
ପାରାଦ୍ୱୀପ- ଆଜି ସକାଳୁ ପାରାଦ୍ୱୀପ ସାମୁଦ୍ରିକ ଥାନା ଅନ୍ତର୍ଗତ ନେହେରୁ ବଙ୍ଗଳା ମାଛ ଧରା ଜେଟିରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ଅନ୍ୟ ଟ୍ରଲରର କର୍ମଚାରୀ ମାନେ ସକାଳୁ ଉଠି ବାହାରକୁ ଯାଉଥିବା ବେଳେ କେହି ଜଣେ ତଳେ ମରି ପଡ଼ିଥିବା ଏବଂ ତାର ଗୋଡ କେବଳ ବାହାରକୁ ଦେଖାଯାଉଥିବା ଜାଣିବାକୁ ପାଇଥିଲେ । ପରେ ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଜମିଥିଲା । ତୁରନ୍ତ ପୋଲିସକୁ ଖବର ଦିଅାଯାଇଥିଲା । ପୋଲିସ ଘଟଣାସ୍ଥଳରେ ପହଂଚି ଶବ ଜବତ କରିବା ସହ ଏହାକୁ ବ୍ୟବଚ୍ଛେଦ ନିମନ୍ତେ କୁଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଛି । ଏ ସଂକ୍ରାନ୍ତରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇଛି । ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି ଯେ, ମୃତ ବ୍ୟକ୍ତିଙ୍କ ନାମ ଉପେନ୍ଦ୍ର ପରିଡା । ୫୨ ବର୍ଷିୟ ଉପେନ୍ଦ୍ରଙ୍କ ଘର ଭଦ୍ରକ ଜିଲାର ତିହିଡ଼ି ଅଂଚଳରେ ।
ଏଠାରେ ପ୍ରକାଶଯୋଗ୍ୟ ଯେ, ଏହି ମାଛଧରା ବନ୍ଦରରେ ଏ ପର୍ଯ୍ୟନ୍ତ ୪୦ ରୁ ଉର୍ଦ୍ଧ୍ବ ଟ୍ରଲର କର୍ମଚାରୀ ମଦ୍ୟପାନ କରି ମୃତ୍ୟୁବରଣ କଲେଣି। ଗତ ୧ ତାରିଖ ଦିନ ନୂଆବର୍ଷ ଉପଲକ୍ଷେ ସେଠାରେ ମଧ୍ୟ ଭୋଜି ଓ ମଦ୍ୟ ପାନ ହୋଇଥିଲା । ହେଲେ ଘଟଣା ପର ଠାରୁ ମୃତ ଉପେନ୍ଦ୍ରର କୌଣସି ଖୋଜ ଖବର ମିଳୁନଥିଲା ।