ପୁରୀ, ଆଜି ପୂର୍ବାହ୍ନରେ ପ୍ରିଜାଇଡିଂ ଓ ପୁଲିଂ ଅଧିକାରୀ ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ନିର୍ବାଚନକୁ ମୁକ୍ତ, ଅବାଧ ଓ ନିରପେକ୍ଷ କରିବା ସହ ଯେପରି ତୃଟିଶୂନ୍ୟ ଭାବେ ଏହାକୁ ପରିଚାଳନା କରାଯାଇ ପାରିବ ସେଥିପାଇଁ ଏହି ପ୍ରଶିକ୍ଷଣ ବହୁତ ଗୁରୁତ୍ଵପୂର୍ଣ୍ଣ ବୋଲି ବରିଷ୍ଠ ଅଧିକାରୀ ମାନେ ପ୍ରଶିକ୍ଷାର୍ଥୀଙ୍କୁ ପରାମର୍ଶ ଦେଇଥିଲେ। ଏହି ପ୍ରଶିକ୍ଷଣରେ ୧୫୦୩ ପ୍ରିଜାଇଡିଂ ଓ ପୁଲିଂ ଅଫିସର ମାନେ ପ୍ରଶିକ୍ଷଣ ନେଇଥିଲେ। ପ୍ରଥମ ପର୍ଯ୍ୟାୟରେ ବିବିଧ କାରଣରୁ ଅନୁପସ୍ଥିତ ରହି ପ୍ରଶିକ୍ଷଣ ନେଇ ପାରି ନଥିବା ୨୬୮ଜଣ ଓ ନୂତନ ଭାବେ ୧୨୩୫ ଜଣଙ୍କୁ ଏହି କାର୍ଯ୍ୟକ୍ରମରେ ପ୍ରଶିକ୍ଷଣ ଦିଆଯାଇଥିଲା। ପ୍ରିଜାଇଡିଂ ଓ ପୁଲିଂ ଅଫିସର ମାନେ ଭାରତର ନିର୍ବାଚନ କମିଶନରଙ୍କ ମାର୍ଗଦର୍ଶିକା ଆଧାରରେ ଯେପରି ଶୃଙ୍ଖଳିତ ଭାବେ ନିର୍ବାଚନକୁ ପରିଚାଳନା କରିବେ ସେଥିପ୍ରତି ଯତ୍ନବାନ ହେବାକୁ ପରାମର୍ଶ ଦିଆଯାଇଥିଲା। ବିଶେଷ କରି ବିଭିନ୍ନ ଫର୍ମ ପୂରଣ ସହ ଇଭିଏମ ଓ ଭିଭିପାଟ ର ବ୍ୟବହାର, ପ୍ରିଜାଇଡିଂ ଓ ପୁଲିଂ ଅଫିସର ମାନଙ୍କ ଦାୟିତ୍ଵ ଉପରେ ବିଷଦ ପ୍ରଶିକ୍ଷଣ ଦିଆଯାଇଥିଲା।ଭଲ ଭାବରେ ପ୍ରିଜାଇଡିଂ ଅଫିସର ହ୍ୟାଣ୍ଡ ବୁକ କୁ ଅଧ୍ୟୟନ ସହ କୌଣସି କ୍ଷେତ୍ରରେ ବୁଝିବାରେ ଅସୁବିଧା ହେଲେ ମାଷ୍ଟର ଟ୍ରେନର ମାନଙ୍କ ସହଯୋଗ ନେବାକୁ ପରାମର୍ଶ ଦିଆଯାଇଥିଲା। ଜିଲ୍ଲା ନିର୍ବାଚନ ଅଧିକାରୀ ସିଦ୍ଧାର୍ଥ ଶଙ୍କର ସ୍ଵାଇଁଙ୍କ ନିର୍ଦ୍ଦେଶ କ୍ରମେ ପ୍ରତି ବ୍ଲକ ସଦର ମହକୁମାରେ ଅନୁଷ୍ଠିତ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲାପାଳ କୈଳାସ ଚନ୍ଦ୍ର ନାୟକ, ଶରତ ଚନ୍ଦ୍ର ବେହେରା, ନିଳମାଧବ ଭୋଇ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରିୟ ରଞ୍ଜନ ପୃଷ୍ଟି, ଉପଜିଲ୍ଲାପାଳ ଗୋପୀନାଥ କୁଅଁର, ଅତିରିକ୍ତ ଉପ ଜିଲ୍ଲାପାଳ ନୀଳମାଧବ ମାଝୀ ପ୍ରମୁଖ ତଦାରଖ କରିଥିଲେ।
Related Stories
October 17, 2024