
ଭୁବନେଶ୍ୱର,ଓଡ଼ିଶା ପ୍ରଦେଶ କଂଗ୍ରେସ ରାଜ୍ୟରେ ସରକାର ଗଠନ କଲେ ଗୃହଲକ୍ଷ୍ମୀ ଯୋଜନାରେ ମହିଳାମାନଙ୍କୁ ୫ଶହ ଟଙ୍କାରେ ରନ୍ଧନଗ୍ୟାସ ସିଲିଣ୍ଡର ଯୋଗାଇ ଦିଆଯିବା ସହ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ବ୍ୟାଙ୍କ ଋଣ ଛାଡ଼ କରାଯିବ । ଏହାସହ ମହିଳାଙ୍କୁ ମାସିକ ଭତା ୨୦୦୦ ଏବଂ ଆଦିବାସୀ ଓ ଦଳିତ ମହିଳାଙ୍କୁ ମାସିକ ଭତା ୩୦୦୦ ଟଙ୍କା ଦିଆଯିବ ବୋଲି ଶୁକ୍ରବାର ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ମୀନାକ୍ଷୀ ବାହିନୀପତି କହିଛନ୍ତି ।
ସେ କହିଛନ୍ତି ଯେ ନବୀନ ଓ ମୋଦୀ ସରକାରରେ ମହିଳା ସଂପୂର୍ଣ୍ଣ ଉପେକ୍ଷିତ, ଅତ୍ୟାଚାରିତ ଓ ଅବହେଳିତ । କଂଗ୍ରେସ ନାରୀର ଅଧିକାର ପାଇଁ ଲଢ଼େଇ ଜାରି ରଖିଛି । କଂଗ୍ରେସ ଦଳ ନାରୀର ଅଧିକାର ପ୍ରାପ୍ତି ପାଇଁ ପ୍ରତିଶ୍ରୁତି ବଦ୍ଧ । ସେଥିପାଇଁ ଜନନାୟକ ରାହୁଲ ଗାନ୍ଧୀ “ନାରୀ ନ୍ୟାୟ ଗ୍ୟାରେଂଟି” ଘୋଷଣା କରିଛନ୍ତି । ପ୍ରତ୍ୟେକ ଗରିବ ପରିବାରର ଜଣେ ମହିଳାଙ୍କୁ ମହାଲକ୍ଷ୍ମୀ ଯୋଜନାରେ ନିଜର କର୍ମସଂସ୍ଥାନ କରିବାପାଇଁ ବର୍ଷକୁ ୧ଲକ୍ଷ ଟଙ୍କା ଦିଆଯିବ । କେନ୍ଦ୍ର ସରକାରଙ୍କର ନୂତନ ନିଯୁକ୍ତିରେ ମହିଳାମାନଙ୍କ ପାଇଁ ୫୦ ପ୍ରତିଶତ ସ୍ଥାନ ସଂରକ୍ଷିତ ରଖାଯିବ । ପ୍ରତି ପଂଚାୟତରେ “ଅଧିକାର ମୈତ୍ରୀ”ଙ୍କୁ ନିଯୁକ୍ତି ଦିଆଯିବ ଯେଉଁମାନେକି ମହିଳାମାନଙ୍କୁ ନିଜର ନ୍ୟାୟ ସମ୍ମତ ଅଧିକାର ପ୍ରାପ୍ତି ପାଇଁ ସାହାଯ୍ୟ କରିବେ । ଆଶା, ଅଙ୍ଗନୱାଡ଼ି ଏବଂ ମଧ୍ୟାହ୍ନ ଭୋଜନରେ କାର୍ଯ୍ୟରତ ମହିଳାଙ୍କର ବେତନ ଦ୍ୱୁିଗୁଣିତ କରିବାପାଇଁ କେନ୍ଦ୍ର ବଜେଟରେ ବ୍ୟବସ୍ଥା କରାଯିବ । ସାବିତ୍ରୀ ବାଇ ଫୁଲେ ହସଷ୍ଟେଲର ସଂଖ୍ୟାକୁ ଦ୍ୱୁିଗୁଣିତ କରାଯିବ । ପ୍ରତି ଜିଲ୍ଲାରେ ଅତିକମରେ ଗୋଟିଏ ମହିଳା ହଷ୍ଟେଲ ଖୋଲାଯିବ । ଯଦି କଂଗ୍ରେସ କ୍ଷମତାକୁ ଆସେ ମହିଳା ସଂରକ୍ଷଣ ଆଇନ ତୁରନ୍ତ ଲାଗୁ କରାଯିବ । ଯାହାଦ୍ୱାରାକି ୩୩ ପ୍ରତିଶତ ମହିଳା ଉଭୟ ବିଧାନସଭା ଓ ସଂସଦରେ ପ୍ରତିନିଧ୍ୱତ କରିବାରେ ସୁଯୋଗ ପାଇବେ ।
ଓଡ଼ିଶା ପ୍ରଦେଶ କଂଗ୍ରେସ ରାଜ୍ୟରେ ସରକାର ଗଠନ କଲେ ଗୃହଲକ୍ଷ୍ମୀ ଯୋଜନାରେ ମହିଳାମାନଙ୍କୁ ୫ଶହ ଟଙ୍କାରେ ରନ୍ଧନଗ୍ୟାସ ସିଲିଣ୍ଡର , ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ବ୍ୟାଙ୍କ ଋଣ ଛାଡ଼ , ମହିଳାଙ୍କୁ ମାସିକ ଭତା ୨୦୦୦ ଏବଂ ଆଦିବାସୀ ଓ ଦଳିତ ମହିଳାଙ୍କୁ ମାସିକ ଭତା ୩୦୦୦ ଟଙ୍କା , ସ୍ୱୟଂସହାୟକ ଗୋଷ୍ଠୀ ସଭ୍ୟାମାନଙ୍କୁ ବିଭିନ୍ନ କୌଶଳର ତାଲିମ ସହ ସ୍ୱୟଂସହାୟକ ଗୋଷ୍ଠୀ ଦ୍ୱାରା ଉତ୍ପାଦିତ ସାମଗ୍ରୀର ବିକ୍ରୀ ପାଇଁ ପଦକ୍ଷେପ ନିଆଯିବ ।ସେହିପରି ମହିଳା ଶିଳ୍ପ ଉଦ୍ୟୋଗୀଙ୍କୁ ୨୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧହାରରେ ଋଣ ଯୋଗାଣ ଏବଂ ବାର୍ଷିକ ୨ ଲକ୍ଷ ଟଙ୍କାରୁ କମ ଆୟଥିବା ବ୍ୟକ୍ତିଙ୍କ ଝିଅ ବିଭାଘର ପାଇଁ ୨ଲକ୍ଷ ଟଙ୍କା ସାହାଯ୍ୟ ପ୍ରଦାନ କରାଯିବ ।
ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ ମହିଳା କଂଗ୍ରେସ ଉପସଭାନେତ୍ରୀ ପ୍ରଣତୀ ମିଶ୍ର, ସାଧାରଣ ସଂପାଦିକା ଶ୍ରୀୟସ୍ମିତା ପଣ୍ଡା ଓ ପିସିସି ସଂପାଦିକା ଶିଳ୍ପିଶ୍ରୀ ହରିଚନ୍ଦନ, ଶୁଭଦ୍ରା ମିଶ୍ର ଉପସ୍ଥିତ ଥିଲେ ।