ବଣ ପାହାଡ଼ ଘେରା ବିଛିନ୍ନାଂଚଳ। ବାଲିମେଳା ଡ୍ୟାମ ହେବା ପରେ ପ୍ରାୟ ୧୫୧ ଖଣ୍ଡ ଗାଁ ପାଣି ଘେରରେ ରହିଗଲା। ଗାଁ ସହ ହଜାର ହଜାର ଲୋକଙ୍କ ସ୍ବପ୍ନ ମଧ୍ୟ ସେହି ପାଣି ଘେରରେ ରହିଗଲା। ଶିକ୍ଷା, ସ୍ୱାସ୍ଥ୍ୟ, ଗମନା ଗମନ ସବୁ କ୍ଷେତ୍ର ରେ ପଛୁଆ ହୋଇ ରହିଗଲେ ଏହି ୧୫୧ ଖଣ୍ଡ ଗାଁ ର ଲୋକେ। ସେହିଭଳି ପୋଲିସ ମଧ୍ୟ ଏହି ସ୍ଥାନକୁ ଅପହଞ୍ଚ ହୋଇଗଲା । ଯାହାର ଫାଇଦା ଉଠାଇ ଏହି ବିଛିନ୍ନାଂଚଳରେ ଆଡ୍ଡା ଜମାଇଲେ ମାଓବାଦୀ। କୁନି କୁନି ପିଲାଙ୍କୁ ନେଇ ମାଓବାଦର ପ୍ରଶିକ୍ଷଣ ଦେଇ ସେମାନଙ୍କୁ ମାଓବାଦୀ ବନାଉଥିଲେ। ହେଲେ ମାଓବାଦୀଙ୍କୁ ବିରୋଧ କରି ଜଣେ ମା ନିଜ ଛୁଆକୁ ୧୦ ବର୍ଷ ଧରି ନିଜଠାରୁ ଅଲଗା କରିଦେଲା, ଯିଏ ଏବେ ଜାତୀୟ ସ୍ତରୀୟ ମେଡାଲ ପ୍ରାପ୍ତ ଜୁଡ଼ ଖେଳାଳି। ଆଜିକୁ ପ୍ରାୟ ୧୦ ବର୍ଷ ତଳେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ବିଛିନ୍ନାଂଚଳ ତଥା ବର୍ତମାନ ସ୍ୱାଭିମାନ ଅଞ୍ଚଳ ପାପରମେଟଲା ପଞ୍ଚୟତ ସଦର ମହକୁମାରେ ବସବାସ କରୁଥିଲେ ନିଲିସା ହନ୍ତାଳ ଓ ତାଙ୍କ ପରିବାର। ବିଛିନ୍ନାଂଚଳ ହୋଇଯିବା ପରେ ମାଓବାଦୀ ମାନେ ନିଜ ସଂଗଠନକୁ ବଢାଇବା ପାଇଁ ଛୋଟ ଛୋଟ ପିଲାଙ୍କୁ ନେଇ ମାଓବାଦୀ ବନିବା ପାଇଁ ପ୍ରଶିକ୍ଷଣ ଦେଉଥିଲେ। ସେଠାକୁ ନିଲିସା ହନ୍ତାଳଙ୍କ ଛୋଟ ପୁଅ ମାସି ହାନ୍ତାଳ ମଧ୍ୟ ଯାଉଥିଲେ। ପ୍ରଶିକ୍ଷଣକୁ ନଆସିଲେ ମୃତ୍ୟୁଦଣ୍ଡର ଧମକ ମଧ୍ୟ ମିଳୁଥିଲା, ହେଲେ ସେ ସବୁକୁ ବେଖାତିର କରି ମାସିଙ୍କ ମା ତାଙ୍କୁ ନିଜ ଠାରୁ ୧୩୦ କିମି ଦୂର ମାଲକାନଗିରିକୁ ପଠାଇ ଦେଇଥିଲେ। ଆଉ ଆଜି ଅର୍ଥାତ ୧୦ ବର୍ଷ ପରେ ସେ ଏବେ ଜାତୀୟ ସ୍ତରର ଜୁଡୋ ଖେଳାଳି। ନିଜ ନାଁ ରେ ଅନ୍ତର୍ଜାତୀୟ ଗୋଟିଏ ସ୍ଵର୍ଣ୍ଣ ପଦକ ହାସଲ କରିଥିବା ବେଳେ ଜାତୀୟ ସ୍ତରରେ ସେ ୯ ଟି ସ୍ଵର୍ଣ୍ଣ ପଦକ ହାସଲ କରି ସାରିଛନ୍ତି। ଏବେ ମାସିଙ୍କ ନିକଟକୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଶୁଭେଚ୍ଛାର ସୁଅ ଛୁଟିବାସହ ସ୍ୱାଭିମାନ ଅଞ୍ଚଳ ତଥା ନିଜ ଗାଁରେ ଖୁସିର ଲହରୀ ଖେଳିଯାଇଛି ।
ଏବେ ମାସି ହନ୍ତାଳ ବିନାଶ ମିଶ୍ର ଙ୍କ ଆଓମା ଆବାସିକ ବିଦ୍ୟାଳୟ ମାଲକାନଗିରିରେ ରହି ଅଧ୍ୟୟନ କରୁଛନ୍ତି। ଯେଉଁଠି ତାଙ୍କ ସହ ଆହୁରି ୨୬ ଜଣ ଛାତ୍ର ଛାତ୍ରୀ ଅଧ୍ୟୟନ କରୁଛନ୍ତି। ହେଲେ ଦୁଃଖର ବିଷୟ ଏମାନଙ୍କ ଚଳଣି ଏବଂ ରହିବା ଖାଇବା ପାଇଁ ଏମାନେ ନିଜେ ଅର୍ଥ ଯୋଗାଡ଼ କରୁଛନ୍ତି ତାହା ପୁଣି ବିଭିନ୍ନ ଷ୍ଟେଜ ସୋ ଜରିଆରେ। କେବଳ ଓଡିଶା ନୁହେଁ ଓଡ଼ିଶା ବାହାରେ ମଧ୍ୟ ଏମାନେ ଦର୍ଶକଙ୍କ ମନକୁ ଖୁବ ଆକୃଷ୍ଟ କରିପାରିଛନ୍ତି। ହେଲେ ଏମାନଙ୍କୁ ଜିଲ୍ଲା ପ୍ରଶାସନ କି ସରକାର କୌଣସି ମତେ ସହାୟତାର ହାତ ବଢ଼ାଉନାହାନ୍ତି। ଏପଟେ ମାସିଙ୍କ ପ୍ରଶିକ୍ଷକ ଚନ୍ଦ୍ର ଶେଖର ପୂଜାରୀ କହିଛନ୍ତି ଯଦି ଆଜି ମାସି ସେଠି ରହିଥାନ୍ତା ଓ ଯଦି ତାଙ୍କ ମା ମାସିକୁ ବିଛିନ୍ନାଂଚଳରୁ ବାହାରକୁ ପଠାଇ ନଥାନ୍ତେ ତାହେଲେ ଆଜି ମାସି ଜଣେ ଅନ୍ତର୍ଜାତୀୟ ଖେଳାଳି ନହୋଇ କୌଣସି ମାଓବାଦି ହୋଇଥାନ୍ତେ। ଏପଟେ ମାସିଙ୍କ ଖୁସି କହିଲେ ନସରେ ଆଜି ମାସି ନିଜ ପରିବାର ଲୋକଙ୍କ ପାଇଁ ବୋଝ ନୁହେଁ ବର୍ତ୍ତମାନ ମାସି ନିଜ ପରିବାର ପାଇଁ ଗର୍ବର ପରିଚୟ ପାଲଟିଛନ୍ତି । ବହୁ ଅନ୍ତର୍ଜାତୀୟ ଖେଳାଳି ସୃଷ୍ଟି କରିଥିବା ଏହି ବିଦ୍ୟାଳୟକୁ ଜିଲ୍ଲା ପ୍ରଶାସନ ତଥା ରାଜ୍ୟ ସରକାରଙ୍କ ତରଫରୁ ତୁରନ୍ତ ସହାୟତା ଯୋଗାଇଦେବାକୁ ବିଭିନ୍ନ ମହଲରେ ଦାବୀ ହେଉଛି ।