ପୁରୀ– ଆଜି ଦୋଳପୂର୍ଣ୍ଣିମା । ଏହି ପବିତ୍ର ତିଥିରେ ଭକ୍ତମାନେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ସୁନାବେଶ ଦର୍ଶନ କରିଛନ୍ତି । ସକାଳ ଧୂପ ପରେ ସୁନାବେଶ ଆରମ୍ଭ ହୋଇଛି । ସଂନ୍ଧ୍ୟାଧୂପ ପରେ ବେଶ ଓଲାଗି ହେବ । ବର୍ଷକ ମଧ୍ୟରେ ଅନୁଷ୍ଠିତ ଅନେକ ବେଶ ମଧ୍ୟରୁ ଶ୍ରୀଜୀଉମାଙ୍କର ସୁନାବେଶ ବା ରାଜବେଶ ଅତ୍ୟନ୍ତ ମନୋମୁଗ୍ଧକର । ଏହି ବେଶରେ ଠାକୁରମାନେ ବହୁ ପ୍ରକାର ସ୍ଵର୍ଣ୍ଣ ଅଳଙ୍କାରରେ ସଜ୍ଜିତ ହୋଇଥାନ୍ତି ।
ଶ୍ରୀଜୀଉଙ୍କ ସୁନାବେଶରେ ସୁବର୍ଣ୍ଣ ଶ୍ରୀଭୁଜ-୪ଟି, କିରୀଟ-୩ଟି, ଶ୍ରୀପୟର-୪, କର୍ଣ୍ଣ(କାନ)-୬, ଓଡିଆଣୀ-୩, ଚନ୍ଦ୍ରସୂର୍ଯ୍ୟ-୬, କୁଣ୍ଡଳ-୪, ଚିତା(ତିଳକ)-୨, ଚନ୍ଦ୍ରିକା-୨, ଘାଘଡା ମାଳି-୧, କଦମ୍ବ ମାଳୀ-୪, ହରିଡା କଦମ୍ବ ମାଳୀ-୧, ବାହାଡ଼ା ମାଳୀ-୨, ତାବିଜ ମାଳୀ-୧, ବାଘନଖି ମାଳୀ-୧, ସେବତୀମାଳୀ-୩, ହଳ ମୂଷଳ-୨, ଚକ୍ର-୧, ତ୍ରିଶାଖା-୨, ଅଳକା-୩, ଶ୍ରୀମୁଖପଦ୍ମ-୪, ରୂପା ଶଙ୍ଖ-୧, ତଗଡି-୨ଟି ଆଦି ରତ୍ନଅଳଙ୍କାର ବ୍ୟବହୃତ ହୋଇଥାଏ ।
ପ୍ରତିବର୍ଷ ମହାପ୍ରଭୁଙ୍କର ଏହି ରାଜବେଶ ବା ସୁନାବେଶ ପ୍ରାୟ ୫ ଥର ହୋଇଥାଏ । ଏହା ସାଧାରଣତଃ ବିଜୟାଦଶମୀ (ଦଶହରା), ପୌଷ ପୂର୍ଣ୍ଣିମା(ପୁଷ୍ୟାଭିଷେକ), ଦୋଳ ପୂର୍ଣ୍ଣିମା, କାର୍ତିକ ପୂର୍ଣ୍ଣିମା ଓ ଆଷାଢ଼ ଶୁକ୍ଳ ଏକାଦଶୀ(ରଥ ଉପରେ ) ଦିନ ଅନୁଷ୍ଠିତ ହୋଇଥାଏ । ତ୍ରୟୋଦଶ ଶତାବ୍ଦୀରେ ଗଙ୍ଗବଂଶର ରାଜା ତୃତୀୟ ଅନଙ୍ଗଭୀମଦେବ ପୁରୁଷୋତମ ଜଗନ୍ନାଥଙ୍କୁ ଉତ୍କଳର ସମ୍ରାଟ ତଥା ରାଷ୍ଟ୍ର ଦେବତା ବୋଲି ଘୋଷଣା କରିଥିଲେ । ଏପରିକି ରାଜା କପିଳେନ୍ଦ୍ରଦେବ ନିଜକୁ ଜଗନ୍ନାଥଙ୍କ ରାଉତ ଓ ପୁତ୍ର ବୋଲି ଏକ ଶିଳାଲିପିରେ ଉଲ୍ଲେଖ କରିବା ସହିତ ପ୍ରଚୁର ପରିମାଣରେ ସୂର୍ଣ୍ଣ, ରୌପ୍ୟ, ମଣି, ମୁକ୍ତା, ହୀରା, ନୀଳା ଇତ୍ୟାଦି ମୂଲ୍ୟମାନ ରତ୍ନ ଅଳଙ୍କାର ଶ୍ରୀଜୀଉମାନଙ୍କୁ ଅର୍ପଣ କରିଥିବାରୁ ସେ ସମୟରେ ରୀତି, ନୀତି ଓ ପରମ୍ପରାକୁ ନେଇ ସୁନାବେଶର ସୃଷ୍ଟି ହୋଇଥିବାର ଅନୁମାନ କରାଯାଏ । ସୁନାବେଶରେ ଐଶୂର୍ଯ୍ୟ ଭାବ ପ୍ରକାଶିତ ହୋଇଥାଏ ।
ଗବେଷକମାନେ ସୁନାବେଶର ଉତ୍ପତି ୧୨୩୨ ଖ୍ରୀଷ୍ଟାବ୍ଦ ବୋଲି ନିରୂପଣ କରିଛନ୍ତି । ବର୍ଷକ ମଧ୍ୟରେ ମୋଟ ୫ ଥର ସୁନାବେଶ ମଧ୍ୟରୁ ୪ଟି ସୁନାବେଶ ବା ରାଜବେଶ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଥିବାବେଳେ ଆଷାଢ଼ ମାସ ଶୁକ୍ଳ ଏକାଦଶୀ ଦିନ ସିଂହଦ୍ଵାର ସମ୍ମୁଖରେ ରଥ ଉପରେ ଶ୍ରୀବିଗ୍ରହମାନ ସୁନାବେଶକୁ ସର୍ବ ଧର୍ମ, ସର୍ବ ମତବାଦର ଜନସାଧାରଣ ତଥା ଭକ୍ତଗଣ ଦର୍ଶନ କରିଥାନ୍ତି । ସୁନା ବେଶର ଅନ୍ୟ ନାମ ହେଉଛି ରାଜବେଶ ଓ ରାଜରାଜେଶ୍ଵର ବେଶ । ଏହି ନୀତି ୩୨ ମୂର୍ତି ଅଳଙ୍କାର ଲାଗି କରାଯାଇ ରାଜବେଶ କରାଯାଏ । ଏହା ସାଙ୍ଗକୁ ବେଶ ସମୟରେ ଠାକୁରମାନଙ୍କୁ ୫ ଖଣ୍ଡ ପୁଷ୍ପମାଳ ଲାଗି କରାଯାଏ ।
ଦୋଳପୂର୍ଣ୍ଣିମା ଉପଲକ୍ଷେ ଅପରାହ୍ନରେ ଦୋଳବେଦିକୁ ବିଜେ କରି ଫଗୁ ଖେଳିବେ ଚତୁର୍ଦ୍ଧାମୂର୍ତି ।