ଭୁବନେଶ୍ୱର, ଗୁରୁରାବ ଦିନ ପ୍ରଥମାର୍ଧରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସରେ ବ୍ରହ୍ମପୁର ଓ ଆସ୍କା ଲୋକସଭା କ୍ଷେତ୍ର ସମ୍ପର୍କରେ ନିର୍ବାଚନ ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଛନ୍ତି ।
ପ୍ରଥମେ ବ୍ରହ୍ମପୁର ଲୋକସଭା ଆସନକୁ ନେଇ ସମୀକ୍ଷା ହୋଇଥିଲା । ଏହି ଅବସରେ ବୈଠକରେ ବ୍ରହ୍ମପୁର ସାଂସଦଙ୍କ ସହ ଲୋକସଭା କ୍ଷେତ୍ରରେ ଆସୁଥିବା ସମସ୍ତ ବିଧାନସଭା ଆସନର ବିଧାୟକ, ବରିଷ୍ଠ ନେତା ଓ ପର୍ଯ୍ୟବେକ୍ଷକ ଉପସ୍ଥିତ ଥିଲେ । ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ, ବରିଷ୍ଠ ନେତା ଭି କାର୍ତ୍ତିକ ପାଣ୍ଡିଆନ, ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ପର୍ଯ୍ୟବେକ୍ଷକ ମାନସ ମଙ୍ଗରାଜ ପ୍ରମୁଖ ଉପସ୍ଥିତ ଥିଲେ ।
ବ୍ରହ୍ମପୁର ଲୋକସଭା ଆସନ ସମ୍ପର୍କରେ ସମୀକ୍ଷା ପରେ ଗଜପତି ଜିଲ୍ଲା ପର୍ଯ୍ୟବେକ୍ଷକ ଅତନୁ ସବ୍ୟସାଚୀ ନାୟକ ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେଇ କହିଥିଲେ ଯେ ବ୍ରହ୍ମପୁର ଲୋକସଭା କ୍ଷେତ୍ର ଅଧିନରେ ଥିବା ସମସ୍ତ ବିଧାନସଭା ଆସନ ନେଇ ଆଲୋଚନା ହୋଇଛି । ସବୁ ନିର୍ବାଚନମଣ୍ଡଳୀରେ କିଭଳି ବିଜୟ ହେବ ସେନେଇ ଆଲୋଚନା କରାଯାଇଛି । ସବୁ ଆସନରେ ୨୦୨୪ ନିର୍ବାଚନ ଜିତିବା ପାଇଁ ମିଳିମିଶି କାମ କରିବାକୁ ପରାମର୍ଶ ଦିଆଯାଇଛି ।
ସେହିପରି ଆସିକା ଲୋକସଭା କ୍ଷେତ୍ର ସମୀକ୍ଷା ଶେଷ ହେବାପରେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ବୈଠକରେ ସାଂଗଠନିକ ସ୍ଥିତି ନେଇ ଆଲୋଚନା ହୋଇଛି । ଲୋକସଭା ଓ ସମସ୍ତ ବିଧାନସଭାରେ କିଭଳି ଭାବେ ସଂଗଠନ ସୁଦୃଢ ହେବ, ସେ ଦିଗରେ ବି ଆଲୋଚନା କରାଯାଇଛି ।