
ଚମ୍ପୁଆ– ଛଅ ମାସ ହେବ ଅଧାପନ୍ତରିଆ ହୋଇ ପଡ଼ି ରହିଛି ପାର୍କ କାମ। କାମକୁ ଅଧାରେ ଛାଡ଼ି ଠିକାଦାର ଛୁ ମାରିଥିବା ବେଳେ ଏହାକୁ ନେଇ ଅସନ୍ତୋଷ ପୁଞ୍ଜିଭୂତ ହେଉଛି। ଚମ୍ପୁଆ ବ୍ଲକ ଅନ୍ତର୍ଗତ ପର୍ଶଳା ଗ୍ରାମରେ ଜିଲ୍ଲା ଖଣିଜ ପାଣ୍ଠିରୁ ପ୍ରାୟ ୨୯ ଲକ୍ଷ ଟଙ୍କା ଅଟକଳରେ ଗ୍ରାମର ଗ୍ରାମବାସୀଙ୍କ ଅବସର ବିନୋଦନ ପାଇଁ ଏହି ପାର୍କ କାମ ଗତ ୧୦ ମାସ ତଳୁ ଆରମ୍ଭ କରାଯାଇଥିଲା। ତେବେ ମାତ୍ର ପାଚେରୀ ନିର୍ମାଣ ଓ ପାର୍କ ଭିତରେ ଫେବର ବ୍ଲକ କାମ କରାଯାଇ କାମକୁ ଅଧାପନ୍ତରିଆ ଭାବେ ପକାଇ ରଖାଯାଇଥିବା ଦେଖିବାକୁ ମିଳିଛି। ପାର୍କ ମଝିରେ ଏକ ବିରାଟ ଗାତ ଖୋଳାଯାଇ କାମକୁ ଅଧାରେ ଛାଡ଼ି ଠିକାଦାର ଛୁ ମାରିଥିବା ଜଣାପଡିଛି। ପାର୍କର ଅର୍ଦ୍ଧାଧିକ କାମ ସମ୍ପୁର୍ଣ୍ଣ ହୋଇନଥିବା ଯୋଗୁଁ ଯେଉଁ ଲକ୍ଷ୍ୟ ରଖାଯାଇ ପାର୍କ ନିର୍ମାଣ କରାଯାଇଥିଲା ସେହି ଆବଶ୍ୟକତା ପୂରଣ ହୋଇପାରୁ ନଥିବା ବେଳେ ଏହାକୁ ନେଇ ଦିନକୁ ଦିନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।
ଏ ସମ୍ପର୍କରେ ଚମ୍ପୁଆ ବ୍ଲକ କନିଷ୍ଠ ଯନ୍ତ୍ରୀ ସୁଦେଷ୍ନା ପାତ୍ରଙ୍କୁ ଯୋଗାଯୋଗ କରିବାରୁ ଖୁବ୍ ଶିଘ୍ର କାମ ଆରମ୍ଭ କରାଯିବ ବୋଲି କହିଛନ୍ତି।