ମୁମ୍ବାଇ, ଆରବ ସାଗରରେ ଭାରତୀୟ ନୌସେନାର ଏକ ଅଭିଯାନ ସମୟରେ ଧରାହୋଇଥିବା 35 ସୋମାଲିଆ ସାମୁଦ୍ରିକ ଲୁଟେରାଙ୍କୁ ଶନିବାର ସକାଳେ ଆଇଏନଏସ-କୋଳକାତାରୁ ମୁମ୍ବାଇ ଅଣାଯାଇଛି । ନୌସେନା ଏମାନଙ୍କୁ ପୋଲିସର ହସ୍ତାନ୍ତର କରିଛି । ଅପରେସନ ସଂକଳ୍ପ ଅନ୍ତର୍ଗତ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଏହି ଅଭିଯାନରେ ନୌସେନାର ଜାହଜକୁ ଆରବ ସାଗର ଓ ଅଦନ ଉପକୂଳରେ ମୁତୟନ କରାଯାଇଛି ।
ନୌସେନା ମୁତାବକ ଡିସେମ୍ବର 14ରେ ସୋମାଲିଆର ସାମୁଦ୍ରିକ ଦସ୍ୟୁ ମାଲ୍ଟାର ଜାହଜକୁ ହାଇଜାକ କରିନେଇଥିଲେ । ଏହାକୁ ବଂଚାଇବାକୁ ମାର୍ଚ୍ଚ 15ରେ ଭାରତୀୟ ନୌସେନାର ହେଲିକପ୍ଟର ସେମାନଙ୍କ ପାଖରେ ପଂହଚିଥିଲା । ଏହି ସମୟରେ ଜଳଦସ୍ୟୁମାନେ ହେଲିକପ୍ଟର ଉପରକୁ ଫାୟାରିଂ କରିଥିଲେ । ନୌସେନା ଦସ୍ୟୁମାନଙ୍କୁ ଆତ୍ମସମର୍ପଣ କରିବାକୁ କହିଥିଲା । ମାର୍ଚ୍ଚ 16ରେ ଏମାନେ ନୌସେନା ନିକଟରେ ଆତ୍ମସମର୍ପଣ କରିଥିଲେ ।