ଭୁବନେଶ୍ୱର, ଆସନ୍ତା ୨ ଦିନ ରାଜ୍ୟରେ କିଛି ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ଫଳରେ ତାତିରୁ ଆଶ୍ୱସ୍ତି ମିଳିପାରେ । ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଦୁଇ ଦିନ ସ୍ପଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଏହାସହ ସ୍ଥାନେ ସ୍ଥାନେ କୁଆ ପଥର ବର୍ଷା ସହ ପବନର ବେଗ ଘଂଟା ପ୍ରତି ୪୦ରୁ ୫୦ କିମି ରହିପାରେ ।
୭ରୁ ୮ ତାରିଖ ମଧ୍ୟରେ ଅନୁଗୁଳ, ନୟାଗଡ,ଢେଙ୍କାନାଳ, କଟକ, ଯାଜପୁର,କେନ୍ଦୁଝର, ମୟୁରଭଂଜ ଓ ବାଲେଶ୍ୱର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘଡଘଡି, ବିଜୁଳି ସହ କୁଆପଥର ବର୍ଷା ହେବାର ସମ୍ଭାବନା ରହିଛି । ସେଥିପାଇଁ ଏହି ଜିଲ୍ଲାଗୁଡିକୁ ଅରେଂଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏହାସହ ସୁନ୍ଦରଗଡ, ଦେବଗଡ, ଝାରସୁଗୁଡା, ବରଗଡ, ସୋନପୁର, ବୌଦ୍ଧ ଓ ସମ୍ବଲପୁର ଜିଲ୍ଲାକୁ ଘଡଘଡି ସହ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ସେହିପରି ୮ରୁ ୯ ତାରିଖ ମଧ୍ୟରେ ମୟୁରଭଂଜ,କେନ୍ଦୁଝର,ଅନୁଗୁଳ,ଦେବଗଡ, ସମ୍ବଲପୁର,ସୋନପୁର,ନୟାଗଡ, ଗଂଜାମ,କନ୍ଧମାଳ, ଗଜପତି, ରାୟଗଡା ଓ କଳାହାଣ୍ଡି ଜିଲ୍ଲାରେ ଘଡଘଡି ବିଜୁଳି ସହ ବର୍ଷା ହେବାର ସମ୍ଭାବନା ରହିଛି । ଏହାସହ ୩୦ରୁ ୪୦ କିମି ବେଗରେ ପବନ ବହିପାରେ । ଏଥିପାଇଁ ଏହି ଜିଲ୍ଲାଗୁଡିକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।