ମାଲକାନଗିରି- ଅଦିନିଆ ବର୍ଷାରେ ମାଡ ଖାଇଲା ଫସଲ ଅମଳ । ଚାଷୀର ସମସ୍ତ ପରିଶ୍ରମକୁ ଧୋଇନେଇଛି ଏଥରର ଶୀତୁଆ ବର୍ଷା । ମାଲକାନଗିରିରେ ଗତକିଛି ଦିନ ଧରି କୋହଲା ପାଗ ଓ ଅଦିନିଆ ବର୍ଷା ଏବେ ଚାଷୀଙ୍କ ଚିନ୍ତା ବଢାଇଛି । ଜିଲ୍ଲାର ସମସ୍ତ ଧାନମଣ୍ଡି ମୁକୁଳା ପଡିଥିବାବେଳେ ଶହ ଶହ ଧାନବସ୍ତା ପଡି ପଡି ଗଜା ହେବାର ଲାଗିଲାଣି । ଫଳରେ ଧାନ ବିକ୍ରି କିପରି କରିବେ ସେ ଚିନ୍ତାରେ ଭୋକ ଶୋଷ ଭୁଲି ଗଲେଣି ଚାଷୀ
ଦିନ ରାତି ଏକ କରି ମୁଣ୍ଡ ଝାଳ ତୁଣ୍ଡରେ ମାରି ଧାନ ଫସଲ କରିଥିଲେ । ହେଲେ ପାଗରେ ପରିବର୍ତ୍ତନ ଯୋଗୁଁ ମୁଣ୍ଡରେ ହାତ ଦେଇ ବସିଛି ଚାଷୀ । ଗୋଟିଏ ପଟେ ଅଦିନିଆ ବର୍ଷା ଚାଷୀକୁ କନ୍ଦେଇବାରେ ଲାଗିଛି ତ ଅନ୍ୟପଟେ ଜିଲ୍ଲାର ଅଧିକାଂଶ ଚାଷୀଙ୍କୁ ଧାନ ବିକ୍ରୀ ପାଇଁ ଏଯାଏଁ ଟୋକନ ମିଳିପାରି ନାହିଁ । ତେବେ ବାରମ୍ବାର ଧାନ ଉଠାଇବାକୁ ଜିଲ୍ଲାପାଳଙ୍କୁ ଦାବି ଜଣାଇଥିଲେ ମଧ୍ୟ ଜିଲ୍ଲାରେ ଅଧା ଚାଷୀଙ୍କ ଧାନ ବିକ୍ରି ହୋଇପାରିନାହିଁ । ସେପଟେ, ଯୁଦ୍ଧକାଳୀନ ଭିତ୍ତିରେ ପ୍ରଶାସନ ପଦକ୍ଷେପ ଗ୍ରହଣ କରିଥିବା କହିଛନ୍ତି ମାଲକାନଗିରି ଉପଜିଲ୍ଲାପାଳ । ପ୍ରଥମେ ଟୋକନ୍ ବ୍ୟବସ୍ଥା, ତା ପରେ ଅଦିନିଆ ବର୍ଷା ଚିନ୍ତା । ତେଣୁ ସରକାର ତୁରନ୍ତ ଚାଷୀଙ୍କ ଧାନ ଉଠାଇବା ଲାଗି ଦାବି କରାଯାଇଛି । ଯଦି ଏଥିରେ ବିଳମ୍ବ ହୁଏ ଆଗାମୀ ଦିନରେ ଜିଲ୍ଲା ବ୍ୟାପୀ ଆନ୍ଦୋଳନ କରାଯିବ ବୋଲି ଧମକ ଦେଇଛନ୍ତି ଚାଷୀମାନେ ।