
ମାଲକାନଗିରି, ମାଲକାନଗିରି ଜିଲ୍ଲାର କେନ୍ଦ୍ରୀୟ ବିଦ୍ୟାଳୟରେ ଉତ୍କଳ ସମ୍ମିଳନୀ, ମାଲକାନଗିରି ଶାଖା ପକ୍ଷରୁ” ଉତ୍କଳ ଦିବସ ” ପାଳିତ ହୋଇଯାଇଛି। ଏହି ଅବସରରେ କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟକ୍ଷ ଡ.କୈଳାସ ମୀନାଙ୍କ ପୌରୋହିତ୍ୟରେ ଓ ଉତ୍କଳ ସମ୍ମିଳନୀର ସଭାପତି ଡ.ରଞ୍ଜନ କୁମାର ସ୍ବାଇଁଙ୍କ ସଭାପତିତ୍ବରେ ”ଓଡ଼ିଆ ଭାଷା ସୁରକ୍ଷା ”ଶୀର୍ଷକ ଏକ ଆଲୋଚନା ଭିତ୍ତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଏହି ଦିବସର ମହତ୍ତ୍ଵ ଓ ମାତୃଭାଷାର ଉନ୍ନତି ଦିଗରେ ଆମର କର୍ତ୍ତବ୍ୟ ସମ୍ପର୍କରେ ସୁନ୍ଦର ବକ୍ତବ୍ୟ ରଖିଥିଲେ। ସେହିପରି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ତପନ ନାରାୟଣ ରଥ ମୁଖ୍ୟବକ୍ତା ଭାବେ ଯୋଗଦେଇ ଏହି ଦିବସ ପାଳନର ସୁଯୋଗ ଦେଇଥିବା ମହାପୁରୁଷମାନଙ୍କ ଦାନ ଓ ଶ୍ରମ ସମ୍ବନ୍ଧରେ ଖୁବ୍ ଭାବପ୍ରବଣ ବକ୍ତବ୍ୟ ଉପସ୍ଥାପନ କରିଥିଲେ। ଆଦର୍ଶ ସ୍ନାତକ ମହାବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସର ଡ.ଚିନ୍ମୟ କୁମାର ବେହେରା ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଓଡ଼ିଆ ଭାଷାର ବୈଶିଷ୍ଟ୍ୟ ଓ ସାଂପ୍ରତିକ ସମୟରେ ଏହାର ପ୍ରୟୋଗ ବୈଚିତ୍ର୍ୟକୁ ଆଲୋଚନା କରିଥିଲେ। ଏହି ଅବସରରେ ଆଲିସା ପଟ୍ଟନାୟକ ଉତ୍କଳ ସଙ୍ଗୀତ ଗାନ କରିଥିଲେ ଓ ଶିକ୍ଷକ ସଂଘର ସମ୍ପାଦକ ତାରକ ମଣ୍ଡଳ ,ରଣଜିତ ନାୟକ ପ୍ରମୁଖ ଛାତ୍ରଛାତ୍ରୀଙ୍କୁ ଉତ୍କଳ ଦିବସର ବିଶେଷ ବାର୍ତ୍ତା ଦେଇଥିଲେ। ଶ୍ରୀଯୁକ୍ତ ସୁକାନ୍ତ କୁମାର ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲା ବେଳେ ଉତ୍କଳ ସମ୍ମିଳନୀର ସମ୍ପାଦକ ପ୍ରମେୟ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। କେନ୍ଦ୍ରୀୟ ବିଦ୍ୟାଳୟର ଶିକ୍ଷକ ଅରବିନ୍ଦ ସେଠୀଙ୍କ ସମେତ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀମାନେ ବିଶେଷ ସହାୟତା ପ୍ରଦାନ କରିଥିଲେ। ପ୍ରାୟ ଦୁଇଶହରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଭାଗନେଇ ଥିଲେ ଏବଂ ଏହି ଦିବସ ସମ୍ପର୍କିତ ସାଧାରଣ ଜ୍ଞାନ ଆଲୋଚନାରେ ଅଂଶଗ୍ରହଣ କରି ପୁରସ୍କାର ସ୍ଵୀକାର କରିଥିଲେ।