ଚମ୍ପୁଆ,ଗାଁ ମୁଣ୍ଡରେ ନିର୍ମାଣ ହୋଇଛି ବସୁଧା ଯୋଜନା ପାନୀୟ ଜଳ ଯୋଗାଣ ପାଣି ଟାଙ୍କି। ମାତ୍ର ସାହିକୁ ସଂଯୋଗ ହୋଇନାହିଁ ପାଣି ପାଇପ୍। ଯାହାରି ପାଇଁ ପାଇପ୍ ପାଣି ଯୋଗାଣରୁ ବଞ୍ଚିତ ହୋଇଛନ୍ତି ୩୦ ରୁ ଅଧିକ ଆଦିବାସୀ ପରିବାର। ପାଣି ପାଇଁ ସାହିରେ ବସିଥିବା ଏକମାତ୍ର ନଳକୂପ ସାହି ବାସୀଙ୍କ ଆବଶ୍ୟକତା ପୂରଣ କରିପାରୁନଥିବା ବେଳେ ପାଇପ୍ ପାଣି ସଂଯୋଗ ପାଇଁ ଏକାଧିକ ବାର ପ୍ରଶାସନର ଦ୍ବାରସ୍ଥ ପରେ ମଧ୍ୟ ତାଙ୍କ କଥା କେହି ଗୁରୁତ୍ବ ଦେଉ ନ ଥିବାରୁ ଆଗାମୀ ନିର୍ବାଚନରେ ଭୋଟ ବର୍ଜନ ନିଷ୍ପତି ନେଇଛନ୍ତି ସାହିବାସୀ। ଚମ୍ପୁଆ ବ୍ଲକ ଅନ୍ତର୍ଗତ ସୁନାପଶି ପଞ୍ଚାୟତର ଗିରିଧାରିପୁର ପଡିଆ ସାହିର ଏହି ଦୁର୍ଦ୍ଦଶା ଏବେ ସାହି ବାସୀଙ୍କୁ ଭୋଟ ବର୍ଜନ ନିଷ୍ପତି ନେବାକୁ ବାଧ୍ୟ କରିଛି। ସୂଚନାଯୋଗ୍ୟ କି କେନ୍ଦୁଝର ଜିଲ୍ଲାର ସମସ୍ତ ଅଞ୍ଚଳକୁ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଇ ଦେବା ଲକ୍ଷ୍ୟରେ ଚମ୍ପୁଆ ବ୍ଲକ ଅନ୍ତର୍ଗତ କୋଦଗାଡିଆ ପଞ୍ଚାୟତ ଅନ୍ତର୍ଗତ ମିରିଗିସିଙ୍ଗାରେ ବସୁଧା ଯୋଜନାରେ ଏକ ବୃହତ ମେଗା ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ ସରିଛି। ଏହି ପ୍ରକଳ୍ପରୁ ପ୍ରତି ଗ୍ରାମକୁ ପାଣି ଯୋଗାଣ ଲକ୍ଷ ରଖାଯାଇ ପ୍ରତି ପଞ୍ଚାୟତରେ ଗୋଟିଏ ଲେଖାଏଁ ପାଣି ଟାଙ୍କି ନିର୍ମାଣ ସରି ବ୍ଲକର ଅଧିକାଂଶ ଗ୍ରାମକୁ ପାଣି ଯୋଗାଣ ମଧ୍ୟ ଆରମ୍ଭ ହୋଇଯାଇଛି।ଏହି ମେଗା ପ୍ରକଳ୍ପର ମାତ୍ର କେଇ କିଲୋମିଟର ଦୂର ଗିରିଧାରୀପୁର ପଡିଆ ସାହିକୁ ଏହି ଯୋଜନାରୁ ବଞ୍ଚିତ ରଖାଯାଇଛି। ଗିରିଧାରୀପୁର ଗ୍ରାମର ତିନୋଟି ସାହି ମଧ୍ୟରୁ ଦୁଇଟି ସାହିରେ ଗାଁ ମୁଣ୍ଡରେ ନିର୍ମାଣ ହୋଇଥିବା ପାଣି ଟାଙ୍କିରୁ ଅନବରତ ପାଣି ଯୋଗାଇ ଦିଆଯାଉଥିବା ବେଳେ ପଡିଆ ସାହିର ୩୦ ପରିବାରକୁ ଏହି ଯୋଜନାରୁ ବଞ୍ଚିତ ରଖାଯାଇଥିବା ପଛର ରହସ୍ୟ ଜଣା ପଡ଼ୁନାହିଁ। ତେବେ ଲୋକଙ୍କୁ ପାଇପ ପାଣି ଯୋଗାଣ ପାଇଁ ଗ୍ରାମର ପ୍ରତି କାନ୍ଥ ବାଡ଼ରେ ସୂଚନା ଫଳକରେ ସୂଚନା ଦିଆଯାଇଛି। ଏହି ପଡିଆ ସାହିର ବାସିନ୍ଦା ଗୋଟିଏ ମାତ୍ର ନଳକୂପରେ ନିଜର ପାଣି ଆବଶ୍ୟକତା ମେଣ୍ଟାଇ ଚାଲିଥିବା ବେଳେ ଆଗକୁ ଗ୍ରୀଷ୍ମ ପ୍ରବାହରେ ପାଣି ସମସ୍ୟା ସୃଷ୍ଟି ହେବା ଆଶଙ୍କାରେ ଚିନ୍ତିତ ହୋଇପଡିଛନ୍ତି। ତେବେ ପାଣି ପାଇପ୍ ସଂଯୋଗ ପାଇଁ ଏକାଧିକବାର ପ୍ରଶାସନର ଦ୍ବାରସ୍ଥ ହେବା ପରେ ମଧ୍ୟ ପ୍ରଶାସନ ଏମାନଙ୍କ ହକ କୁ ଗୁରୁତ୍ବ ଦେଉ ନ ଥିବାରୁ ଗ୍ରାମବାସୀ ଆଗାମୀ ନିର୍ବାଚନରେ ଭୋଟ ବର୍ଜନ କରିବେ ବୋଲି ନିଷ୍ପତି ନେଇଥିବା କହିଛନ୍ତି। ଏ ସମ୍ପର୍କରେ ସୁନାପୋଷି ସରପଞ୍ଚ ସଞ୍ଚିତା ଚାତାରଙ୍କୁ ପଚାରିବାରୁ ବସୁଧା ଯୋଜନା ଏ ଯାଏଁ ପଞ୍ଚାୟତକୁ ଦାୟିତ୍ୱ ଦିଆଯାଇନାହିଁ। ତାହା ଗ୍ରାମ୍ୟ ପରିମଳ ଜଳ ଯୋଗାଣ ବିଭାଗ ଦାୟିତ୍ୱରେ ରହିଛି। ତେବେ ଗ୍ରାମକୁ କାହିଁକି ପାଣି ଯୋଗାଇ ଦି ଯାଇନାହିଁ ସେକଥା ମୁଁ କହି ପାରିବି ନାହିଁ ବୋଲି କହିଥିଲେ।
Related Stories
November 21, 2024
November 21, 2024