ବୌଦ୍ଧ, କୁଲାରିକୁଦ ଠାରେ ପଥର ତଳେ ଚାପି ହୋଇ ଯୁବକଙ୍କ ମୃତ୍ୟୁକୁ ଶନିବାର ଦିନ ଗୋଟାଏ ସମୟରେ ୨୪ ଘଣ୍ଟା ବିତିବା ପରେ ବି ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇନାହିଁ। ଏହାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
ସୂଚନା ପ୍ରକାରେ, ବୌଦ୍ଧ ସହରର ମହାନଦୀ ଗର୍ଭରେ ଥିବା ଦ୍ବୀପ ଗ୍ରାମ କୁଲାରିକୁଦ ଠାରେ ଶୁକ୍ରବାର ଦିନ କିଛି ଲୋକ ମିଶି ବେଆଇନ ଭାବେ ରତ୍ନପଥର ଖନନ କରୁଥିଲେ। ଜଣେ ଯୁବକ ନଦୀ ପାଣି ଭିତରୁ ଏକ ବଡ ପଥର ତଳୁ ରତ୍ନପଥର ସଂଗ୍ରହ କରୁଥିବା ବେଳେ ପଥରଟି ଖସିଯିବାରୁ ତା ତଳେ ଚାପି ହୋଇଯାଇଥିଲେ। ଫଳରେ ଯୁବକଙ୍କ ମୃତ୍ୟୁ ହୋଇଯାଇଥିଲା। ଭୟରେ ସାଥୀ ସଂଗ୍ରହକାରୀ ମାନେ ଏନେଇ କାହାକୁ କିଛି ଜଣାଇନଥିଲେ। ବିଳମ୍ବିତ ରାତିରେ ଅଗ୍ନିଶମ ବାହିନୀ ଖବର ପାଇ ଘଟଣାସ୍ଥଳକୁ ଯାଇଥିଲେ ବି ଉଦ୍ଧାର କରି ପାରିନଥିଲେ।
ଅନ୍ୟପକ୍ଷରେ ପୋଲିସ ଓ ପ୍ରଶାସନର ଲୋକେ ଘଟଣାସ୍ଥଳରେ ସକାଳ ଠାରୁ ଉପସ୍ଥିତ ରହିଥିଲେ ବି ୨୪ ଘଣ୍ଟା ପରେ ମଧ୍ୟ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇନାହିଁ। ମୃତ ଯୁବକ ଜଣକ ହେଲେ ଅନୁଗୁଳ ଜିଲା ଆଠମଲ୍ଲିକ ବ୍ଲକ ବରଡ଼ାକଟା ଗ୍ରାମର ସୁଶାନ୍ତ ଝାଙ୍କର। ଶ୍ରମିକଙ୍କୁ ଲଗାଇ ବୌଦ୍ଧ ମହାନଦୀ ଭିତରୁ ବେଆଇନ ଭାବେ ଚୋରାରେ ଚାଲିଥିଲା ରତ୍ନ ପଥର ଖନନ। ହେଲେ ଦୁର୍ଯୋଗକୁ ଏକ ପଥର ସନ୍ଧିରେ ଗଭୀର ଗର୍ତ୍ତକରି ପଥର ଖନନ ପ୍ରକ୍ରିୟା ଚାଲିଥିବା ବେଳେ ଘଟିଯାଇଛି ଏକ ବଡ଼ ଧରଣର ଅଘଟଣ। ଖନନ କାର୍ଯ୍ୟରେ ନିୟୋଜିତ ଜଣେ ଶ୍ରମିକଙ୍କ ଉପରେ ମାଡି ବସିଲା ଏକ ବିଶାଳକାୟ ପଥର। ତେବେ ସୌଭାଗ୍ୟକୁ ସେହି ସମୟରେ କାମ ବନ୍ଦକରି ଅଳ୍ପ ଦୂରରେ ଖିଆପିଆ କରିବାକୁ ଆସିଥିବାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ୧୦ରୁ ୧୨ ଜଣ ଶ୍ରମିକ। ମାତ୍ର ଏକଥା ଲୋକଲୋଚନକୁ ନଆସିବା ପାଇଁ ଅତି ଗୋପନୀୟତାର ସହିତ ଉଦ୍ଧାର କାର୍ଯ୍ୟ ସଫଳ ନହେବାରୁ ଶେଷରେ ବୌଦ୍ଧ ଅଗ୍ନିଶମ ବିଭାଗର ସହାୟତା ଲୋଡାଗଲା। ଘଟଣାସ୍ଥଳକୁ ରାତି ୧୦ଟାରେ ରେସକ୍ୟୁ ଅପରେସନ ଆରମ୍ଭ କରିଥିଲା ଅଗ୍ନିଶମ ବାହିନୀ।ତେବେ ଏତେ ବଡ଼ ବିଶାଳକାୟ ପଥରକୁ ହଟାଇବାକୁ ଅସଫଳ ହେବାରୁ ବାଧ୍ୟହୋଇ ଶେଷରେ ରେସ କ୍ୟୁ ଅପରେସନକୁ ବନ୍ଦକରି ଫେରିଥିଲା ଅଗ୍ନିଶମ ବାହିନୀ।