ଭୁବନେଶ୍ୱର, ୫-ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କ ସୁରକ୍ଷା ସଂପର୍କିତ ଆରଟିଆଇ କପିକୁ ଜାଲ୍ ବୋଲି କହିଛନ୍ତି ପୋଲିସ କମିଶନର ସଞ୍ଜିବ ପଣ୍ଡା । ସାମ୍ବାଦିକ ସମ୍ମିଳନୀରେ ସିପି କହିଛନ୍ତି- ଆମ ପକ୍ଷରୁ ଏଭଳି କୌଣସି ଡକ୍ୟୁମେଂଟ ଦିଆଯାଇନି । ଅନ୍ୟପକ୍ଷରେ ମିଳିଥିବା କାଗଜର ଫରେନସିକ୍ ଯାଂଚ ହେଉ, ସତ୍ୟାସତ୍ୟ ଜଣାପଡ଼ିବ ବୋଲି କହିଛନ୍ତି ଆରଟିଆଇ କର୍ମୀ ।
ପୋଲିସ କମିଶନର ସଞ୍ଜିବ ପଣ୍ଡା କହିଛନ୍ତି ସୂଚନା ଅଧିକାର କର୍ମୀ ଫେକ୍ ଡକ୍ୟୁମେଂଟ ଦେଖାଇ ପ୍ରେସମିଟ୍ କରିଥିଲେ । ସୂଚନା ଅଧିକାର କର୍ମୀଙ୍କ ନାଁରେ ମାମଲା ରୁଜୁ ହୋଇ ତଦନ୍ତ ଚାଲିଛି । ପାଣ୍ଡିଆନଙ୍କ ସୁରକ୍ଷାରେ ୭୪ ଜଣ ପୁଲିସ କର୍ମଚାରୀଙ୍କ ସହ ଗୋଟିଏ ଗାଡ଼ି ମଧ୍ୟ ଗୃହ ବିଭାଗ ଯୋଗାଇ ଦେଇଥିବା ଆରଟିଆଇ ତଥ୍ୟ ମିଳିଥିବା ରାଜ୍ୟ ସୂଚନା ଅଧିକାରଅଭିଯାନ – ଓସା ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଥିଲା ।
ଏ ତଥ୍ୟ କମିଶନରେଟ୍ ପୁଲିସର ରିଜର୍ଭ ପୁଲିସ ଅଫିସ୍ ରୁ ମିଳିଥିବା ଦର୍ଶାଇଥିଲା ଓସା । ତେବେ ସେଭଳି କୌଣସି ଡକ୍ୟୁମେଂଟ ଦିଆଯାଇ ନାହିଁ ବୋଲି ଆଜି ସିପି ସ୍ପଷ୍ଟ କରିଛନ୍ତି ।
ଅନ୍ୟପକ୍ଷରେ ଆରଟିଆଇ କର୍ମୀ ପ୍ରଦୀପ ପ୍ରଧାନ ଓ ପ୍ରକାଶ ଦାସ କହିଛନ୍ତି ପୋଲିସ୍ ରୁଜୁ କରିଥିବା ମାମଲା ଉଦ୍ଦେଶ୍ୟମୂଳକ ଓ ସ୍ୱର ଚପାଇବାକୁ ଚକ୍ରାନ୍ତ । ଆମେ ପାଇଥିବା ଡକ୍ୟୁମେଂଟ ସଂପୂର୍ଣ୍ଣ ସତ୍ୟ ଓ ସରକାରୀ ଦସ୍ତାବିଜ୍ । ମିଳିଥିବା କାଗଜର ଫରେନସିକ୍ ଯାଂଚ ହେଉ, ସତ୍ୟାସତ୍ୟ ଜଣାପଡ଼ିବ ।ରିଜର୍ଭ ଇନ୍ସପେକ୍ଟରଙ୍କ ଠାରୁ କାଗଜ ଆଣିଛି କି ନାହିଁ ସିସିଟିଭି ଯାଂଚ ହେଉ ବୋଲି ସେମାନେ ଦାବି କରିଛନ୍ତି ।