
କନ୍ଧମାଳ– ଆନ୍ଧ୍ରପ୍ରଦେଶ ବିଜୟନଗରମ ଠାରେ ଟ୍ରେନରେ ଦୁର୍ଘଟଣା ଘଟି ଫୁଲବାଣୀ ନଦିଖଣ୍ଡି ସାହିର ଜଣେ ଯୁବକ ମୋହନ ସାହୁ (୪୨)ଙ୍କ ମୃତ୍ୟୁ ଘଟିଛି। ସୁଚନା ଅନୁସାରେ ମୋହନ ତାଙ୍କ ପିତା ଓ ପରିବାର ସହ ତିରୁପତି ବୁଲିବା ପାଇଁ ଯାଇଥିଲେ। ଗତ ରବିବାର ଦିନ ବୁଲାବୁଲି ସାରି ଟ୍ରେନ୍ ଯୋଗେ ଫେରୁଥିବା ବେଳେ ସୋମବାର ମଧ୍ୟରାତ୍ରରେ ସମସ୍ତେ ଶୋଇଥିବା ବେଳେ ମୋହନ ପରିସ୍ରା କରିବା ପାଇଁ ଉଠି ଟ୍ରେନର ଶୌଚାଳୟକୁ ଯାଇଥିଲେ। ଶୌଚାଳୟରୁ ବାହାରି ନିଜ ବର୍ଥକୁ ଫେରିବା ବାଟରେ ଗେଟ ପାଖରେ ପଡିଥିବା ପାଣିରେ ତାଙ୍କର ଗୋଡ ଖସିଯିବାରୁ ସେ ଟ୍ରେନ୍ ବାହାରକୁ ଖସି ପଡିଥିଲେ। ଫଳରେ ଟ୍ରେନର ଟ୍ରାକ୍ ଭିତରେ ପଡି ଯାଇଥିଲେ। ଏହା ଦ୍ବାରା ତାଙ୍କ ସମ୍ପୁର୍ଣ୍ଣ ଶରୀର ଛିନ୍ନବିଛିନ୍ନ ହୋଇଯାଇଛି। ଏହା ତାଙ୍କ ପରିବାର ଲୋକେ ଜାଣିବା ବେଳକୁ ଟ୍ରେନଟି ପ୍ରାୟ ୭୦ କିମି ଦୁରକୁ ଚାଲି ଯାଇଥିଲା। ପରିବାର ଲୋକେ ଟ୍ରେନକୁ ଅଟକାଇ ଖୋଜାଖୋଜି କରିବା ବେଳକୁ ମୋହନ ବିଜୟନଗରମ ନିକଟରେ ପଡିରହିଥିବା ସୁଚନା ପାଇଲେ। ଆଜି ରେଳବାଇ ପୋଲିସ ଶବକୁ ବ୍ୟବଚ୍ଛେଦ କରି ପରିବାରକୁ ହସ୍ତାନ୍ତର କରିଛନ୍ତି। ମୋହନଙ୍କ ସ୍ତ୍ରୀ ଏବଂ ଦୁଇଟି ପୁଅ ସମେତ ମାତା ପିତା ଭାଇ ମାନେ ଫୁଲବାଣୀରେ ଅଛନ୍ତି। ମୋହନ ଜଣେ ମେଳାପି ଓ ମିଷ୍ଟଭାସି ଯୁବ ବ୍ୟବସାୟୀ ଥିଲେ। ତାଙ୍କର ଏହି ଆକସ୍ମିକ ମୃତ୍ୟୁରେ ତାଙ୍କ ପରିବାର ସମେତ ସମଗ୍ର ନଦିଖଣ୍ଡି ସାହି ଅଂଚଳରେ ଶୋକର ଛାୟା ଖେଳିଯାଇଛି।