରେସନ୍ ଯଥା ଆଇଏନ୍ଟିୟୁସି,ଏଆଇଟିୟୁସି, ଏଚ୍ଏମ୍ଏସ୍, ସିଆଇଟିୟୁ,ଏଆଇୟୁଟିୟୁସି, ଏଆଇସିସିଟିୟୁ ଓ ବ୍ୟାଙ୍କ, ବୀମା, ପ୍ରତିରକ୍ଷା, ବିଏସ୍ଏନ୍ଏଲ୍, କୋଇଲା, ଖଣି, ବିଦୁ୍ୟତ୍ଙ୍କ ସମେତ କେନ୍ଦ୍ର ଓ ରାଜ୍ୟ ସରକାରୀ କର୍ମଚାରୀମାନେ ଦେଶବ୍ୟାପୀ ସାଧାରଣ ଧର୍ମଘଟର ଡାକରା ଦେଇଛନ୍ତି ।