ଗଞ୍ଜାମ, ଗାଁ ମୁଖିଆ ନାଇଡୁଙ୍କୁ ହତ୍ୟା ଉଦ୍ୟମ ଘଟଣାରେ ଫେରାର୍ ଥିବା ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଗୋଳନ୍ଥରା ପୋଲିସ । ଅଭିଯୁକ୍ତ ମାନେ ହେଲେ ଗୋଳନ୍ଥରା ଥାନା ଅନ୍ତର୍ଗତ ପାନାପଲ୍ଲୀର ପି. ନୀଳାମ୍ବର ରେଡ୍ଡୀ (୩୨) ଓ ରମ୍ଭା ଥାନା କାର୍ତିକଡି ଗ୍ରାମର ଆର. ବିନୋଦ ରେଡ୍ଡୀ । କେସ୍ ନଂ ୧୦୩/୨୪ ରେ ମାମଲା ରୁଜ୍ଜୁ ସହ ଦୁଇ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି । ଏହି ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସପି ଡଃ. ସର୍ବଣା ବିବେକ ଏମ ।
ସୂଚନା ଅନୁସାରେ, ଗତ ୧୦ ତାରିଖରେ ପାନାପଲ୍ଲୀ ଗ୍ରାମର ନାଇଡୁ ତଥା ମୁଖିଆ ଟି. ଜଗନ୍ନାଥ ରେଡ୍ଡୀ ତୁଳୁ ଗ୍ରାମରୁ ନିଜ ଘରକୁ ଫେରୁଥିଲେ । ଏହି ସମୟରେ ରାସ୍ତାରେ ନିଳାମ୍ବର ଓ ବିନୋଦ ତାଙ୍କୁ ଅଟକାଇଥିଲେ । ପୂର୍ବ ଶତୃତାକୁ ନେଇ ସେମାନେ ଜଗନ୍ନାଥଙ୍କ ସହିତ ଗଣ୍ଡଗୋଳ କରିଥିଲେ । ପରେ ହାତୁଡ଼ି, ଲୁହାରଡ଼ରେ ତାଙ୍କୁ ଆକ୍ରମଣ କରିଥିଲେ । ଫଳରେ ଜଗନ୍ନାଥ ଗୁରୁତର ହୋଇପଡିଥିଲେ । ଘଟଣା ପରେ ଉଭୟ ଅଭିଯୁକ୍ତ ଫେରାର୍ ହୋଇଯାଇଥିଲେ ।