ମାଲକାନଗିରି, ବାଲିମେଳା ସହରର ପ୍ରାଥମିକ ବିଦ୍ୟାଳୟରେ ପିଲାମାନେ ପଢ଼ିବା ନିମନ୍ତେ ସୁରକ୍ଷିତ ଶ୍ରେଣୀ ଗୃହର ଘୋର ଅଭାବ ଦେଖାଯାଇଛି। ୨୦୦୧ ମସିହାରେ ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦ ୱାର୍ଡ ନମ୍ବର ୧୨ ରେ ଏକ ପ୍ରାଥମିକ ବିଦ୍ୟାଳୟ ସ୍ଥାପିତ ହୋଇଥିଲା। ବିଦ୍ୟାଳୟର ୨ଟି ଶ୍ରେଣୀଗୃହରେ ସିମେଣ୍ଟ ଛାତ ଥିଲେ ମଧ୍ୟ ୨୦୨୦ ମସିହାରୁ ପିଲାଙ୍କ ଶିକ୍ଷାଦାନ ସ୍ଥାନରେ ବର୍ଷାଦିନେ ପାଣି ଗଳୁଥିବାରୁ ୨୨ ଜୁଲାଇ ୨୦୨୧ ମସିହାରେ ଏ ବିଷୟରେ ବିଦ୍ୟାଳୟ କମିଟି (ପତ୍ର ନଂ ୨୫) ରେ ସି.ଆର୍.ସି.ସି /ବି.ଆର୍.ସି / ଗୋଷ୍ଠୀ ଶିକ୍ଷା ଅଧିକାରୀ, କୋରକୁଣ୍ଡା / ଗୋଷ୍ଟୀ ଉନ୍ନୟନ ଅଧିକାରୀ, କୋରକୁଣ୍ଡା / ଜିଲ୍ଲା ଶିକ୍ଷା ଅଧିକାରୀ, ମାଲକାନଗିରି / ଜିଲ୍ଲା ପ୍ରକଳ୍ପ ଅଧିକାରୀ, ସମଗ୍ର ଶିକ୍ଷା ଅଭିଯାନ, ମାଲକାନଗିରି ଏବଂ ଜିଲ୍ଲାପାଳଙ୍କୁ ଜଣାଇଥିଲେ।
ପରବର୍ତ୍ତୀ ସମୟରେ ୨୦୨୨ ମସିହାରେ ବିଦ୍ୟାଳୟର ଶ୍ରେଣୀ ଗୃହ ମରାମତି ନିମନ୍ତେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପତ୍ର ନଂ ୧୯୦୯ ତା ୨୦ / ଜୁଲାଇ / ୨୦୨୨ ରେ ୭ ଲକ୍ଷ ଟଙ୍କା ର ବ୍ୟୟ ବରାଦ ହେବା ସ୍ଵତ୍ବେ କୌଣସି କାର୍ଯ୍ୟ ହେଲାନାହିଁ ।
ଏଥିପାଇଁ ୨୦୨୩ ରେ ପୁଣି ପିଲା ଓ ଅଭିଭାବ କମାନେ ରାଜରାସ୍ତାରେ ଆସିବସିବା ପରେ ଏହି ମୂଲ୍ୟ ଆଉ ୧୦ ପ୍ରତିଶତ ବୃଦ୍ଧି ହୋଇ ଅର୍ଥାତ୍ ୭୦,୦୦୦ (ସତୁରି ହଜାର ଟଙ୍କା) ବଢାଇ ତୁରନ୍ତ ମରାମତି କରାଯିବା ବୋଲି ସହକାରୀ ନିର୍ବାହୀ ଯନ୍ତ୍ରୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ପ୍ରତିନିଧି ଆସି ଧାରଣାରତ ଛାତ୍ର ଛାତ୍ରୀ ଓ ଅଭିଭାବକ ଗଣମାଧ୍ୟମ ଓ ପୋଲିସ୍ ପ୍ରଶାସନ ଆଗରେ କହିବା ପରେ ରାଜରାସ୍ତାରୁ ହଟିଥିଲେ। ହେଲେ ୨୦୨୪ ମସିହା ଶିକ୍ଷାବର୍ଷ ଆରମ୍ଭ ହୋଇଗଲାଣି, ଆଉ କିଛି ଦିନ ପରେ ଖରାଛୁଟି ଏବଂ ପୁନଃ ପାଠପଢ଼ା ଆରମ୍ଭ ବେଳେ ବର୍ଷା ଆସିଯିବ ପିଲାମାନେ ପଢ଼ିବେ କେଉଁଠି ? ଘର ଉପରେ ଥିବା ପଲିଥିନ୍ ନଷ୍ଟ ହୋଇ ଯାଇଛି। ଅନ୍ୟତ୍ର ପଢ଼ିବା ନିମନ୍ତେ ଯିବା ସମ୍ଭବ ନୁହଁ। ବିଦ୍ୟାଳୟର ସୀମାନିରୂପଣ ନିମନ୍ତେ ପକ୍କା ପ୍ରାଚୀର ନାହିଁ, ଏଣୁ ପରିସରରେ ଫୁଲଗଛ, ଫଳଗଛ ଓ ଅନ୍ୟ ଔଷଧୀୟ ଗଛ ଲଗାହୋଇପାରୁ ନାହିଁ। ନିକଟରେ ଖୋଲାସ୍ଥାନ ଥିଲେ ମଧ୍ୟ ସମତଳ ନଥିବାରୁ ବିଦ୍ୟାଳୟରେ ସମସ୍ତ ଖେଳ ସାମଗ୍ରୀ ସରକାରଙ୍କ ତରଫରୁ ଯୋଗାଇ ଦିଆଯାଇଥିଲେ ମଧ୍ୟ ସେଗୁଡ଼ିକର ସୁବିନିଯୋଗ ହୋଇପାରୁନାହିଁ। ଏଣୁ ଛାତ୍ରଛାତ୍ରୀଙ୍କ ଶାରରୀକ, ମାନସିକ ଓ କାର୍ଯ୍ୟ ଦକ୍ଷତା ବୃଦ୍ଧି ନିମନ୍ତେ ବିଦ୍ୟାଳୟରେ ପକ୍କା ପ୍ରାଚୀର ଓ ନିକଟରେ ସମତଳ ଖେଳ ପଡ଼ିଆର ଆବଶ୍ୟକ ମଧ୍ୟ ରହିଛି।
ଏହି ଗ୍ରୀଷ୍ମ ଛୁଟିରେ ୱାର୍ଡ-୧୨ ର ପ୍ରାଥମିକ ବିଦ୍ୟାଳୟ ପରିସରରେ ଥିବା ୨ଟି ଛାତ ଘର ଯଦି ପିଲାମାନେ ବସି ପାଠ ପଢିବା ଯୋଗ୍ୟ ଅଛି ତେବେ ସେଗୁଡ଼ିକ ମରାମତି କରାଯାଉ ନଚେତ୍ ସେଗୁଡିକୁ ସମ୍ପୂର୍ଣ୍ଣ ନଷ୍ଟ କରି ପୁନଃ ନୂଆ ଘର ଦୁଇଟି ନିର୍ମାଣ କଲେ ଆମ ୱାର୍ଡ଼ ର ସମସ୍ତ ପିଲାମାନେ ଭଲଭାବେ ଶ୍ରେଣୀ ଗୃହରେ ବସି ଶିକ୍ଷା ଗ୍ରହଣ କରିବାରେ ସହଜ ହେବ । ବିଦ୍ୟାଳୟର ଏହି ସବୁ ସମସ୍ୟାର ସମାଧାନ ପାଇଁ ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦ ୱାର୍ଡ ନମ୍ବର ୧ ୨ ର ଅଭିଭାବକ ମାନେ ମାଲକାନଗିରି ଆସି ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଉପଜିଲ୍ଲାପାଳଙ୍କୁ ଏହି ଦାବିପତ୍ର ଦେଇଥିଲେ।