ଚମ୍ପୁଆ– ସନାତନ ମହାକୁଡ଼ଙ୍କ ପାଇଁ ଆଗାମୀ ୨୦୨୪ ନିର୍ବାଚନ ଚ୍ୟାଲେଞ ର ପରିସ୍ଥିତି ସୃଷ୍ଟି କରିବା ନେଇ ଚମ୍ପୁଆ ରାଜନୈତିକ ମହଲରେ ଆଲୋଚନା ଯୋର ଧରିଛି। ତେବେ ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇ ସାରିଛି। ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଶାସକ ଦଳ ଘୋଷଣା କରି ସାରିଥିବା ବେଳେ ଏକ ସପ୍ତାହ ମଧ୍ୟରେ ଅନ୍ୟ ଦଳ ମାନେ ମଧ୍ୟ ତାଙ୍କ ପ୍ରାର୍ଥୀ ତାଲିକା ଘୋଷଣା ଆରମ୍ଭ କରିବେ ବୋଲି ଅନୁମାନ କରାଯାଉଛି। ୨୦୨୪ ନିର୍ବାଚନ ସମୟ ଯେତିକି ପାଖେଇ ଆସୁଛି ନେତାଙ୍କ ଦଳ ବଦଳ ରାଜନୀତିକୁ ସେତିକି ଗରମ କରୁଥିବା ବେଳେ ଓଡ଼ିଶାର କୁବେରପୁରୀ କୁହାଯାଉଥିବା ରାଜ୍ୟର ସବୁଠାରୁ ହାଇ ପ୍ରୋଫାଇଲ ତଥା ବ୍ୟୟ ବହୁଳ ଚମ୍ପୁଆ ନିର୍ବାଚନ ମଣ୍ଡଳୀ ମଧ୍ୟ ଚର୍ଚ୍ଚାରେ ରହିଛି। ବିଜେଡି ପ୍ରଥମ ପର୍ଯ୍ୟାୟ ତାଲିକା ଘୋଷଣା କରିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ଚମ୍ପୁଆର ନାମ ନ ଥିବାରୁ ଚମ୍ପୁଆର ପ୍ରାର୍ଥୀଙ୍କୁ ନେଇ ଆଲୋଚନା, ସମାଲୋଚନା ଯେତିକି ହେଉଛି ସେହି ମାତ୍ରାରେ କିଏ କେଉଁ ଦଳରୁ ପ୍ରାର୍ଥୀ ହେବେ ତାହାକୁ ନେଇ ଆଶଙ୍କା ମଧ୍ୟ ବଢ଼ିବାରେ ଲାଗିଛି। ତେବେ ଚମ୍ପୁଆର ସବୁଠାରୁ ପ୍ରତିପତିଶାଳୀ ନେତା ଭାବେ ଜଣାଶୁଣା ସନାତନ ମହାକୁଡ଼ଙ୍କ ପାଇଁ ଚର୍ଚ୍ଚା ସବୁଠାରୁ ଅଧିକା ହେଉଥିବା ବେଳେ ସନାତନ କେଉଁ ଦଳକୁ ଯିବେ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରି ନାହିଁ। କେବେ ସେ ବିଜେପିରୁ ପ୍ରାର୍ଥୀ ହେବେ, ତ କେବେ ବିଜେଡି ତାଙ୍କୁ ପ୍ରାର୍ଥୀ କରିବ ବୋଲି ଚର୍ଚ୍ଚା ଏବେ ରାଜନୈତିକ ମହଲରେ ଚର୍ଚ୍ଚାକୁ ଖୋରାକ ଯୋଗାଇଛି। ପୂର୍ବରୁ ସନାତନଙ୍କ ଚମ୍ପୁଆ ନିର୍ବାଚନ ମଣ୍ଡଳୀରେ ଏକ ସ୍ଵତନ୍ତ୍ର ପରିଚୟ ରହି ଆସିଥିଲେ ମଧ୍ୟ ଆଗାମୀ ନିର୍ବାଚନରେ ଯଦି ସନାତନ କୌଣସି ଦଳର ବ୍ୟାନରରେ ଛିଡା ନ ହୋଇ ସ୍ଵାଧୀନ ପ୍ରାର୍ଥୀ ହେବେ ତାହା ତାଙ୍କ ପାଇଁ ଏତେଟା ସହଜ ହେବ ନାହିଁ ବୋଲି ଆକଳନ କରାଯାଉଛି। ଏକଦା ସନାତନଙ୍କ ସମର୍ଥନରେ ଚମ୍ପୁଆ ବିଧାୟିକା ମିନାକ୍ଷୀ ମହାନ୍ତ ନିଜର ରାଜନୈତିକ କ୍ୟାରିଅର ଆରମ୍ଭ କରିଥିବା ବେଳେ ଗତ କିଛି ବର୍ଷ ମଧ୍ୟରେ ତାଙ୍କର ଅହି ନକୁଳ ସମ୍ପର୍କ ସନାତନଙ୍କ ବିପକ୍ଷରେ ମିନାକ୍ଷୀଙ୍କ ପ୍ରଭାବ ଜାହିର କରି ସାରିଛି। ସନା, ମୀନା ଅଲଗା ହେବା ପରେ ପୂର୍ବରୁ ଭତ୍ତା ବାବା ଭାବେ ବିଖ୍ୟାତ ଥିବା ସନା ମହାକୁଡ଼ଙ୍କ ଆଉ ଭତ୍ତା ରାଜନୀତି ଚାଲୁ ନାହିଁ। ଦୀର୍ଘ ଦିନ ଧରି ସନା ମହାକୁଡ଼ ସାଧାରଣ ଲୋକ ସମ୍ପର୍କ ଠାରୁ ଦୂରେଇ ରହି କେବଳ ତାଙ୍କର ହାତ ଗଣତି କେତେ ଜଣ କର୍ମୀଙ୍କ ଭରଷାରେ ରହି ଯାଇ ଥିବାରୁ ତାଙ୍କର ଆଉ ପୂର୍ବପରି ଦୃଢ ସଂଗଠନ ମଧ୍ୟ ନ ଥିବା ଆଲୋଚନା ହେଉଛି। ଅନ୍ୟପଟେ ଆଗାମୀ ନିର୍ବାଚନରେ ସନାତନଙ୍କୁ କଡା ଟକ୍କର ଦେବାକୁ ମିନାକ୍ଷୀ ପୁରା ଦମରେ ଅଣ୍ଟା ଭିଡି ଥିବାବେଳେ ଏବେ ବିଜେଡି ଟିକେଟ ର ପ୍ରମୁଖ ଦାବିଦାର ମିନାକ୍ଷୀ ମହାନ୍ତ ବୋଲି କୁହାଯାଉଛି। ଚଳିତ ନିର୍ବାଚନରେ ମିନାକ୍ଷୀଙ୍କୁ ଯଦି ଦଳ ପ୍ରାର୍ଥୀ କରିବ ମିନାକ୍ଷୀଙ୍କୁ ଚେକ ଦେବାକୁ ସନାତନ ସ୍ଵାଧୀନ ପ୍ରାର୍ଥୀ ହେବା ଆଲୋଚନା ହେଉଥିବା ବେଳେ ଏ ପରିସ୍ଥିତିରେ ଚମ୍ପୁଆ ଚତୁର୍ମୁଖୀ ଲଢେଇ ଦେଖିବ ବୋଲି ଅନୁମାନ କରାଯାଉଛି।
ନିକଟରେ ବିଜେଡି ଛାଡି କଂଗ୍ରେସରେ ଯୋଗ ଦେଇଥିବା ଯଶୋବନ୍ତ ନାରାୟଣ ସିଂ ଲାଗୁରୀଙ୍କୁ କଂଗ୍ରେସ ଟିକେଟ ଦେବା ଏକ ପ୍ରକାର ସ୍ପଷ୍ଟ ରହିଥିବା ବେଳେ ବିଜେପିରୁ ଶ୍ରୀମନ୍ତ ତ୍ରିପାଠୀ କିମ୍ବା ମୁରଲୀ ମନୋହର ଶର୍ମା ପ୍ରାର୍ଥୀ ହେବା ନିଶ୍ଚିତ ବୋଲି ଅନୁମାନ କରାଯାଉଛି। ଏ ପରିସ୍ଥିତିରେ ମିନାକ୍ଷୀ ବିଜେଡିରୁ ଯଦି ପ୍ରାର୍ଥୀ ହେବେ ସନାତନ ସ୍ବାଧିନ ଭାବେ ନିର୍ବାଚନ ଲଢ଼ିବେ। ତା”ହେଲେ ଚମ୍ପୁଆରେ ଚତୁର୍ମୁଖୀ ଲଢେଇରେ ସନାତନଙ୍କ ପ୍ରଭାବ କେତେ ରହିବ ତାହା ସମୟ କହିବ।