
ଚମ୍ପୁଆ – ଶିଶୁଙ୍କ ବିକାଶ ଲାଗି ସରକାର ଯୋଜନା ଉପରେ ଯୋଜନା କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ପ୍ରଶାସନିକ ଅଧିକାରୀଙ୍କ ଅବହେଳା ପାଇଁ ଚମ୍ପୁଆ ବ୍ଲକର ବହୁ ଅଙ୍ଗନୱାଡି କେନ୍ଦ୍ର ଅବ୍ୟବସ୍ଥା ମଧ୍ୟରେ ଗତି କରୁଥିବା ଦେଖିବାକୁ ମିଳୁଛି । ଯାହାର ଜ୍ୱଳନ୍ତ ଉଦାହରଣ ପାଲଟିଛି ଚମ୍ପୁଆ ବ୍ଲକ ଅନ୍ତର୍ଗତ ପର୍ଶଳା ପଞ୍ଚାୟତ ପର୍ଶଳା ଅଙ୍ଗନୱାଡି କେନ୍ଦ୍ର । ପର୍ଶଳା ପଞ୍ଚାୟତ କାର୍ଯ୍ୟାଳୟର ନାକ ତଳେ ଚମ୍ପୁଆ ସମନ୍ନିତ ଶିଶୁ ବିକାଶ ପ୍ରକଳ୍ପ ଅଧିନରେ ୨୫ଜଣ ଶିଶୁଙ୍କୁ ନେଇ ଚାଲି ଥିବା ପର୍ଶଳା ଗ୍ରାମର ଏହି ଅଙ୍ଗନୱାଡି ଗୃହ ବିପଦ ସଂକୁଳ ଅବସ୍ଥାରେ ରହି ଥିଲେ ମଧ୍ୟ ଏଥି ପ୍ରତି କାହାରି ନଜର ପଡ଼ୁ ନ ଥିବାବେଳେ କୋମଳମତି ଶିଶୁଙ୍କ ଶୋଷ ମେଣ୍ଟାଇବା ପାଇଁ ପାଣି ମୁନ୍ଦାଏ ମିଳିବା ମଧ୍ୟ ସ୍ୱପ୍ନ ହୋଇ ପଡିଛି । ଅଙ୍ଗନୱାଡି ଶିଶୁଙ୍କ ପାଇଁ ସାଧାରଣ ନଳକୂପ ଖଣ୍ଡେ ମଧ୍ୟ ନ ଥିବା ବେଳେ ରୋଷେଇ ଗୃହ ଉପରେ ଏକ ସିନଟେକ୍ସ ବସାଇ ଦାଇତ୍ୱ ସାରି ଦେଇଛି ବିଭାଗ । ଫଳରେ ଟୋପାଏ ପିଇବା ପାଣି ପାଇବାରୁ ମଧ୍ୟ ବଞ୍ଚିତ ହେଉ ଛନ୍ତି ଶିଶୁ । ପାଣି ଟୋପାଏ ପାଇଁ ଶିଶୁଙ୍କୁ ପାଞ୍ଚ ଶହ ମିଟର ଦୂର ଗାଁ ଭିତରେ ଥିବା ନଳକୁପରୁ ପାଣି ଆଣିବାକୁ ପଡୁଛି । ଅଙ୍ଗନୱାଡିରେ ପଙ୍ଖା ଝୁଲୁଛି ହେଲେ ବିଦ୍ୟୁତ ସଂଯୋଗ ନ ଥିବାରୁ ଗରମ ରେ ସିଝୁଛନ୍ତି ଶିଶୁ । ପୂର୍ବରୁ ପିଲାଙ୍କ ପାଇଁ ଏକ ପାଇଖାନା ଗୃହ ରହି ଥିଲା କିନ୍ତୁ ନିକଟରେ ପାର୍କ ନିର୍ମାଣର ଆଳ ଦେଖାଇ ତାହାକୁ ଠିକାଦାର ଭାଙ୍ଗି ଦେଇଥିବାରୁ ଶିଶୁ ମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉ ଥିବାବେଳେ ଶୌଚ ହେବାପାଇଁ ବାହାରକୁ ଯାଉଥିବା ଦେଖିବାକୁ ମିଳୁଛି । ଅଙ୍ଗନୱାଡି ଗୃହ ସମ୍ମୁଖରେ ଗାଁ ରାସ୍ତା ରହିଛି । ପାର୍କ ନିର୍ମାଣ କରୁଥିବା ଠିକାଦାର ଅଙ୍ଗନୱାଡି ସମ୍ମୁଖରେ ଥିବା ପାଚେରୀ କୁ ମଧ୍ୟ ଅଧା ଭାଙ୍ଗି ଦେଇ ଥିବାରୁ ଶିଶୁ ମାନେ ସବୁବେଳେ ବିପଦକୁ ସାମ୍ନା କରୁଥିବା ଅଭିଯୋଗ ହେଉଛି । ରୋଷେଇ ଗୃହ ମଧ୍ୟ ଚାରି କଡରେ ଫାଟି ଆଁ କରିଛି । ସାଧାରଣ ବର୍ଷାରେ ପାଣି ଗଳୁ ଥିବାରୁ କେତେ ବେଳେ ଯେ ଛାତ ଧସି ପଡିବ କହି ହେବ ନାହିଁ । ଏ ପରିସ୍ଥିତିରେ ଶିଶୁଙ୍କ ପ୍ରତି ପ୍ରଶାସନ ନଜର ଅନ୍ଦାଜ କରୁଥିବାରୁ ଅଭିଭାବକ ମହଲରେ ଅସନ୍ତୋଷ ଦେଖା ଦେଇଛି । ଏହି ବିପଦ ସଂକୁଳ ଗୃହରେ କାହା ସ୍ୱାର୍ଥରେ କି ଅଭିପ୍ରାୟ ରଖି କେନ୍ଦ୍ର ଚାଲିଛି ତାର ତଦନ୍ତ ପୂର୍ବକ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବୀ ହେଉଛି ।