ଚମ୍ପୁଆ, ବିଜୁ ସ୍ଵାସ୍ଥ୍ୟ ଯୋଜନାରେ ଲୋକଙ୍କୁ ମାଗଣାରେ ସ୍ଵାସ୍ଥ୍ୟ ସେବା ଯୋଗାଇ ଦିଆ ଯାଉଥିବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଆମ ଓଡ଼ିଶା ନବିନ ଓଡ଼ିଶା, ଆମ ପଞ୍ଚାୟତର ବିକାଶ ପୁସ୍ତିକାରେ ଫଟୋ ସହ ଦିଆଯାଉଛି ବଡ ବଡ ବିଜ୍ଞାପନ, ହେଲେ ବାସ୍ତବ ଚିତ୍ର ଅଲଗା । ବିନା ରୋଗରେ ଲୋକଙ୍କୁ ରୋଗୀ ସଜେଇବା ସହିତ କୌଣସି ସହାୟତା ନ ଯୋଗେଇ ମିଛ ବିଜ୍ଞାପନ ଦିଆଯାଇଥିବା ଜଣାପଡିଛି। କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ୍ ଭଣ୍ଡା ଗ୍ରାମର ଚିତ୍ର ମଣି ମହାରଣାଙ୍କୁ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନାରେ ତାଙ୍କର ଚିକିତ୍ସା ପାଇଁ ସରକାର ପାଞ୍ଚ ଲକ୍ଷ ଟଙ୍କା ଯୋଗାଇ ଦେବା ନେଇ ବିଜ୍ଞାପନରେ ଫଟୋ ସହ ପ୍ରକାଶ କରାଯାଇଛି । ଆର୍ଥୀକ ସ୍ଥିତି ସୁଦୃଢ ନ ଥିବା ଚିତ୍ରମଣିଙ୍କ ହୃଦୟ ପ୍ରତିରୋପଣ ପାଇଁ ୫ ଲକ୍ଷ ଟଙ୍କାର ଚିକିତ୍ସା ସହାୟତା ଯୋଗାଇ ଦିଆଯାଇଥିବା ବିଜ୍ଞାପନରେ ପ୍ରକାଶ ପାଇବା ପରେ ଏବେ ବିଜ୍ଞାପନ ଦେଖି ମର୍ମାହତ ହୋଇଛନ୍ତି ଚିତ୍ରମଣିଙ୍କ ପରିବାର ଲୋକେ । ଏପରି ତାଙ୍କର କୌଣସି ରୋଗ ନ ଥିବା ବେଳେ ତାଙ୍କୁ କୌଣସି ଆର୍ଥିକ ସହାୟତା ମଧ୍ୟ ଦିଆଯାଇ ନାହିଁ । ବିଜୁ କଲ୍ୟାଣ ସ୍ଵାସ୍ଥ୍ୟ ଯୋଜନାରେ ତାଙ୍କୁ କେବଳ କାର୍ଡ ମିଳିଥିବା ବେଳେ ନିକଟରେ ବିଜ୍ଞାପନ ପୁସ୍ତିକା ଛାପିବା ପାଇଁ ଭଣ୍ଡା ଗ୍ରାମ ପଞ୍ଚାୟତର ଦୁଇ ଜଣ ୱାର୍ଡ ମେମ୍ବର ଚିତ୍ରମଣିଙ୍କ ଘରକୁ ଯାଇ ତୁମେ ସ୍ଵାସ୍ଥ୍ୟ କାର୍ଡ ପାଇଛ, ଏଣୁ କାର୍ଡ ଧରି ଛିଡା ହୁଅ କହି କାର୍ଡ ଧରାଇ ଛିଡା କରି ଫଟୋ ଉଠାଇ ନେଇ ଥିଲେ। ଏବେ ତାଙ୍କର ଏହି ଫଟୋ ବିଜ୍ଞାପନ ପୁସ୍ତିକାରେ ମିଛ ଵିଜ୍ଞାପନ ଦେଇ ଛପାଯିବା ପଛରେ କି ରହସ୍ୟ ରହିଛି ତାହା ତଦନ୍ତ ସାପେକ୍ଷ। ମୂଳରୁ କୌଣସି ରୋଗ ହୋଇ ନ ଥିବା ବ୍ୟକ୍ତିଙ୍କ ଫଟୋ ଅଣାଯାଇ ଵିଜ୍ଞାପନ ପୁସ୍ତିକାରେ ଚିତ୍ରମଣି ଯାଗାରେ ରାଇମଣି ଲେଖି ପାଞ୍ଚ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦେଇଥିବା କଥା ପ୍ରଚାର କରାଯାଇ ଥିବାରୁ ଏବେ ଚିତ୍ରମଣି ଆଇନର ଆଶ୍ରୟ ନେବାକୁ ସଜବାଜ ହେଉଥିବା ଜଣାପଡିଛି। ରୋଗର ଦେଖା ନାହିଁ, ଆର୍ଥିକ ସହାୟତା ମଧ୍ୟ ନାହିଁ ମାତ୍ର ଵିଜ୍ଞାପନରେ ନାମକୁ ସାମାନ୍ୟ ପରିବର୍ତ୍ତନ କରି ତାଙ୍କ ଫଟୋ ଛପାଯିବା ପଛରେ ରହିଥିବା ରହସ୍ୟର ପର୍ଦାଫାଶ ପାଇଁ ଦାବି ହେଉଛି। ତେବେ ଏହାକୁ ନେଇ ଚିତ୍ରମଣିଙ୍କ ପରିବାର ଲୋକ ମନସ୍ତାପରେ ଥିବା ବେଳେ ଏହାକୁ ନେଇ ଭଣ୍ଡା ପଞ୍ଚାୟତର ନିର୍ବାହୀ ଅଧିକାରୀ ଜୁଲି ସର୍ଦ୍ଦାରଙ୍କୁ ଯୋଗାଯୋଗ କରାଯିବାରୁ କେବଳ ବିଏସକେୱାଇ କାର୍ଡ ପାଇଥିବା ନେଇ ଲେଖା ଦିଆଯାଇଥିଲା। ବ୍ଲକ ତରଫରୁ ଭୁଲ ରେ ଛପା ହୋଇଥିବା କହିଥିବା ବେଳେ ଏହାକୁ ନେଇ ଚମ୍ପୁଆ ବିଡିଓ ରାଜା ରଞ୍ଜିତ ପ୍ରତାପ ବଳଙ୍କୁ ଯୋଗାଯୋଗ କରାଯିବାରୁ ଫଟୋ ବ୍ଲକ ତରଫରୁ ଦିଆଯାଇଥିଲା। କାର୍ଡ ପାଇବା ନେଇ ତାଙ୍କ ପରିବାର ଖୁସି ବ୍ୟକ୍ତ କରିଥିବା ପୁସ୍ତିକାରେ ଛପା ଯିବା ପାଇଁ ପଠା ଯାଇଥିଲା। ମାତ୍ର ଭୁଲରେ ଏହା ଛପା ଯାଇଛି, ଏହାର ଶୀଘ୍ର ସଂଶୋଧନ ହେବ ବୋଲି ସଫେଇ ଦେଇଥିଲେ।
Related Stories
November 21, 2024
November 21, 2024