ଭୁବନେଶ୍ୱର, ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ଓଡ଼ିଶା ରୋଲ ମଡେଲ ହୋଇ ପାରିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶଳ ନେତୃତ୍ୱରେ ଜୀବନ ଓ ସମ୍ପତ୍ତି ରକ୍ଷା ପାଇଁ ଅନେକ ଯୋଜନା କରାଯାଇଛି । ବିଜେଡି ମୁଖପାତ୍ର ସଂତୃପ୍ତ ମିଶ୍ର ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଜିରୋ କାଜୁଆଲିଟି ନୀତି ସଫଳ ହୋଇଛି । ସେଥିପାଇଁ ଅନ୍ୟ ରାଜ୍ୟ ଓ ବିଦେଶରେ ମଧ୍ୟ ଓଡ଼ିଶାର ବିପର୍ଯ୍ୟୟ ମୁକାବିଲାକୁ ପ୍ରଶଂସା କରାଯାଇଛ । ପ୍ରାକୃତିକ ବିପର୍ଯ୍ୟୟ ସୂଚନା ଦେଇ ଆସେନି । ହେଲେ ପ୍ରାରମ୍ଭିକ ସତର୍କତା ସୂଚନା ପାଇଁ ବାଲେଶ୍ୱର, ଗଞ୍ଜାମ, ପୁରୀରେ ୧୬୦ଟି ଟାୱାର ବ୍ୟବସ୍ଥା କରାଯାଇଛି । ୪ଟି ସ୍ଥାନରେ ଡପଲର ରାଡାର ସ୍ଥାପନ ହୋଇଛି ।
ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଗତ ପାଞ୍ଚ ବର୍ଷରେ ଓଡିଶାକୁ ମିଳିଛି ଉଲ୍ଲେଖନୀୟ ସଫଳତା । ସଫଳ ବିପର୍ଯ୍ୟୟ ପରିଚାଳନା ପାଇଁ ଜାତୀୟ ସ୍ତରରେ ଓଡିଶା ପୁରସ୍କୃତ ହୋଇଛି । ରାଜ୍ୟ ସରକାର ଗ୍ରହଣ କରିଥିବା ଏକାଧିକ ପଦକ୍ଷେପ ଯୋଗୁଁ ଏଭଳି ସଫଳତା ମିଳିଥିବା କହିଛନ୍ତି ବିଜେଡିର ରାଷ୍ଟ୍ରୀୟ ମୁଖପାତ୍ର ଡକ୍ଟର ସଂତୃପ୍ତ ମିଶ୍ର ଓ ଡକ୍ଟର ସସ୍ମିତ ପାତ୍ର ।
ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ ଓ ଗଞ୍ଜାମ ଜିଲ୍ଲାରେ ବାତ୍ୟା ଓ ସୁନାମି ପ୍ରବଣ ଅଞ୍ଚଳରେ ଥିବା ବ୍ୟକ୍ତିମାନଙ୍କ ପାଇଁ ଆଗୁଆ ସତର୍କସୂଚନା ପ୍ରସାରଣ ବ୍ୟବସ୍ଥା ରହିଛି । ଉପକୂଳବର୍ତ୍ତୀ ୬ଟି ଜିଲ୍ଲାରେ ୧୬୦ଟି ଟାୱାର ଲଗାଯାଇ ସତର୍କ ସୂଚନା ଦିଆଯାଉଛି । ୧୬୦ ସ୍ଥାନ ମଧ୍ୟରୁ ୧୨୨ଟି ସ୍ଥାନରେ ସର୍ତକତା ସାଇରନ ବ୍ୟବସ୍ଥାଗୁଡିକ ବିପର୍ଯ୍ୟୟ ସମୟରେ ଏସଇଓସି ଏବଂ ବିଇଓସିରୁ ସାଇରନ୍ / ଭଏସ୍ ମେସେଜ୍ ପଠାଇବା ପାଇଁ ଅନ୍ତର୍ଭୁକ୍ତ ହୋଇଛି । ଏହି ପ୍ରକଳ୍ପ ୧୫.୦୩.୨୦୧୯ ମସିହାରୁ କାର୍ଯ୍ୟକ୍ଷମ ହୋଇଛି ।ସେହିଭଳି ବିପର୍ଯ୍ୟୟ ସହାୟତା ନିରୀକ୍ଷଣ ଓ ଦେୟ ବ୍ୟବସ୍ଥା (ଡିଏଏମ୍ପିଏସ୍) କାର୍ଯ୍ୟକାରୀ ହେଉଛି । ବର୍ତ୍ତମାନ ସୁଦ୍ଧା ୧୨,୮୨୯ଟି ଅନୁକମ୍ପାମୂଳକ ମାମଲାର ସମାଧାନ କରାଯାଇଛି ଏବଂ ୧୪,୬୪୬ ଜଣ ହିତାଧିକାରୀଙ୍କୁ ୪୯୬.୫୮ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଡିଏଏମପିଏସ୍ କୁ ୨୦୨୨ ବର୍ଷ ପାଇଁ ସିଏସଆଇ ଇ-ଗଭର୍ଣ୍ଣାନ୍ସ ପୁରସ୍କାର ଏବଂ ୨୦୨୩ ବର୍ଷ ପାଇଁ ସ୍କଚ ପୁରସ୍କାରରେ ସମ୍ମାନିତ କରାଯାଇଛି ।
ବାଲେଶ୍ୱରର ବାହାନଗାଠାରେ ରାଜ୍ୟ ସରକାର ରେଳ ଦୁର୍ଘଟଣାରେ ଆହତ ଯାତ୍ରୀମାନଙ୍କୁ ହସପିଟାଲକୁ ସ୍ଥାନାନ୍ତର କରି ଦୁର୍ଘଟଣା ପରିଚାଳନା ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରିଥିଲେ । ଘଟଣା ପରେ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସହ ରିଲିଫ୍ କମିଶନର ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ତଦାରଖ କରିଥିଲେ ।
ରାଜ୍ୟ ଭାରତ ସରକାରଙ୍କ ଦ୍ୱାରା ଘୋଷିତ ବିପର୍ଯ୍ୟୟ ସହାୟତା ପରିମାଣ ଅନୁରୂପ ସହାୟତା ରାଶି ଲୋକଙ୍କୁ ସହାୟତା ପ୍ରଦାନ କରିଛନ୍ତି । କୋଭିଡ୍-୧୯ ମହାମାରୀକୁ ରାଜ୍ୟ ସରକାର ସଫଳତାର ସହ ପରିଚାଳନା କରିଛନ୍ତି । ରାଜ୍ୟରେ କୋଭିଡ୍-୧୯ ଯୋଗୁଁ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ନିକଟ ସମ୍ପର୍କୀୟଙ୍କୁ ଅନୁକମ୍ପାମୂଳକ ସହାୟତା ପ୍ରଦାନ ପାଇଁ ଏକ ୱେବ୍ ଆଧାରିତ ଆପ୍ଲିକେସନ୍ ବିକଶିତ କରାଯାଇଛି ।
ଜରୁରୀକାଳୀନ ସହାୟତା ବ୍ୟବସ୍ଥା (ଇଆରଏସଏସ) କାର୍ଯ୍ୟକାରୀ ହେଉଛି । ଏନଡିଏମଏର ଗାଇଡଲାଇନ ଅନୁଯାୟୀ, ଇଆରଏସଏସ, ଏସଇଓସି, ଏସଆରସି ଅଫିସ୍ ବର୍ଷସାରା ୨୪ଘଣ୍ଟିଆ କାର୍ଯ୍ୟକ୍ଷମ ହୋଇଛି ।
ପଞ୍ଚାୟରାତିରାଜ ଆଇନ ରେ ସଂଶୋଧନ, କ୍ୟାବିନେଟରେ ସଙ୍କଳ୍ପ ପାରିତ, ପାଠ୍ୟକ୍ରମରେ ବିପର୍ଯ୍ୟୟ ପରିଚାଳନା ନିୟମାବଳୀକୁ ସାମିଲ, ଗ୍ରାମ ପଞ୍ଚାୟତ ଓ ବ୍ଲକ ସ୍ତରରେ ଯୋଜନା ପ୍ରସ୍ତୁତି, ଗ୍ରାମ୍ୟ ସ୍ତରରେ ବିପର୍ଯ୍ୟୟ ପରିଚାଳନା ଯୋଜନା, ସୁନାମି ପ୍ରସ୍ତୁତି କାର୍ଯ୍ୟକ୍ରମ, ବଜ୍ରପାତ ସଚେତନତା କାର୍ଯ୍ୟକ୍ରମ, ସାପ କାମୁଡା ଜନିତ ମୃତ୍ୟୁ ହ୍ରାସ କାର୍ଯ୍ୟକ୍ରମ ଏବଂ ବିଦ୍ୟାଳୟରେ ସୁରକ୍ଷା କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହୋଇଛି ।
ଓସଡମା ପକ୍ଷରୁ ବିଭିନ୍ନ ସଂସ୍ଥା ସହିତ ରାଜିନାମା ସ୍ୱାକ୍ଷର କରାଯାଇଛି । ସରକାରୀ ଅଧିକାରୀ/କର୍ମଚାରୀ(ଗ୍ରୁପ୍-ଏରୁ ଗ୍ରୁପ୍-ଡି)ଙ୍କ ପ୍ରଶିକ୍ଷଣ ପାଇଁ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଓଏସଓୟୁ) ସହିତ ରାଜିନାମା ହୋଇଛି । ପଞ୍ଚାୟତିରାଜ ଏବଂ ପାନୀୟଜଳ ବିଭାଗ ଏବଂ ମହିଳା ଏବଂ ଶିଶୁ ବିକାଶ ବିଭାଗ ଅଧୀନରେ ଏସଆଇଆରଡି ଏବଂ ପଞ୍ଚାୟତିରାଜ ସଂସ୍ଥା ସେମାନଙ୍କର କର୍ମଚାରୀମାନଙ୍କୁ ବିପର୍ଯ୍ୟୟ ପରିଚାଳନାର ପ୍ରଶିକ୍ଷଣ ପ୍ରଦାନ କରିଛନ୍ତି । ଭୁବନେଶ୍ୱର ଓ କଟକ ଦୁଇଟି ସହରରେ ବ୍ୟାପକ ଅଗ୍ନି ସୁରକ୍ଷା ଲାଗି ଅଗ୍ନିଶମ ବିଭାଗ ବ୍ୟାପକ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ଅମ୍ରିତ ବିଶ୍ୱ ବିଦ୍ୟାପୀଠ ଭୂ ସ୍ଖଳନ ଏବଂ ଆଗୁଆ ସୂଚନା ପାଇଁ ସମ୍ବଲପୁର ସହରାଞ୍ଚଳର ବନ୍ୟା ଉପରେ ଅଧ୍ୟୟନ କରିଛି ।
ପ୍ରଶିକ୍ଷଣ ଏବଂ ଦକ୍ଷତା ବିକାଶ ଉପରେ ଗୁରୁତ୍ୱ ଦିଆଯାଇଛି । ଆଶ୍ରୟସ୍ଥଳୀ ସ୍ତରରେ ୪୦,୭୦୦ ଗୋଷ୍ଠି ସ୍ତରୀୟ ସ୍ୱେଚ୍ଛାସେବୀଙ୍କୁ ବିପର୍ଯ୍ୟୟ ପରିଚାଳନା ସଂକ୍ରାନ୍ତରେ ତାଲିମ ପ୍ରଦାନ କରାଯାଇଛି । ୧୮,୭୫୦ ଜଣ ବାତ୍ୟା ଆଶ୍ରୟସ୍ଥଳୀ ପରିଚାଳନା ଏବଂ ରକ୍ଷଣାବେକ୍ଷଣ କମିଟି (ସିଏସଏମଏମସି) ଏବଂ ବନ୍ୟା ଆଶ୍ରୟସ୍ଥଳୀ ପରିଚାଳନା ଏବଂ ରକ୍ଷଣାବେକ୍ଷଣ କମିଟି (ଏଫଏସଏମଏମସି)ର ସଦସ୍ୟମାନଙ୍କୁ ଗୋଷ୍ଠି ଭିତ୍ତିକ ଆଶ୍ରୟ ପରିଚାଳନା ଉପରେ ତାଲିମ ଦିଆଯାଇଛି ।
ରାଜ୍ୟରେ ୫୯ଟି ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ (ଏମସିଏସ୍) ଓ ବହୁମୁଖୀ ବନ୍ୟା ଆଶ୍ରୟସ୍ଥଳୀ (ଏମ୍ଏଫ୍ଏସ୍) ର୍ନିମାଣ କରାଯାଇଛି । ୬ଟି ଜିଲ୍ଲାରେ ୫୧ଟି ନୂତନ ଆଶ୍ରୟସ୍ଥଳୀ ପାଇଁ ମଞ୍ଜୁର କରାଯାଇଛି । ବାଗପଟିଆ ଥଇଥାନ କଲୋନୀ ପାଇଁ ପ୍ରଦାନ କରାଯାଇଥିବା ୨୨.୫୩ କୋଟି ଟଙ୍କା ସାମାଜିକ, ଶିକ୍ଷାଗତ, ସ୍ୱାସ୍ଥ୍ୟ, ଯୋଗାଯୋଗ, ଖେଳପଡ଼ିଆ, ଗୋଷ୍ଠୀ ଭିତ୍ତିଭୂମି, ଷ୍ଟ୍ରିଟ୍ ଲାଇଟିଂ, ଆଭ୍ୟନ୍ତରୀଣ ସଡ଼କ ବିକାଶ, ବିଦ୍ୟୁôତ ଇତ୍ୟାଦି ସାମାଜିକ ଗୋଷ୍ଠୀ ଭିତ୍ତିଭୂମି ଆଦିର ବିକାଶ ଏବଂ ଉନ୍ନତି ପାଇଁ ବ୍ୟବହୃତ ହୋଇଛି ।
ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଏବଂ ଓଡ଼ିଶା ସରକାର ପାରାଦୀପ, ଗୋପାଳପୁର, ସମ୍ବଲପୁର ଓ ବାଲେଶ୍ୱର ଭଳି ୪ଟି ସ୍ଥାନରେ ବାତ୍ୟା ଓ ଅନ୍ୟାନ୍ୟ ଆନୁଷଙ୍ଗିକ ପ୍ରସଙ୍ଗଗୁଡିକର ପ୍ରଭାବଶାଳୀ ଟ୍ରାକିଂ ପାଇଁ ଡପଲର ରାଡାର ଷ୍ଟେସନ ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।
ବିଭିନ୍ନ କାର୍ଯ୍ୟକଳାପ ଗ୍ରହଣ କରିବା ପାଇଁ ଏସଡିଏମଏଫ ଅଧୀନରେ ୧୫୮ କୋଟି ଟଙ୍କା ମଞ୍ଜୁର କରାଯାଇଛି । ସେଗୁଡିକ ମଧ୍ୟରେ ଓ ଜଳସଂପଦ ବିଭାଗକୁ ବାହାଡାନାଲାର ଗ୍ରୋଏନ ଓ ନଦୀ ମୁହାଣ ଖୋଳା ଏବଂ ମାର୍କଣ୍ଡଠାରେ ବାହାନାନାଲ୍ଲାର ନଦୀ ମୁହାଣ ଡ୍ରେଜିଂ ର୍ନିମାଣ କାର୍ଯ୍ୟ ପ୍ରଦାନ କରାଯାଇଛି ।
ଦେବଗଡ଼ର ଟଙ୍କଜୋରା ନାଳ ଉପରେ ୪.୫୦୦ କିଲୋମିଟରର ବକ୍ସ ସେଲ୍ କଲଭର୍ଟ ର୍ନିମାଣ ଯାହାକି ଗୋପପୁର, ବୁଢାଭୂୟାଁରେ ବନ୍ୟା ପ୍ରତିରୋଦ ସଡକ ନିର୍ମାଣ, ଯାଜପୁର ପାଣିକୋଇଲି ଡିଭିଜନରେ ବାଲିଚନ୍ଦ୍ରପୁର-ବାରିବେଣୀପୁର ୦/୦୦୦ କିଲୋମିଟରରୁ ୨୪/୫୦୦ କିଲୋମିଟର ପର୍ଯ୍ୟନ୍ତ ବନ୍ୟା ପ୍ରତିରୋଧୀ ରାସ୍ତା, ଯାଜପୁର ପାଣିକୋଇଲି ଡିଭିଜନରେ ବରୁଣ-ବରିକଳାମାଟିଆ ର ୦/୦୦ କିଲୋମିଟରରୁ ୨୫/୮୭୫ କିଲୋମିଟର ପର୍ଯ୍ୟନ୍ତ ବନ୍ୟା ପ୍ରତିରୋଧୀ ରାସ୍ତା ର୍ନିମାଣ କାର୍ଯ୍ୟ ପୂର୍ତ୍ତ ବିଭାଗକୁ ଦିଆଯାଇଛି । ଶକ୍ତି ବିଭାଗକୁ ଭୂତଳ କେବୁଲ ବିଛା କାର୍ଯ୍ୟ ପ୍ରଦାନ କରାଯାଇଛି ।