
-
ଗ୍ୟାସ୍ ସିଲିଣ୍ଡରରେ ନିଆଁ ଲାଗି ଦୁର୍ଘଟଣା
ଜୟପୁର– ରାଜସ୍ଥାନର ଜୟପୁର ଜିଲ୍ଲାର ବିଶ୍ଵକର୍ମା ଥାନା ଅଂଚଳରେ ଗୁରୁବାର ସକାଳ ପ୍ରାୟ ସାଢ଼େ ୭ଟା ସମୟରେ ଚା ଜଳଖିଆ ପ୍ରସ୍ତୁତି ସମୟରେ ଗ୍ୟାସ୍ ସିଲିଣ୍ଡରରୁ ପାଇପ୍ ହଠାତ୍ ବାହାରି ଆସିବା ଫଳରେ ନିଆଁ ଲାଗି ଗୋଟିଏ ପରିବାରର ୫ ଜଣ ଜୀବନ୍ତ ଜଳି ଯାଇଛନ୍ତି । ମୃତକଙ୍କ ମଧ୍ୟରେ ରହିଛନ୍ତି ମାତା ପିତା ଏବଂ ତିନି ଶିଶୁ । ପୋଲିସ ଏବଂ ଦମକଳ ବାହିନୀର ଗାଡି ଘଟଣାସ୍ଥଳରେ ପହଂଚିଥିଲା । ଏବଂ ନିଆଁକୁ ସମ୍ପୂର୍ଣ୍ଣ ଆୟତ କରାଯିବା ପରେ ଶବ ଗୁଡିକୁ ସେଠାରୁ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ନିମନ୍ତେ ହସ୍ପିଟାଲରେ ଭର୍ତି କରାଯାଇଛି ।
ଜୟପୁର ପଶ୍ଚିମର ପୋଲିସ ଉପ ଆୟୁକ୍ତ ଅମିତ କୁମାର ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଏନେଇ ସୂଚନା ଦେଇ କହିଛନ୍ତି ଯେ, ବିଶ୍ଵକର୍ମା ଥାନା ଅନ୍ତର୍ଗତ ଜୈସଲ୍ଲା ଗ୍ରାମରେ ଏହି ଅଘଟଣ ଘଟିଛି । ସକାଳେ ଚା ଜଳଖିଆ ପ୍ରସ୍ତୁତି ସମୟରେ ଗ୍ୟାସ୍ ସିଲିଣ୍ଡରରୁ ପାଇପ୍ ହଠାତ୍ ବାହାରି ଆସିବା ଫଳରେ ନିଆଁ ଲାଗି ରାଜେଶ (୨୬), ତାଙ୍କ ପତ୍ନୀ ରୁବି (୨୪), ଇଶୁ (୭), ଦିଲଖୁସ (୨) ଏବଂ ଖୁସମାନି (୪)ଙ୍କ ମୃତ୍ୟୁ ଘଟିଛି । ଏହି ପରିବାର ବିହାରର ମଧୁବନୀ ଅଂଚଳର ହୋଇଥିବା ବେଳେ ଏଠାରେ ଘରଭଡ଼ା ନେଇ ରହୁଥିଲେ । ରାଜେଶ ଏକ କାରଖାନାରେ କାମ କରୁଥିଲେ । ତାଙ୍କ ପରିବାର ପ୍ରାୟ ୪ରୁ ୫ ମାସ ହେବ ଏଠାରେ ରହୁଥିଲେ । କିଛି ଦିନ ହେବ ସେ ଛୁଟୀରେ ବିହାର ଯାଇଥିବା ବେଳେ ଗତକାଲି ସଂନ୍ଧ୍ୟାରେ ଏଠାକୁ ଫେରିଥିଲେ । ହେଲେ ଆଜି ସକାଳେ ଏହି ଅଘଟଣ ଘଟିଛି ।