-
ବିଜେଡି ଓ ବିଜେପିର ପ୍ରାର୍ଥୀତ୍ତ୍ୱ କୁ ନେଇ ଅପେକ୍ଷା ।
-
ସ୍ୱାଧୀନ ପ୍ରାର୍ଥୀ ବଡ଼ଳାଇପାରନ୍ତି ରାଜନୈତିକ ସମିକରଣ ।
ବଲାଣି, ରାଜ୍ୟରେ ନିର୍ବାଚନ ବିଗୁଲ ବାଜିଯାଇଥିବା ବେଳେ ବିଭିନ୍ନ ଦଳ ଉଭୟ ଲୋକସଭା ଓ ବିଧାନସଭା ନିମନ୍ତେ ପର୍ଯ୍ୟାୟକ୍ରମେ ପ୍ରାର୍ଥୀ ଘୋଷଣା ଆରମ୍ଭ କରିଛନ୍ତି । କେନ୍ଦୁଝର ଲୋକସଭା ଆସନ ପାଇଁ ପ୍ରମୁଖ ଦୁଇ ଦଳ ବିଜେଡି ଓ ବିଜେପି ନିଜ ନିଜ ପ୍ରାର୍ଥୀ ଘୋଷଣା କରିବା ପରେ ଲୋକସଭା ଆସନ ପାଇଁ ପ୍ରାର୍ଥୀତ୍ତ୍ୱ କୁ ନେଇ ଚାଲିଥିବା ଆଲୋଚନାର ଅନ୍ତ ଘଟିଛି । ବିଜେପି ଲୋକସଭା ଆସନ ନିମନ୍ତେ ଅନନ୍ତ ନାଏକଙ୍କୁ ପ୍ରାର୍ଥୀ ଭାବରେ ଚୟନ କରିଥିବା ବେଳେ ବିଜେଡି ଗତ ନିର୍ବାଚନରେ ୬୬୨୦୩ ଭୋଟ ଅନ୍ତରରେ ବିଜୟୀ ହୋଇଥିବା ଚନ୍ଦ୍ରାଣୀ ମୁର୍ମୁଙ୍କୁ ବଦଳାଇ ଧନୁର୍ଜୟ ସିଦ୍ଧୁଙ୍କୁ ଚଳିତ ନିର୍ବାଚନ ନିମନ୍ତେ ନିଜର ପ୍ରାର୍ଥୀ ଭାବରେ ଘୋଷଣା କରିଛି । ତେବେ ଯଦି ଅଣ ସଂରକ୍ଷିତ ଚମ୍ପୁଆ ବିଧାନସଭା ନିର୍ବାଚନ ମଣ୍ଡଳୀ କଥା କହିବା ଏହା ଏକଦା କଂଗ୍ରେସ ର ଗଡ଼ ରହି ଆସିଥିଲା । ପରେ ବିଜେଡି ଏହି ଆସନ ପ୍ରତି ଅଣଦେଖା କରିବା ପରେ ସ୍ୱାଧୀନ ଭାବରେ ନିର୍ବାଚନ ଲଢ଼ି ବିଜୟ ହାସଲ କରିଥିବା ଏଠିକାର ଶିଳ୍ପପତିଙ୍କ କବଜା ରେ ରହି ଆସିଥିଲା । ୨୦୦୯ ମସିହାରେ ସିପିଆଇ ସହିତ ବିଜେଡିର ମେଣ୍ଟ ହୋଇଥିବାରୁ ଏହି ଆସନଟିକୁ ବିଜେଡି ସିପିଆଇ ହାତକୁ ଟେକି ଦେଇଥିଲା । ଯେଉଁଥିରେ ବିଦ୍ୟାଧର ମହାନ୍ତ ବିଜେଡିର ସମର୍ଥନ ଥାଇ ମଧ୍ୟ ସେପରି କିଛି ଭଲ ପ୍ରଦର୍ଶନ କରିବାରେ ବିଫଳ ହୋଇଥିଲେ । ଉକ୍ତ ନିର୍ବାଚନରେ ଶିଳ୍ପପତି ଜିତୁ ପଟ୍ଟନାୟକ ନିକଟତମ କଂଗ୍ରେସ ପ୍ରାର୍ଥୀ ତଥା ଶିଳ୍ପପତି ସନାତନ ମହାକୁଡ଼ଙ୍କ ଠାରୁ ମାତ୍ର ୧୪୫ ଭୋଟ ବ୍ୟବଧାନରେ ବିଜୟ ହାସଲ କରିଥିଲେ । ୨୦୧୪ ନିର୍ବାଚନରେ ବିଜେଡି ଉକ୍ତ ବିଧାନସଭା ଆସନକୁ ପୁନଃ ଅଣଦେଖା କରି ସ୍ଥାନୀୟ ନେତୃତ୍ତ୍ୱ ଉପରେ ଭରଷା ନକରି ଓଡ଼ିଆ ସିନେ କଳାକାର ତଥା ହାସ୍ୟାଭିନେତା ତତ୍ତ୍ୱପ୍ରକାଶ ଶତପଥୀ(ପପୁ ପମପମ) କୁ ନିଜର ପ୍ରାର୍ଥୀ ଭାବରେ ଆଣିଥିବା ବେଳେ ଏହି ନିର୍ବାଚନରେ ଚମ୍ପୁଆ ମତଦାତା ବିଜେଡିର ଏପରି ବିଚାରକୁ ଗ୍ରହଣ ନକରି ସ୍ୱାଧୀନ ଭାବରେ ନିର୍ବାଚନ ଲଢ଼ିଥିବା ସନାତନ ମହାକୁଡ଼ଙ୍କୁ ବିପୁଳ ଭୋଟରେ ବିଜୟୀ କରିଥିଲେ । ଏହି ନିର୍ବାଚନରେ ବିଜେଡିର ପପୁ ପମପମ ମାତ୍ର ୧୦୨୩୩ ଭୋଟ ପାଇଥିବା ବେଳେ ସନାତନ ମହାକୁଡ଼ ନିଜର ନିକଟତମ ପ୍ରତିଦ୍ବନ୍ଦୀ ତଥା ସ୍ଥାନୀୟ ଅଞ୍ଚଳର ଅନ୍ୟତମ ଶିଳ୍ପପତି କୁଶ ଆପଟ ଠାରୁ ୧୪୬୭୮ ଭୋଟ ବ୍ୟବଧାନରେ ବିଜୟ ହାସଲ କରିଥିଲେ । ସେହି ପରି ୨୦୧୯ ସାଧାରଣ ନିର୍ବାଚନରେ ସନାତନ ମହାକୁଡ଼ଙ୍କ ଆନୁଗତ କୁହାଯାଉଥିବା ମିନାକ୍ଷୀ ମହାନ୍ତଙ୍କୁ ବିଜେଡି ପ୍ରାର୍ଥୀ ଭାବରେ ନିର୍ବାଚନ ରଣାଙ୍ଗନରେ ପାରମ୍ପାରିକ ପ୍ରତିଦ୍ବନ୍ଦୀ ବିଜେପିର ଡା. ମୁରଲୀ ମନୋହର ଶର୍ମାଙ୍କ ବିରୋଧରେ ଓହ୍ଲାଇଥିବା ବେଳେ ସନାତନ ମହାକୁଡ଼ଙ୍କ ଲୋକପ୍ରିୟତା ଯୋଗୁଁ ବିଜେଡିର ମିନାକ୍ଷୀ ମହାନ୍ତ ୮୯୫୨୫ ଭୋଟ ପାଇ ୨୬୪୦୮ ଖଣ୍ଡ ଭୋଟ ବ୍ୟବଧାନରେ ବିପୁଳ ବିଜୟ ଲାଭ କରିଥିଲେ । ତେବେ ଚଳିତ ନିର୍ବାଚନ ନିମନ୍ତେ ଚମ୍ପୁଆ ବିଧାନ ସଭା ମଣ୍ଡଳୀ ନିମନ୍ତେ ବିଜେପି ଡା ମୁରଲୀ ମନୋହର ଶର୍ମାଙ୍କୁ ପୁନଃ ପ୍ରାର୍ଥୀ ଭାବରେ ଟିକେଟ ଦେଇପାରେ ବୋଲି ଆଲୋଚନା ହେଉଛି । ତେବେ ବିଜେଡିରେ ଚମ୍ପୁଆ ନିର୍ବାଚନ ମଣ୍ଡଳୀ ନିମନ୍ତେ ଅନେକ ହେଭିୱେଟ୍ ଆଶାୟୀ ନେତା ରହିଥିବା ବେଳେ ନିର୍ବାଚନ ସମୟରେ ବିଜେଡି ପାଇଁ ଏହା ଅଡ଼ୁଆ ସୃଷ୍ଟି କରିବ ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି । ବିଜେଡି ତା”ର ପ୍ରଥମ ଓ ଦ୍ଵିତୀୟ ପର୍ଯ୍ୟାୟରେ ପ୍ରାର୍ଥୀ ଘୋଷଣାରେ ଅନେକ ପ୍ରାର୍ଥୀଙ୍କୁ ପୁନର୍ବାର ଦୋହରାଇଥିବା ବେଳେ ସେ ଦୃଷ୍ଟିରୁ ମିନାକ୍ଷୀ ମହାନ୍ତ ପୁନଃ ପ୍ରାର୍ଥୀ ପତ୍ର ପାଇବେ ବୋଲି ମିନାକ୍ଷୀ ମହାନ୍ତ ଗୋଷ୍ଠୀ ଆଶା ରଖିଛନ୍ତି । ଅନ୍ୟପକ୍ଷରେ ସନାତନ ମହାକୁଡ଼ ପ୍ରତ୍ୟେକ୍ଷ ଭାବରେ ଚଳିତ ନିର୍ବାଚନରେ ମଇଦାନକୁ ଓହ୍ଲାଇବାକୁ ଅନୌପଚାରିକ ଘୋଷଣା କରିବା ପରେ ରାଜନୈତିକ ସମିକରଣ ଏକ ପ୍ରକାର ବଦଳି ଯାଇଛି । ସନାତନ ମହାକୁଡ଼ଙ୍କ ଗ୍ରହଣୀୟତା ସାଧାରଣ ଜନତା ପାଖରେ ଅଧିକ ରହିଥିବା ଦୃଷ୍ଟିରୁ ଯଦି ବିଜେଡି ସନାତନ ମହାକୁଡ଼ଙ୍କୁ ଟିକେଟ ନଦିଏ ତେବେ ସେ ବିଜେଡି ପାଇଁ ଅଡ଼ୁଆ ସୂତା ସଦୃଶ ସମସ୍ୟା ସୃଷ୍ଟି କରିବାର ସମ୍ଭାବନା ରହିଛି । ଏହା ବ୍ୟତୀତ ଏହି ଧାରରେ କୁଶ ଆପଟ ମଧ୍ୟ ବିଜେଡି ଟିକେଟ ପାଇବାର ମୁଖ୍ୟ ଦାବିଦାର ଭାବରେ ପରିଗଣିତ ହେଉଥିବା ବେଳେ ବିଜେଡି ନିଜର ପରିଷ୍କାର ଛବିକୁ ବଜାୟ ରଖିବାକୁ ଉଭୟ ହେଭିୱେଟ୍ ନେତା ସନାତନ ମହାକୁଡ଼ ଓ କୁଶ ଆପଟଙ୍କୁ ବର୍ତ୍ତମାନ ସୁଦ୍ଧା ପ୍ରାର୍ଥୀ କରି ନାହିଁ । ତେବେ ପୂର୍ବରୁ କୁଶ ଆପଟ ଦଳର ନିର୍ଣ୍ଣୟକୁ ହତାଦର କରି ସ୍ୱାଧୀନ ଭାବରେ ନିର୍ବାଚନ ଲଢ଼ିଥିବାରୁ ଦଳ ପ୍ରାଥମିକ ପଦରୁ ବହିଷ୍କାର କରିଥିଲା ତେବେ ତାଙ୍କର ବହିଷ୍କାରକୁ ପରେ ଦଳ ପ୍ରତ୍ୟାହାର କରିନେଇଥିଲା । ତେବେ ଚମ୍ପୁଆ ବିଧାନସଭାରେ ଚଳିତ ନିର୍ବାଚନରେ ବିଜେଡି ଓ ବିଜେପି ମଧ୍ୟରେ ଦ୍ଵିମୁଖୀ ପ୍ରତିଦ୍ବନ୍ଦିତା ହେବାର ସମ୍ଭାବନା ରହିଥିବା ବେଳେ ଉଭୟ ଦଳ ନିଜ ନିଜର ପ୍ରାର୍ଥୀ ଘୋଷଣା ପରେ ପ୍ରକୃତ ଛବି ସମ୍ମୁଖକୁ ଆସିବ ବୋଲି ଜନ ସାଧାରଣରେ ଆଲୋଚନା ହେଉଛି ।