
ଚମ୍ପୁଆ, ସରାସପଶି ଗ୍ରାମକୁ ରହିଛି ତିନୋଟି ରାସ୍ତା। ତା ମଧ୍ୟରୁ ଗୋଟିଏ ରାସ୍ତା ଜାତୀୟ ରାଜପଥକୁ ସଂଯୋଗ କରୁଥିବା ବେଳେ ଏହି ରାସ୍ତା ମଧ୍ୟ ଦେଇ ବ୍ଲକ କାର୍ଯ୍ୟାଳୟକୁ ଯିବା ଆସିବା ପାଇଁ ହେଲେ ଅଧିକ ୧୫ କିଲୋମିଟର ବୁଲିବାକୁ ପଡେ । ତାହା ପୁଣି ଅନ୍ୟ ବ୍ଲକ, ପଞ୍ଚାୟତର ଅଞ୍ଚଳ ମଧ୍ୟ ଦେଇ। ଅନ୍ୟ ଦୁଇ ରାସ୍ତା ମଧ୍ୟରୁ ଗୋଟିଏ ସିଧାସଳଖ ପଞ୍ଚାୟତ କାର୍ଯ୍ୟାଳୟକୁ ସଂଯୋଗ କରୁଥିବା ବେଳେ ଅନ୍ୟଟି ବ୍ଲକ କାର୍ଯ୍ୟାଳୟକୁ ସଂଯୋଗ କରେ। ତେବେ ଏହି ଦୁଇ ରାସ୍ତାର ଦୟନୀୟତା ନିଜ ଆଖିରେ ନ ଦେଖିଲେ ବିଶ୍ଵାସ କରି ହେବନାହିଁ। ରାସ୍ତା ସାରା ବିରାଟ ବିରାଟ ଖାଲ ଯାତାୟାତରେ ସମସ୍ୟା ସୃଷ୍ଟି କରୁଥିବା ବେଳେ ସାମାନ୍ୟ ବର୍ଷାରେ ଏହି ରାସ୍ତାରେ ଗାଡ଼ିରେ ଯିବା ତ ଦୂରର କଥା ପାଦରେ ଯିବାଆସିବା ମଧ୍ୟ ଅସମ୍ଭବ ହୋଇପଡେ। ଦୀର୍ଘ ବର୍ଷ ହେବ ଏହି ଦୁଇ ରାସ୍ତାରେ ମାଟି ମୁଠେ ପଡି ନ ଥିବା ବେଳେ ବର୍ଷା ହେଲେ ଗ୍ରାମ ବାସୀ ୧୫ କିଲୋମିଟର ବୁଲି ଜାତୀୟ ରାଜପଥ ମଧ୍ୟ ଦେଇ ଯିବା ଆସିବା କରିବାକୁ ବାଧ୍ୟ ହେଉଛନ୍ତି। ଚମ୍ପୁଆ ବ୍ଲକ ଅନ୍ତର୍ଗତ ସୁନାପଶି ପଞ୍ଚାୟତର ସରାଶପଶି ଗ୍ରାମର ଏହି ଦୁର୍ଦ୍ଦଶା ଏବେ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷକୁ ପୁଞ୍ଜିଭୂତ କରିବାରେ ଲାଗିଛି। ଗାଁରୁ ପଞ୍ଚାୟତକୁ ସଂଯୋଗ କରୁଥିବା ଯୋଡ଼ାପୋଖରୀ ମଧ୍ୟ ଦେଇ ଜଙ୍ଗଲିଆ ରାସ୍ତାର ଅବସ୍ଥା ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଥିବା ବେଳେ ଗାଁ ରୁ ବ୍ଲକ କାର୍ଯ୍ୟାଳୟ କୁ ସଂଯୋଗ କରୁଥିବା କୋଦଗାଡିଆ ମଧ୍ୟ ଦେଇ ଯାଇଥିବା ମାଟି ରାସ୍ତାର ଅବସ୍ଥା ନ କହିବା ଭଲ। ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ ଏହି ଦୁଇ ରାସ୍ତାରେ ସ୍ବାଧୀନତା ପର ଠାରୁ ମାଟି ମୁଠେ ପଡି ନଥିବାରୁ ଖରା ଦିନେ ଗ୍ରାମବାସୀ ଯେନତେନ ପ୍ରକାରେ ଯିବାଆସିବା କରୁଥିବା ବେଳେ ବର୍ଷା ହେଲେ ୧୫ କିଲୋମିଟର ଦୂର ବୁଲି ଝୁମ୍ପୁରା ବ୍ଲକର ନାରଦ ପୁର ମଧ୍ୟ ଦେଇ ଯିବାଆସିବା କରିବାକୁ ବାଧ୍ୟ ହେଉଛନ୍ତି। ଯାହାକୁ ନେଇ ଗ୍ରାମରେ ଅସନ୍ତୋଷ ପୁଞ୍ଜିଭୂତ ହୋଇସାରିଛି।