
ଚମ୍ପୁଆ- କେନ୍ଦୁଝର ଜିଲ୍ଲାର ଖଣି ସମୃଦ୍ଧ ଚମ୍ପୁଆ ନିର୍ବାଚନ ମଣ୍ଡଳୀର ଓଡିଶାରେ ଏକ ସ୍ୱତନ୍ତ୍ର ସ୍ଥାନ ରହି ଆସିଛି । ଏହି ବିଧାନସଭା ମଣ୍ଡଳୀ ଅଣଅଂରକ୍ଷିତ ହେବା ପରେ ଏକଦା ଏହା ଶିଳ୍ପପତିଙ୍କ କବଜାରେ ରହି ଆସିଛି । ୨୦୦୯ ରେ କଂଗ୍ରେସ ପ୍ରାର୍ଥୀ ସନାତନ ମହାକୁଡ଼ଙ୍କୁ ହରାଇ ସ୍ୱାଧୀନ ପ୍ରାର୍ଥୀ ଜିତୁ ପଟ୍ଟନାୟକ ବିଜୟୀ ହୋଇଥିଲେ । ୨୦୧୪ ରେ ସ୍ୱାଧୀନ ପ୍ରାର୍ଥୀ ସନାତନ ମହାକୁଡ଼ ନିକଟତମ ପ୍ରତିଦ୍ୱନ୍ଦୀ ସ୍ୱାଧୀନ ପ୍ରାର୍ଥୀ କୁଶ ଆପଟଙ୍କୁ ହରାଇ ବିଧାୟକ ହୋଇ ଥିବା ବେଳେ ୨୦୧୯ ନିର୍ବାଚନରେ ସନାତନ ମହାକୁଡ଼ଙ୍କ ସମର୍ଥନ ରେ ବିଜେଡି ପ୍ରାର୍ଥୀ ମିନାକ୍ଷୀ ମହାନ୍ତ ନିକଟ ପ୍ରତିଦ୍ୱନ୍ଦୀ ବିଜେପି ପ୍ରାର୍ଥୀ ମୁରଲୀ ମନୋହର ଶର୍ମାଙ୍କୁ ୨୬,୪୦୮ ଭୋଟ ବ୍ୟବଧାନ ରେ ହରାଇ ବିଧାୟିକା ହୋଇଥିଲେ । ହେଲେ ଏବେ ସ୍ଥିତି ବଦଳିଛି, ପୂର୍ବରୁ ସବୁବେଳେ ନିଜ ସଂଗଠନକୁ ନେଇ ଚର୍ଚ୍ଚା ରେ ରହି ଆସିଥିବା ସନାତନ ମହାକୁଡ଼ଙ୍କ ଏବେ ପୂର୍ବ ପରି ଆଉ ଦୃଢ଼ ସଂଗଠନ ନ ଥିବା କୁହା ଯାଉଛି । ସେ ବିଜେଡି ଅଥବା ବିଜେପି ଯେ କୌଣସି ଦଳରୁ ଟିକଟ ପାଇଁ ଆଶାୟୀ ରହିଥିବା ଆଲୋଚନା ହେଉଥିବା ବେଳେ ପୂର୍ବତନ ବିଜେଡି ସାଂସଦ ଯୋଶବନ୍ତ ସିଂ ଲାଗୁରୀ ଓ ତାଙ୍କର ସାଂସଦ ପତ୍ନୀ ଶକୁନ୍ତଳା ଲାଗୁରୀ ବିଜେଡି ଛାଡି କଂଗ୍ରେସରେ ସାମିଲ ହେବା ବିଜେଡି ଓ ବିଜେପିର ମୁଣ୍ଡବ୍ୟଥା ବଢାଇଛି । ତେଣୁ ଉଭୟ ଦଳ ସ୍ଥିତି ପରଖି ରଣନୀତି ପ୍ରସ୍ତୁତ କରୁଛନ୍ତି । ତେବେ ଚମ୍ପୁଆ ବିଜେଡି ଟିକଟ ପାଇଁ ତିନି ପ୍ରମୁଖ ପ୍ରତିଦ୍ୱନ୍ଦୀ ସନାତନ ମହାକୁଡ଼, ବିଧାୟିକା ମିନାକ୍ଷୀ ମହାନ୍ତ ଓ ବିଜେଡି ନେତା କୁଶ ଆପଟ ପ୍ରମୁଖ ଦାବିଦାର କୁହା ଯାଉଥିବା ବେଳେ କୁଶ ଆପଟଙ୍କୁ ହଠାତ ନବୀନ ନିବାସ ଡାକରା ହେବା ଓ ତାଙ୍କର ନବୀନଙ୍କ ସହିତ ଫୋଟ ଭାଇରାଲ ହେବା ପରେ ଏହା ଚମ୍ପୁଆରେ ହଇଚଇ ସୃଷ୍ଟି କରି ସାରିଛି । ଅନ୍ୟପଟେ ବିଜେପି ପକ୍ଷରୁ ପ୍ରାର୍ଥୀ ହେବା ପାଇଁ ଅନେକ ଆଶାୟୀ ଥିଲେ ମଧ୍ୟ ମୁରଲୀ ମନୋହର ଶର୍ମା ଓ ଶ୍ରୀମନ୍ତ କୁମାର ତ୍ରିପାଠୀଙ୍କ ନାମ ଶୀର୍ଷରେ ରହିଥିବା କୁହା ଯାଉଛି । ମୁରଲୀ ଶର୍ମାଙ୍କୁ ସନାଙ୍କ ସଂଗଠନ ଆଗରେ ଦୁଇ ଦୁଇ ଥର ନିର୍ବାଚନରେ ପରାଜୟ ଶୀକାର କରିବାକୁ ପଡ଼ି ଥିବାବେଳେ ଚମ୍ପୁଆ ନିର୍ବାଚନ ମଣ୍ଡଳୀରେ ଶ୍ରୀମନ୍ତ ତ୍ରିପାଠୀଙ୍କ ନିଜର ସଂଗଠନ ଓ ଭୋଟ ବ୍ୟାଙ୍କ ରହିଛି । ସେ ନିଜର ସାଙ୍ଗଠନିକ ସ୍ଥିତିକୁ ସୁଦୃଢ କରି ଭଲ, ମନ୍ଦ ସବୁ ସମୟରେ ଲୋକଙ୍କୁ ସାହାଯ୍ୟ, ସହଯୋଗ କରି ଆସୁଥିବାରୁ ନିର୍ବାଚନ ମଣ୍ଡଳୀରେ ତାଙ୍କର ବେଶ ଦବଦବା ରହିଛି । ତେଣୁ ୨୦୨୪ ଚମ୍ପୁଆ ବିଧାନସଭା ମଣ୍ଡଳୀ ପାଇଁ ଏପର୍ଯ୍ୟନ୍ତ କୌଣସି ଦଳ ପ୍ରାର୍ଥୀ ଘୋଷଣା କରି ନ ଥିବାବେଳେ ଟିକଟ କିଏ ପାଇବ, କିଏ କଟିବ ସେ ନେଇ ନେତା, କର୍ମୀ ଓ ଜନତାଙ୍କ ମଧ୍ୟରେ ସଂଶୟ ବୃଦ୍ଧି ପାଇବାରେ ଲାଗିଛି ।