ଭୁବନେଶ୍ୱର, ଓଡ଼ିଶାରେ ଅଣ ଓଡ଼ିଆଙ୍କ ଦ୍ୱାରା ସରକାର ଚାଲିଛି । ଜଣେ ସରକାରୀ କର୍ମଚାରୀ ଥିବା ତାମିଲ ଅଫିସର ଦ୍ୱାରା କବଳିତ ଓଡ଼ିଶାର ଶାସନ ବ୍ୟବସ୍ଥା । ଦୀର୍ଘ ୨୪ ବର୍ଷ ଧରି ଓଡ଼ିଶାକୁ ଶାସନ କରୁଥିବା ନବୀନ ପଟ୍ଟନାୟକ ସରକାର ଓଡ଼ିଶାବାସୀଙ୍କୁ ପ୍ରତାରିତ କରିଛନ୍ତି । ଏଠାରେ କେହି ଖୁସିରେ ନାହାନ୍ତି ସମସ୍ତେ ଦୁଃଖରେ ଅଛନ୍ତି । ଛାତ୍ର, ଯୁବକ, ମହିଳା, କୃଷକ ଆଦି ବର୍ଗ ଅବହେଳିତ ଏବଂ ଉପେକ୍ଷିତ । ଉତ୍କଟ ବେରୋଜଗାରୀ ସମସ୍ୟା ରାଜ୍ୟର ଯୁବପିଢ଼ିଙ୍କ ମୁଣ୍ଡବିନ୍ଧାର କାରଣ । ଓଡ଼ିଶାରେ କୃଷକଙ୍କର ଆୟ ମାସକୁ ୫୦୧୨ ଟଙ୍କା ମାତ୍ର ଏବଂ ଦେଶରେ ସର୍ବନିମ୍ନ । ଶୀତଳ ଭଣ୍ଡାର ଓ ମଣ୍ଡିର ବ୍ୟବସ୍ଥା ନାହିଁ । ଚାଷୀ ତା’ର ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ପାଇପାରୁ ନାହିଁ । ଏ ସମସ୍ତ ଚିତ୍ର ନବୀନ ବାବୁଙ୍କ ୨୪ ବର୍ଷ ଶାସନର ବିକଳ ଚିତ୍ର ଦର୍ଶାଉଛି ବୋଲି ନବନିଯୁକ୍ତ ପିସିସି ପ୍ରଚାର କମିଟିର ଅଧ୍ୟକ୍ଷ ଭକ୍ତ ଚରଣ ଦାସ କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମତବ୍ୟକ୍ତ କରିଛନ୍ତି ।
ଶ୍ରୀ ଦାସ କହିଛନ୍ତି ୨୪ ବର୍ଷର ନିରଙ୍କୁଶ ବିଜେଡ଼ି ସରକାରର ପତନ ପାଇଁ ଓଡ଼ିଶାର ସାଢ଼େ ୪ କୋଟି ଓଡ଼ିଆ ନିଜର ମତାଧିକାର ସାବ୍ୟସ୍ତ କରି କଂଗ୍ରେସକୁ ପୁର୍ନବାର କ୍ଷମତାସୀନ କରାଇବେ । ଉଭୟ ବିଜେପି ଓ ବିଜେଡ଼ି ନିଜ ନିଜ ଭିତରେ ସହମତି ଭିତିରେ ୨୦୨୪ ନିର୍ବାଚନ ଲଢ଼ିବା ପାଇଁ ଯେଉଁ କଳା କୌଶଳ ଆପଣେଇଛନ୍ତି ତା’ର ଜବାବ ଓଡ଼ିଶାବାସୀ ନିଶ୍ଚିତ ଦେବେ । ବିଜେପି ଓ ବିଜେଡ଼ି ଭିତରେ ଥିବା ଭିତିରିଆ ସଂପର୍କ ବିଷୟରେ ଓଡ଼ିଶାବାସୀ ସଂପୂର୍ଣ୍ଣରୂପେ ଅବଗତ ଅଛନ୍ତି ଏବଂ କଂଗ୍ରେସ ଏକମାତ୍ର ବିକଳ୍ପ ସେ କଥା ହୃଦୟଙ୍ଗମ କରିଛନ୍ତି । ସେ କହିଥିଲେ ଯେ ପ୍ରଚାର କମିଟିର ଅଧ୍ୟକ୍ଷ ଭାବରେ ମୋତେ ଦିଆଯାଇଥିବା ଗୁରୁ ଦାୟିତ୍ୱକୁ ସଠିକ ରୂପେ ନିର୍ବାହ କରିବା ସହିତ ପିସିସି ସଭାପତି ଶରତ ପଟ୍ଟନାୟକ ଏବଂ ରାଜ୍ୟ କଂଗ୍ରେସର ସମସ୍ତ ଶୀର୍ଷ ନେତୃତ୍ୱଙ୍କ ସହିତ ମିଶି ଓଡ଼ିଶାର ସମସ୍ତ ନିର୍ବାଚନ ମଣ୍ଡଳୀ ଗସ୍ତ କରିବା ସହିତ ରାହୁଲ ଗାନ୍ଧୀଙ୍କର ୫ ଟି ଗ୍ୟାରେଂଟି ଏବଂ ନିର୍ବାଚନୀ ଇସ୍ତାହାର-ସଂକଳ୍ପ ପତ୍ରକୁ ନେଇ ସାଧାରଣ ଜନତାଙ୍କ ପାଖରେ ପହଂଚିବେ । ରାଜ୍ୟରେ କ୍ରମାଗତ ଭାବେ ୨୪ ବର୍ଷ ଧରି ଉପେକ୍ଷିତ ହୋଇଥିବା ଦଳିତ, ଆଦିବାସୀ ଓ ପଛୁଆବର୍ଗଙ୍କ କଲ୍ୟାଣ ନିମନ୍ତେ କଂଗ୍ରେସ ପ୍ରତିଶ୍ରୁତିବଦ୍ଧ ଏବଂ ସେମାନଙ୍କର ନ୍ୟାର୍ଯ୍ୟ ଦାବୀ ଓ ହକ୍ପ୍ରତି ଆମେ ସମ୍ବେଦିନଶୀଳ । କ୍ଷମତାକୁ ଆସିଲେ ସେମାନଙ୍କର ସାମାଜିକ ଉତ୍ଥାନ ଓ ଅର୍ଥନୈତିକ ପ୍ରଗତି ନିମନ୍ତେ କଂଗ୍ରେସ କାର୍ଯ୍ୟ କରିବା ସହ ସମାଜରେ ଉପଯୁକ୍ତ ଭାଗିଦାରୀ ପ୍ରଦାନ କରାଯିବ ବୋଲି ଶ୍ରୀ ଦାସ ପ୍ରକାଶ କରିଥିଲେ ।
ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ମୁଖପାତ୍ର ପ୍ରଶାନ୍ତ ଶତପଥୀ, ମନୋରଞ୍ଜନ ଦାସ, ପଦ୍ମାକର ଗୁରୁ ଓ ଭୁବନେଶ୍ୱର ଜିଲ୍ଲା ସଭାପତି ବିଶ୍ୱଜିତ୍ ଦାସ ଉପସ୍ଥିତ ଥିଲେ ।