
ଗଞ୍ଜାମ, ଗଞ୍ଜାମ ଜିଲ୍ଲା ତଥା ଦକ୍ଷିଣ ଓଡିଶାର ଇଷ୍ଟଦେବୀ ମାଁ ତାରା ତାରିଣୀଙ୍କ ଚୈତ୍ର ମାସ ଦ୍ଵିତୀୟ ମଙ୍ଗଳବାର ଯାତ୍ରା କୁମାରୀ ପାହାଡ଼ ପୀଠରେ ଆଜି ଲକ୍ଷାଧିକ ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମ ହୋଇଛି । ଆଜି ମଧ୍ୟ ରାତିପରେ ମାଙ୍କ ଦୁଆର ଫିଟା, ମଙ୍ଗଳ ଆଳତି ଶୃଙ୍ଗାର ଓ ବେଶସଜ୍ଜା ପରେ ଶ୍ରଦ୍ଧାଳୁ ଦର୍ଶନାର୍ଥୀମାନେ ଧାଡ଼ିରେ ମନ୍ଦିରକୁ ଯାଇ ମା ଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରୁଛନ୍ତି । ହଜାର ହଜାର ଶିଶୁଙ୍କୁ ମୁଣ୍ଡନ କରାଯାଇ ଶିଶୁଙ୍କ ପ୍ରଥମ କେଶ ମା ଙ୍କ ଉଦ୍ଦେଶ୍ୟରେ ସମର୍ପଣ କରି ସେମାନଙ୍କ ଶିଶୁଙ୍କ ସୁସ୍ଥ ଓ ଦୀର୍ଘ ଜୀବନ ପାଇଁ ମା ଙ୍କ ଠାରେ କାମନା ଓ ପ୍ରାର୍ଥନା କରି ପାହାଡ଼ ପାଦଦେଶରେ ବନ୍ଧୁ ବାନ୍ଧବ ଓ ଆତ୍ମୀୟ ସ୍ଵଜନ ଗହଣରେ ଭୋଜି ଭାତର ଆସର ଜମାଇଛନ୍ତି । ମନ୍ଦିର ପାଦଦେଶରୁ ପାହାଡ ଉପର ଦେବୀପୀଠ ସ୍ଥଳୀକୁ ଯାତ୍ରୀମାନେ ଯାତାୟତ କରିବାପାଇଁ ପ୍ରାୟ ୩୦ଟି ବସ୍ ର ବ୍ୟବସ୍ଥା ମନ୍ଦିର କର୍ତୃୃପକ୍ଷଙ୍କ ପକ୍ଷରୁ କରାଯାଇଛି ।ଏତତ୍ ବ୍ୟତିତ ପ୍ରାୟ ୯୯୯ଟି ପାହାଚ ଚଢି ଓ ରୋପୱରେ ମଧ୍ୟ ଯାତ୍ରୀମାନେ ମା ପାଖକୁ ଯାତାୟାତ କରୁଛନ୍ତି । ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ପାଇପରେ ଜନସାଧାରଣଙ୍କୁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ଗ୍ରହଣ କରାଯାଇଛି । ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଯାତ୍ରୀଙ୍କୁ ସ୍ଵାସ୍ଥ୍ୟ ସେବା ଯୋଗାଇବା ପଦକ୍ଷେପ ଗ୍ରହଣ କରାଯାଇଛି । ଟ୍ରାଫିକ ଓ ପୁଲିସ୍ ପକ୍ଷରୁ ଯାନବାହାନ ନିୟନ୍ତ୍ରଣ ଓ ଶାନ୍ତି ଶୃଙ୍ଖଳା ପଦକ୍ଷେପ ଗ୍ରହଣ କରାଯାଇଛି । ଜିଲାର ବିଭିନ୍ନ ପ୍ରଶାସନିକ ଅଧିକାରୀମାନେ ଯାତ୍ରା ସ୍ଥଳରେ ଉପସ୍ଥିତ ରହି ସ୍ଥିତି ନିରିକ୍ଷଣ ନିୟନ୍ତ୍ରଣ କରୁଛନ୍ତି । ମା ତାରାତାରିଣୀଙ୍କ ପୂଜାର୍ଚ୍ଚନା ତଥା ଯାତ୍ରା କାର୍ଯ୍ୟକ୍ରମ ବିଳମ୍ବିତ ରାତ୍ର ଯାଏ ଚାଲୁ ରହିବ ବୋଲି ସୂଚନା ମିଳିଛି।