ସୁବର୍ଣ୍ଣପୁର, ଓଡିଶାର ସୋନପୁର ବିଧାନସଭା ଆସନ ଏକ ଚର୍ଚ୍ଚିତ ଆସନ । ଏହି ଆସନରୁ ଲଗାତର ତିନି ଥର ଜିତି ବିଜେଡିର ନିରଞ୍ଜନ ପୁଜାରୀ ହ୍ୟାଟ୍ରୀକ ଅର୍ଜନ କରିଥିବା ବେଳେ ବର୍ତ୍ତମାନ ଏହି ଆସନରୁ ୪ର୍ଥ ଥର ଲଢିବାକୁ ଦଳ ତାଙ୍କୁ ଟିକେଟ ଦେଇଛି । ଅଂଚଳରେ ବିକାଶର ନାରା, ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ଭାବମୂର୍ତ୍ତୀକୁ ପୁଞ୍ଜି କରି ମଇଦାନକୁ ଓହ୍ଲାଇଥିବା ବେଳେ ଆଜି ଏହି ଆସନରୁ ନବ ନିର୍ମାଣ କୃଷକ ସଂଗଠନର ସମର୍ଥନରେ ସ୍ଵାଧିନ ପ୍ରାର୍ଥୀନି ଭାବେ ସୋନାଲି ବିଶି ମଇଦାନରେ ଅବତୀର୍ଣ୍ଣ ହୋଇଅଛନ୍ତି । ଗତକାଲି ଡୁଙ୍ଗୁରିପାଲି ଶିବ ମନ୍ଦିରରେ ପୂଜା ର୍ଚ୍ଚନା ପରେ ଏକ ବିରାଟ ଟ୍ରାକ୍ଟର ଓ ବାଇକ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ ସୋନାଲି। ତାଙ୍କ ପ୍ରଥମ ଶୋଭାଯାତ୍ରାରେ ସେ ମନ୍ତ୍ରୀ ନିରଋଞ୍ଜନ ପୁଜାରୀଙ୍କୁ ଟାର୍ଗେଟ କରିଥିଲେ । ଏହି ଅଂଚଳରୁ ଦୀର୍ଘ ୨୫ ବର୍ଷ ପ୍ରତିନିଧିତ୍ଵ କରି ଅଂଚଳକୁ ଦାଦନ ପ୍ରବଣ, ଶୀଳ୍ପ ବିହୀନ ଜିଲ୍ଲା, ମରୁଡି ପ୍ରପିଡିତ, ବେକାରୀ ସମସ୍ୟା, ଡାକ୍ତର ଶୂନ୍ୟ ଡାକ୍ତରଖାନରେ ପରିଣତ କରିଥିବା ସେ ତାଙ୍କ ଅଭିଭାଷଣରେ କହିଥିଲେ । ଏହି ଅଞ୍ଚଳର ରାସ୍ତାଘାଟ ତଥା ବିଭିନ୍ନ ଉନ୍ନୟନମୂଳକ କାମରେ ୨୦ ପ୍ରତିଶତ କମିଶନି କାରବାର କରି ଅଂଚଳକୁ ଠିକାଦାର ମାନଙ୍କ ହାତରେ ଟେକି ଦେଇଥିବା ଭଳି ଶାଣିତ ଢଙ୍ଗରେ ଆକ୍ରମଣ କରିଥିଲେ । ରାସ୍ତାରେ ଗଲାବେଳେ ବହୁ ସଂଖ୍ୟାରେ ଟ୍ରାକ୍ଟର, ବାଇକ ଯୋଗୁଁ ଜାତୀୟ ରାଜପଥରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ଶାନ୍ତିଶୃଙ୍ଖଳା ଦୃଷ୍ଟିରୁ ପୋଲିସ ମଧ୍ୟ ମୁତୟନ ଥିଲେ । ଶୋଭାଯାତ୍ରା ବେଳେ ବିଭିନ୍ନ ପ୍ରକାର ଶ୍ଲୋଗାନ ଦେଇ ମନ୍ତ୍ରୀଙ୍କୁ ଟାର୍ଗେଟ କରି ଜିଲ୍ଲାକୁ ପଛକୁ ନେଇଯାଇଥିବା କହିଥିଲେ । ବିନା ମଦ, ମାଂସ ଟଙ୍କାରେ ଭୋଟ ପାଇପାରିବା ନାହିଁ ବୋଲି କହିଥିଲେ । ଅନୁଷ୍ଠିତ ସଭାରେ ଉପସ୍ଥିତ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ ଯେ, ଭୋଟ ଦେବା ବେଳେ ନିଜର ପିଲାଙ୍କ ମୁହଁକୁ ଚାହିଁ ନୂତନ ଭବିଷ୍ୟତ ଗଠନର ଚିନ୍ତାକରି ଭୋଟ ଦେବାକୁ ଅନୁରୋଧ କରିଥିଲେ । ମଦ, ମାଂସ ଟଙ୍କାକୁ ନ ଦେଖି ଚାଷୀଙ୍କ ସରକାରକୁ ଭୋଟ ଦେବାକୁ ଅନୁରୋଧରେ କହିଥିଲେ । ଅଂଚଳର ଅଧୋପତନକୁ ଦେଖି ସେ ମୁଣ୍ଡରୁ ଓଢଣା ଖୋଲି ତିନି ବର୍ଷର ଝିଅକୁ ଘରେ ଛାଡି ଆଜି ନିର୍ବାଚନ ମଇଦାନରେ ଛିଡା ହୋଇଥିବା କହିଥିଲେ । ଶ୍ରୀ ପୁଜାରୀ ଯେତେବେଳେ ଯୋଗାଣ ମନ୍ତ୍ରୀ ଦାୟିତ୍ଵ ଗ୍ରହଣ କଲେ ସେହି ଦିନଠାରୁ ଅଂଚଳରେ ଚାଷୀମାନଙ୍କ କଷ୍ଟ ଉପାର୍ଜିତ ଧାନକୁ ଶାଗମାଛ ଦରରେ ମଣ୍ଡି ଗୁଡିକରେ କଟନୀ ଛଟନୀ କରି ବିକ୍ରୀର ଆରମ୍ଭ, ଜଳସେଚନ ମନ୍ତ୍ରୀ ହେବା ପରେ କେନାଲ ପାଣିରେ ଅଭାବ ଯୋଗୁଁ ଟେଲ ଅଂଚଳରେ ଚାଷ ଜମି କମି କମି ଯିବା, ସ୍ଵାସ୍ଥ୍ୟମନ୍ତ୍ରୀ ରହି ମଧ୍ୟ ଡାକ୍ତରଖାନାରେ ବିଭିନ୍ନ ପଦବୀ ଖାଲି ରହିବା, ଅବକାରୀ ମନ୍ତ୍ରୀ ହେବା ପରେ ଗାଁ ଗାଁରେ କୁଚିଆ ଦେଶୀ ମଦର ଭାଟି ଖୋଲିଦେଲେ ବୋଲି କହି ସେ ଟାର୍ଗେଟ କରିଥିଲେ । ଶିଳ୍ପ ମନ୍ତ୍ରୀ ହେବା ପରେ ଶିଳ୍ପବିହିନ ଜିଲ୍ଲାର ଏକ ମାତ୍ର ସୂତାକଳର ପୁନଃରୁଦ୍ଧାର ପରିବର୍ତ୍ତେ ସେହି ସୂତାକଳକୁ ବିକ୍ରୀ କରିଦେବାରୁ ଆଜି ଏହି ଅଂଚଳର ଶହ ଶହ ଯୁବକ ଦାଦନ ଖଟି ଚାଲିଯାଉଛନ୍ତି ।
କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଟ୍ରାକ୍ଟର ସମେତ ଅଂଚଳରୁ ଶତାଧିକ ଚାଷୀ ଉପସ୍ଥିତ ଥିଲେ ।