-
ମୋଟ୍ ଗିରଫଦାରୀ ସଂଖ୍ୟା ୭କୁ ବୃଦ୍ଧି
ବାଲେଶ୍ଵର, ମନ୍ଦିରରୁ ଲୁଟ୍ କରୁଥିବା ଗ୍ୟାଙ୍ଗ ର ଆଉ ୩ ଜଣଙ୍କୁ ଗିରଫ କରିଛି ପୋଲିସ । ମାମଲାରେ ମୋଟ୍ ଗିରଫଦାରୀ ସଂଖ୍ୟା ୭କୁ ବୃଦ୍ଧି ପାଇଛି । ଗିରଫ ଅଭିଯୁକ୍ତ ମାନଙ୍କ ନିକଟରୁ ପିତଳ ମୂର୍ତି, ରୂପା ଅଳଙ୍କାର ସମେତ ଅନ୍ୟାନ୍ୟ ମୂଲ୍ୟବାନ୍ ସାମଗ୍ରୀ ଜବତ ହୋଇଛି । ଜବତ ସାମଗ୍ରୀର ମୂଲ୍ୟ ପ୍ରାୟ ୬ ଲକ୍ଷ ଟଙ୍କା ହେବ ।
ଗତ ୫ ତାରିଖରେ ଚାନ୍ଦିପୁର ଓ ସଦର ଥାନାରେ ଯେଉଁ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭିତି କରି ପୋଲିସ ଚଢ଼ଉ କରି ଏହି ତିନି ଅଭିଯୁକ୍ତଙ୍କୁ ଧରିଛି । ଏମାନେ ଚୋରି ସାମଗ୍ରୀକୁ କିଣୁଥିଲେ । ବାଲେଶ୍ଵର ଓ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ମନ୍ଦିରରୁ ଏହି ଗ୍ୟାଙ୍ଗ ଚୋରି କରୁଥିଲା । ବିଶେଷ କରି ଜନ ବସତି ଠାରୁ ଦୂରରେ ଥିବା ମନ୍ଦିର ଓ ସିସିଟିଭି ବ୍ୟବସ୍ଥା ନଥିବା ମନ୍ଦିରକୁ ଏହି ଗ୍ୟାଙ୍ଗ ଟାର୍ଗେଟ୍ କରୁଥିଲା । ଜିଲ୍ଲା ଗୁଇନ୍ଦା ବିଭାଗ ସେମାନଙ୍କ ଉପରେ ଦୀର୍ଘଦିନ ଧରି ନଜର ରଖିଥିଲା । ଶେଷରେ ସେମାନଙ୍କୁ ଧରିବାରେ ସଫଳ ହୋଇଛି । ବାଲେଶ୍ଵର ଜିଲ୍ଲାରେ ସମୁଦାୟ ୧୯ଟି ମନ୍ଦିର ଚୋରି ମାମଲାରେ ଚୋରି ଯାଇଥିବା ୮୦ ପ୍ରତିଶତ ଜିନିଷ ମିଳିଯାଇଛି । ଏହା ବ୍ୟତୀତ ୬ଟି ମନ୍ଦିରରୁ ଚୋରି ମାମଲାର ତଦନ୍ତ ଚାଲିଥିବା ନେଇ କହିଛନ୍ତି ବାଲେଶ୍ଵର ଏସପି ସାଗରିକା ନାଥ ।
ଏନେଇ ଅଧିକ ସୂଚନା ଦେଇ ସେ କହିଛନ୍ତି ଯେ, ଗତ ୫ ତାରିଖରେ ଚାନ୍ଦିପୁର ଓ ସଦର ଥାନାରେ ଯେଉଁ ଦୁଇଟି ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭିତି କରି ପୋଲିସ ମାମଲା ରୁଜ୍ଜୁ କରିବା ସହ ୨୪ ଘଂଟା ମଧ୍ୟରେ ୪ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିଲା । ଗତକାଲି ସେମାନଙ୍କୁ ରିମାଣ୍ଡରେ ଆଣି ପଚରା ଉଚରା ପରେ ଅନ୍ୟ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ମାମଲାରେ ମୋଟ୍ ଗିରଫଦାରୀ ସଂଖ୍ୟା ୭ରେ ପହଂଚିଛି । ସମସ୍ତ ଅଭିଯୁକ୍ତଙ୍କୁ ଆଜି କୋର୍ଟଚାଲାଣ କରାଯାଇଛି ।