ସମ୍ବଲପୁର, ସମ୍ବଲପୁର ଜିଲ୍ଲା ସୂଚନା ଓ ଲୋକ ସଂପର୍କ ବିଭାଗ ଦ୍ଵାରା ଜିଲ୍ଲା ସ୍ତରୀୟ ”ଓଡ଼ିଶା ଦିବସ” ଚଳିତ ନିର୍ବାଚନ ଆଦର୍ଶ ଆଚରଣ ବିଧି ଅନୁପାଳନ ପୂର୍ବକ ପାଳିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ପରିସରରେ, ସରକାରୀ କର୍ମଚାରୀ, ବୁଦ୍ଧିଜୀବୀ, ଓ ଗଣମାଧ୍ୟମ ପ୍ରତିନିଧିଙ୍କ ଉପସ୍ଥିତିରେ ଓଡ଼ିଶା ଦିବସ ପାଳନର ତାତ୍ପର୍ଯ୍ୟ ଏବଂ ସ୍ଵତନ୍ତ୍ର ଓଡିଶା ପ୍ରଦେଶ ଗଠନ କରିବାରେ ବରପୁତ୍ରମାନଙ୍କର ଅବଦାନ ସ୍ମରଣ କରିବା ଉଦେଶ୍ୟରେ ସମ୍ବଲପୁର ଜିଲ୍ଲା ପ୍ରଶାସନ ତରଫରୁ ଏକ ସାଧାରଣ ସଭା ହୋଇଯାଇଛି । ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ, ମୁଖ୍ୟବକ୍ତା ଭାବେ ଅତିରିକ୍ତ ଜିଲ୍ଲାପାଳ ଅଜାମ୍ବର ମହାନ୍ତି ଓ ସମ୍ମାନୀୟ ଅତିଥି ଭାବେ ଏସ.ଏମ.ସି କମିଶିନର ବେଦ ଭୂଷଣଙ୍କ ସମେତ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଧର୍ମେନ୍ଦ୍ର ମଲ୍ଲିକ ଓ ଅତିରିକ୍ତ ଜିଲ୍ଲାପାଳ ସୂଚାରୁ କୁମାର ବଳ ପ୍ରମୁଖ ଯୋଗଦେଇଥିଲେ ।
ପ୍ରାରମ୍ଭରେ ଓଡିଶା ସ୍ଵତନ୍ତ୍ର ପ୍ରଦେଶ ଗଠନ ପାଇଁ ସଂଗ୍ରାମ କରିଥିବା ବୀରପୁତ୍ରଙ୍କ ଫଟୋ ଚିତ୍ରରେ ଅତିଥିଗଣ ପ୍ରଦୀପ ପ୍ରଜ୍ଵଳନ ଓ ମାଲ୍ୟାର୍ପଣ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ପରେ ପରେ ”ବନ୍ଦେ ଉତ୍କଳ ଜନନୀ” ବନ୍ଦନା ସଙ୍ଗୀତ ସ୍ଥାନୀୟ ଶିଶୁ ମନ୍ଦିର ବିଦ୍ୟାଳୟର କୁନି କୁନି ଛାତ୍ର ଛାତ୍ରୀଙ୍କ ଦ୍ଵାରା ପରିବେଷଣ କରାଯାଇଥିଲା। ମୁଖ୍ୟଅତିଥି ଜିଲ୍ଲାପାଳ ଶ୍ରୀଅଗ୍ରୱାଲ ନିଜ ବକ୍ତବ୍ୟରେ ଓଡିଶାକୁ ଏକ ଉତ୍କର୍ଷ କଳାର ରାଜ୍ୟ ଉତ୍କଳ ବୋଲି କହି ଉନ୍ମୋଦନ କରିଥିଲେ । ଓଡିଶା କଳା ଓ ସଂସ୍କୃତିରେ ବିଶେଷ ଧନଧାନ୍ୟ ବୋଲି ପ୍ରକାଶ କରିଥିଲେ । ପାରମ୍ପାରିକ କଳା ଓ ସଂସ୍କୃତିକୁ ଆଧାର କରି ଓଡିଶାକୁ କିପରି ପ୍ରଗତିର ଶୀର୍ଷ ସ୍ଥାନରେ ପହଞ୍ଚାଯାଇ ପାରିବ ସେ ଦିଗରେ ସମସ୍ତେ ଯତ୍ନବାନ ହେବାପାଇଁ ଆହ୍ବାନ ଦେଇଥିଲେ । ମୁଖ୍ୟବକ୍ତା ତଥା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହାନ୍ତି ନିଜ ଅଭିଭାଷଣରେ ସ୍ବତନ୍ତ୍ର ଓଡ଼ିଶା ଗଠନ ଓ ଏହାର ଭାଷାକୁ ଉଜ୍ଜୀବୀତ ରଖିବା ଦିଗରେ ଓଡ଼ିଶାର ବହୁ ମହାନ ବରପୁତ୍ରମାନଙ୍କ ବଳିଦାନ ପରେ ଆଜି ଆମେ ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ବା ଓଡିଶା ରାଜ୍ୟ ପାଇ ପାରିଛେ ସ୍ମୃତି ରୋମନ୍ଥନ କରିଥିଲେ । ମଞ୍ଚାସୀନ ଅନ୍ଯ ଅତିଥିମାନେ ବର୍ତମାନ ସମୟରେ ଓଡିଆ ଭାଷାରେ ଦେଖାଯାଉଥିବା ସଙ୍କଟର ନିରାକରଣ ଓ ଓଡିଆ ଭାଷାର ମର୍ଯ୍ୟାଦା କିପରି ବଞ୍ଚାଇ ରଖିହେବ ସେ ସମ୍ପର୍କରେ ସୁଚିନ୍ତିତ ମତାମତ ଦେଇଥିଲେ । ବିରୁପାକ୍ଷ ପ୍ରଧାନଙ୍କ ସଂଯୋଜନାରେ ଆୟୋଜିତ ସଭାରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରିଣୀ ସୁଶ୍ରୀ ସଞ୍ଜୁକ୍ତା କୁଲୁ ସ୍ଵାଗତ ଭାଷଣ ଦେଇଥିବା ବେଳେ ଡେପୁଟି କଲେକ୍ଟର ସୁଶ୍ରୀ ରସ୍ନା ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।
ଏହି ଦିବସ ପାଳନର ପ୍ରାରମ୍ଭରେ ସକାଳ ସାଢେ ୬ଟା ବେଳେ ଜିଲ୍ଲାପାଳ ଶ୍ରୀ ଅଗ୍ରୱାଲ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଅଜାମ୍ବର ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ସୂଚାରୁ କୁମାର ବଳ , ଏସ.ଏମ.ସି କମିଶିନର ବେଦ ଭୂଷଣ ଓ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଧର୍ମେନ୍ଦ୍ର ମଲ୍ଲିକ ଜିଲ୍ଲାର ବିଭିନ୍ନ ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ।