ରାଉରକେଲା- ବିଗତ ୬ ମାସ ତଳେ ନିଜ ଝିଅ ଲାଗି ରାଉରକେଲା ପୁଲିସ ଜିଲ୍ଲାର ସେକ୍ଟର ୭ ଥାନାକୁ ଦଉଡି ଦଉଡି ନ୍ୟାୟ ନପାଇ ହତାଶ ହୋଇ ଶେଷରେ ଆଜି ରେଳ ସମ୍ମୁଖକୁ ଡେଇଁ ଆତ୍ମହତ୍ୟା ଲାଗି ଉଦ୍ୟମ କରୁଥିବା ଜନୈକା ମହିଳାଙ୍କୁ ରାଉରକେଲା ଜିଆରପି ପୁଲିସର ଜଣେ ଏସଆଇ ରକ୍ଷା କରିଛନ୍ତି । ମହିଳା ଜଣକ ହେଲେ ଚଂପା ବନିଆ । ସେ ସେକ୍ଟର ୬ ଲେପ୍ରୋସି ବସ୍ତିରେ ରହୁଥିଲେ । ସେହି ଅଂଚଳର ଜଣେ ଯୁବକ ତାଙ୍କ ଅଷ୍ଟମ ଶ୍ରେଣୀରେ ପାଠ ପଢୁଥିବା ଝିଅକୁ ନେଇ ଫେରାର ହୋଇଯାଇଥିଲା । ଏନେଇ ଚଂପା ୭ ନମ୍ବର ଥାନାରେ ଏତଲା ଦେଇଥିଲେ । ହେଲେ ପୁଲିସ ସେ ମାମଲାର ସମାଧାନ କରିପାରିଲାନି । ଖାଲି ସେତିକି ନୁହେଁ ସେହି ଥାନାର କୌଣସି ବାବୁ ଅଭିଯୁକ୍ତକୁ ସହଯୋଗ କରୁଛନ୍ତି ବୋଲି ମଧ୍ୟ ମହିଳା ଜଣକ ଅଭିଯୋଗ ଆଣିଛନ୍ତି । ତେବେ ଏଥିରେ ବ୍ୟତିବ୍ୟସ୍ତ ହୋଇ ଲଜ୍ଜ୍ୟାରେ ମହିଳା ଜଣକ ରାଉରକେଲା ଛାଡିଦେଇ ବରଗଡ ଲେପ୍ରୋସି ବସ୍ତିକୁ ଚାଲିଯାଇଥିଲେ । ଏତିକି ଭିତରେ ତାଙ୍କ ଝିଅ ଫୋନ କରି ପାଠ ପଢିବାକୁ ଚାହୁଁଥିବା କହିବା ସହ ତାକୁ ହଷ୍ଟେଲରେ ରଖି ପଢାଇବାକୁ ଝିଅ କହିଥିଲା । ଗତକାଲି ଏହି ମହିଳା ଜଣକ ତାଙ୍କ ଝିଅ ଥିବା ଯାଗାରେ ପହଁଚି ଆଜି ଝିଅକୁ ନେଇ ଫେରିବା ରାସ୍ତାରେ ଝିଅକୁ ନେଇଯାଇଥିବା ଯୁବକ ପୁଣି ରାସ୍ତା ରୋକିବାରୁ ଏଥିରେ ନିଜକୁ ଅସହାୟ ମନେ କରି ମହିଳା ଜଣକ ରେଳ ଗାଡି ଆଗକୁ ଯାଉଥିଲେ ଆତ୍ମହତ୍ୟା କରିବାକୁ । ଏତିକି ବେଳେ ସେହି ଇଲାକାରେ ପେଟ୍ରୋଲିଂ କରୁଥିବା ପୁଲିସ ଏସଆଇ ଦେବେନ୍ଦ୍ର ନାୟକ ମହିଳା ଜଣଙ୍କୁ ଉଦ୍ଧାର କରିଥିଲେ । ସମସ୍ତ ଘଟଣା ବୁଝିବା ପରେ ମହିଳା ଜଣଙ୍କୁ ସେକ୍ଟର ୭ ଥାନାକୁ ପଠାଇ ଦିଆଯାଇଥିବା ପ୍ରକାଶ ।