ଗଢ଼ଚିରୌଲି- ମହାରାଷ୍ଟ୍ର-ଛତିଶଗଡ଼ ସୀମାର କୋଲାମରକା ଜଙ୍ଗଲରେ ଆଜି ମଙ୍ଗଳବାର ତେଲେଙ୍ଗାନାରୁ ଗଢ଼ଚିରୌଲିରେ ପଶିଥିବା ନକ୍ସଲ ଓ ପୋଲିସ ମଧ୍ୟରେ ଭୀଷଣ ସଂଘର୍ଷରେ ୪ ଜଣ ନକ୍ସଲ ନିହତ ହୋଇଛନ୍ତି । ତନ୍ମଧ୍ୟରେ ରହିଛି ନକ୍ସଲବାଦୀ କ୍ଷେତ୍ରିୟ ସମିତିର ସଦସ୍ୟ ବର୍ଗେଶ, ମଂଗି ଇନ୍ଦ୍ରବେଲି କ୍ଷେତ୍ର ସମିତିର ସଚିବ କୁଂମରାମ ଭୀମ, ସିରପୁର ଚେନୁର କ୍ଷେତ୍ର ସମିତିର ସଦସ୍ୟ ରାଜୁ କୁରସାଂଗ ଏବଂ କୁଟ୍ଟିମେଟ୍ଟା ବ୍ୟଂକଟେଶ ସାମିଲ୍ ଅଛନ୍ତି ।
ପୋଲିସକୁ ସୂଚନା ମିଳିଥିଲା ଯେ, ତେଲେଙ୍ଗାନାର କିଛି ମାଓବାଦୀ ସୋମବାର ଦ୍ବିପ୍ରହରରେ ପ୍ରାଣହିତା ନଦୀ ପାର୍ ହୋଇ ଗଢ଼ଚିରୌଲିରେ ପ୍ରବେଶ କରିଥିଲେ । ଏହାପରେ ଆଂଟି ନକ୍ସଲ ସ୍କ୍ବାଡ୍ ର ଆଡିସିନାଲ ଏସପି ୟତିଶ ଦେଶମୁଖଙ୍କ ନେତୃତ୍ଵରେ ସି-୬୦ ଏବଂ ସିଆରପିଏଫ କ୍ୟୁ.ଏ.ଟି. ର କେତେକ ଟିମ୍ ଅହେରି ଉପ ପୋଲିସ ମୁଖ୍ୟାଳୟରୁ ନକ୍ସଲଙ୍କ ତଲାସରେ ଲାଗି ପଡିଥିଲେ ।
ଆଜି ରେପନପଲ୍ଲୀରୁ ୫ କି.ମି. ଦୂର କୋଲାମରକାର ପାହାଡ଼ରେ ତଲାସୀ ଅଭିଯାନ ବେଳେ ଯବାନ ମାନଙ୍କ ଉପରକୁ ଆଖିବୁଜା ଗୁଳିଚାଳନା କରିଥିଲେ ନକ୍ସଲ । ଯବାନମାନେ ନକ୍ସଲ ମାନଙ୍କୁ ଏହାର ପାଲଟା ଜବାବ ଦେଇଥିଲେ । ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ଶେଷ ହେବା ପରେ ସମ୍ପୃକ୍ତ ଅଂଚଳରେ ସର୍ଚ୍ଚ ଅପରେସନ ବେଳେ ଏହି ୪ ଜଣ ନକ୍ସଲଙ୍କ ଶବ ଜବତ ହୋଇଥିଲା । ଘଟଣାସ୍ଥଳରୁ ଗୋଟିଏ ଏକେ-୪୭, ଏକ କାର୍ବାଇନ ଏବଂ ଦୁଇଟି ଦେଶି ପିସ୍ତଲ, ନକ୍ସଲ ସାମଗ୍ରୀ ଏବଂ ଅନ୍ୟାନ୍ୟ ଉପକରଣ ଜବତ କରିଛି ।
ଅନ୍ୟପକ୍ଷରେ ମହାରାଷ୍ଟ୍ର ସରକାର ଲୋକସଭା ନିର୍ବାଚନ ପୂର୍ବରୁ ୪ ଜଣ ନକ୍ସଲଙ୍କୁ ମାରିଥିବା ସି-୬୦ ଟିମ୍ କୁ ୩୬ ଲକ୍ଷ ଟଙ୍କା ନଗଦ ଅର୍ଥରାଶି ପୁରସ୍କାର ଘୋଷଣା କରିଛନ୍ତି ।