ବଲାଙ୍ଗିର, ବଲାଙ୍ଗିର ଜିଲ୍ଲାର ବିଭିନ୍ନ ଦେବୀ ପୀଠ ଗୁଡିକରେ ଚୈତ୍ର ନବରାତ୍ରି ପୂଜା ଚାଲୁ ରହିଛି। ପ୍ରତ୍ୟହ ମା ଙ୍କ ଦର୍ଶନ ଓ ପୂଜା ପାଇଁ ଭକ୍ତ ମାନେ ପ୍ରତ୍ୟୁଷରୁ ଏଠାରେ ଥିବା ବିଭିନ୍ନ ଦେବୀ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରୁଛନ୍ତି। ଏଠାରେ ବିଶେଷ କରି ଦୁର୍ଗା ମନ୍ଦିରରେ ହୋମ ଯଜ୍ଞ ସହିତ ଚଣ୍ଡୀ ପାଠ ଓ ଦେବୀଙ୍କ ପ୍ରତ୍ୟହ ଯଜ୍ଞରେ କର୍ତ୍ତା ମାନେ ସପତ୍ନିକ ପୂଜା ସହିତ ଯଜ୍ଞରେ ବସି ଆହୁତି ଦେଉଥିବା ବେଳେ ମାନସିକ ଧାରି ମାନେ ଓପାସ ରହି ସାଧନାରେ ଲିପ୍ତ ରହୁ ଥିବା, ମନ୍ଦିରରେ ଅଖଣ୍ଡ ଦୀପ ପ୍ରଜ୍ଵଳନ କରିଥିବା ବେଳେ ସମସ୍ତ ଦେବୀ ମନ୍ଦିରରେ ଆୟୋଜକଙ୍କ ପକ୍ଷରୁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି।
ଆଜି ଚୈତ୍ର ନବରାତ୍ରୀର ଚତୁର୍ଥ ଦିବସ । ମା’ ଦୁର୍ଗାଙ୍କର ଚତୁର୍ଥ ସ୍ଵରୂପରେ ଦେବୀ କୁଷ୍ମାଣ୍ଡାଙ୍କୁ ପୂଜିବାର ବିଧି ରହିଛି । ମା’ଙ୍କ ଆରାଧନା ଦ୍ଵାରା ଭକ୍ତଙ୍କ ବଳ, ବୁଦ୍ଧି ବିଦ୍ୟା, ପ୍ରେମ, ଜ୍ଞାନ, ଆୟୁ, ଯଶ, ଆରୋଗ୍ୟ, ସନ୍ତାନର ସୁଖ ପ୍ରାପ୍ତ ହୋଇଥାଏ । ଶାସ୍ତ୍ର ଅନୁଯାୟୀ, ଯେତେବେଳେ ସାରା ଜଗତ ଅସ୍ତିତ୍ଵ ବିହିନ ଥିଲା, ସେହି ସମୟରେ ଦେବୀ କୁଷ୍ମାଣ୍ଡା ପୁରା ବ୍ରହ୍ମାଣ୍ଡକୁ ସଂରଚନା କରିଥିଲେ।
ସୃଷ୍ଟିର ଆଦି ସ୍ଵରୂପା ଦେବୀ ହେଉଛନ୍ତି କୁଷ୍ମାଣ୍ଡା । ତାଙ୍କର ଏହି ସ୍ଵରୁପକୁ ପ୍ରଜ୍ଵଳିତ ପ୍ରଭାକର ବୋଲି କୁହାଯାଏ । ଅର୍ଥାତ ଚମକୁ ଥିବା ସୂର୍ଯ୍ୟଙ୍କ ଭଳି । ତାଙ୍କର କିରଣ ଏତେ ମାତ୍ରାରେ ପ୍ରକାଶମୟ ଯେ ଦଶ କୋଣକୁ ପ୍ରଜ୍ଵଳିତ କରିପାରିବ । ବ୍ରହ୍ମାଣ୍ଡର ସମସ୍ତ ବସ୍ତୁ ଏବଂ ପ୍ରାଣୀମାନଙ୍କ ମଧ୍ୟରେ ମା’ଙ୍କ କିରଣ ଛାଇ ହୋଇଛି । ଏହାସହିତ ସେ ଅଷ୍ଟଭୁଜା ଦେବୀ ନାମରେ ପ୍ରସିଦ୍ଧ । ତାଙ୍କ ହସ୍ତରେ ପଦ୍ମ, କମଣ୍ଡଳ, ଅମୃତପୂର୍ଣ୍ଣ କଳଶ, ଧନୁଷ, ବାଣ, ଚକ୍ର, ଗଦା ଏବଂ ଜପମାଳା ଧାରଣ କରିଥାନ୍ତି । ସାରା ଜଗତକୁ ସିଦ୍ଧି ଏବଂ ନିଧି ପ୍ରଦାନ କରୁଥିବା ଦେବୀ ହେଉଛନ୍ତି ମା’ କୁଷ୍ମାଣ୍ଡା । ମା’ଙ୍କ ଏହି ବେଶ ଦର୍ଶନ କଲେ ମନର ଚଞ୍ଚଳତା ଦୂର ହେବା ସହିତ ରୋଗ ଶରୀର ଛାଡ଼ି ଚାଲିଯାଏ ବୋଲି ଧାର୍ମିକ ବିଶ୍ଵାସ ରହିଛି। ନବରାତ୍ରିର ଚତୁର୍ଥ ଦିନରେ ମା’ଙ୍କୁ ମାଲପୁଆ ଭୋଗ ଲାଗିଥାଏ। ପ୍ରବାଦ ଅଛି, ସେ କେବଳ ସ୍ମିତ ହସଦ୍ଵାରା ସମସ୍ତ ବ୍ରହ୍ମାଣ୍ଡ ସୃଷ୍ଟି କରିଥିଲେ । ସେ ଧଳା କଖାରୁ ବା କୁଷ୍ମାଣ୍ଡକୁ ଭଲ ପାଆନ୍ତି । ତାଙ୍କର ବ୍ରହ୍ମାଣ୍ଡ ଓ କୁଷ୍ମାଣ୍ଡ ସାଥିରେ ସମ୍ପର୍କ ରହିବା ଯୋଗୁ ତାଙ୍କର ଏହି ଲୋକପ୍ରିୟ କୁଷ୍ମାଣ୍ଡା ନାମ ହୋଇଛି ।
ଦେବୀଙ୍କର ନିରବ ସ୍ମିତ ହସରୁ ବ୍ରହ୍ମାଣ୍ଡର ସୃଷ୍ଟି ଆରମ୍ଭ ହେଲା । ସେ ଅନ୍ତରୀକ୍ଷ ଅଣ୍ଡା ଉତ୍ପନ୍ନ କଲେ । ତାଙ୍କ ସ୍ମିତ ହସଦ୍ଵାରା ଅନ୍ଧକାର ଦୂରୀଭୂତ ହୋଇ ଏକ ନୂଆ ବ୍ରହ୍ମାଣ୍ଡ ତିଆରି ହେଲା । ଏହି ହସରୁ ଆଲୋକ ଓ ଜୀବନ ସୃଷ୍ଟି ହେଲା । ପୃଥିବୀ, ଗ୍ରହ, ନକ୍ଷତ୍ର ଓ ଆକାଶ ଗଙ୍ଗାର ସୃଷ୍ଟି ହୋଇଥିଲା । ଜୀବ ଜଗତ ବଞ୍ଚିବା ନିମନ୍ତେ ସୂର୍ଯ୍ୟ ଦରକାର ହେଲା । ତେଣୁ ସେ ସୂର୍ଯ୍ୟ ଓ ଶକ୍ତି ସୃଷ୍ଟି କଲେ ଓ ଜୀବ ଜଗତ ବଞ୍ଚି ରହିବା ନିମନ୍ତେ ଶକ୍ତି ଓ ଆଲୋକ ଦେଲେ । ତାଙ୍କର ଶକ୍ତି ପାଇ ସୂର୍ଯ୍ୟ ଶକ୍ତିଶାଳୀ ହେଲେ ।