ମାଲକାନଗିରି-ପାଠପଢ଼ା ସହ ଖେଳକୁଦ ପିଲାମାନଙ୍କ ଶାରିରୀକ, ମାନସିକ ଓ ବୌଦ୍ଧିକ ବିକାଶରେ ସହାୟକ ହୁଏ।ସେଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଦ୍ୟାଳୟସ୍ତରରୁ କ୍ରୀଡାକୁ ଗୁରୁତ୍ବ ଦେଇ ଆସୁଛନ୍ତି।କ୍ରୀଡା କ୍ଷେତ୍ରରେ ଅଗ୍ରଗତି ପାଇଁ ସରକାର ବିଭିନ୍ନ ଯୋଜନା ମଧ୍ୟ କରି ବିଦ୍ୟାଳୟଗୁଡିକୁ ଅର୍ଥ ପ୍ରଦାନ କରୁଛନ୍ତି।ପିଲାଙ୍କ ପାଇଁ କ୍ରିଡା ସାମଗ୍ରୀ କିଣାଯାଉଛି ସତ କିନ୍ତୁ ଖେଳିବା ପାଇଁ ପଡିଆର ଅଭାବ ରହିଛି।ଯାହାଫଳରେ ପିଲାମାନେ ପଡିଆରେ ଖେଳିବା ପାଇଁ ସୁବିଧା ପାଇପାରୁନାହାନ୍ତି।ମାଲକାନଗିରି ଜିଲ୍ଲାରେ ବହୁ ବିଦ୍ୟାଳୟରେ ନିଜସ୍ବ ଖେଳପଡିଆ ନଥିବାର ଦୃଶ୍ୟ ଦେଖିବାକୁ ମିଳିଛି।ଭିତ୍ତିଭୂମି ଅଭାବରୁ ଜିଲ୍ଲାରେ ବିଦ୍ୟାଳୟ ସ୍ତରରେ କ୍ରୀଡା କ୍ଷେତ୍ରରେ କିଭଳି ଉନ୍ନତି ହେବ ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି।ମାଲକାନଗିରି ଜିଲ୍ଲାରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ ୧୨୮୧ଟି ସରକାରୀ ବିଦ୍ୟାଳୟ ରହିଛି।ସେଥିମଧ୍ୟରେ ୮୧୭ଟି ପ୍ରାଥମିକ ବିଦ୍ୟାଳୟ, ୩୪୯ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,୧୦୪ଟି ଉଚ୍ଚ ବିଦ୍ୟାଳୟ,୪ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ୭ଟି ଓଡିଶା ଆଦର୍ଶ ବିଦ୍ୟାଳୟ ରହିଛି।ଶିକ୍ଷାବିଭାଗର ରିପୋର୍ଟ ଅନୁଯାୟୀ, ଜିଲ୍ଲାରେ ୨୧୫ଟି ବିଦ୍ୟାଳୟରେ ଖେଳ ପଡିଆ ନାହିଁ ବୋଲି ସୂଚନା ମିଳିଛି।କିନ୍ତୁ ବାସ୍ତବରେ ଏହାର ଚିତ୍ର କିଛି ଅଲଗା ରହିଛି।ଜିଲ୍ଲାରେ ୨୧୫ ନୁହେଁ ତା ଠାରୁ ଅଧିକ ବିଦ୍ୟାଳୟରେ ନିଜସ୍ବ ଖେଳପଡିଆ ନାହିଁ।କେଉଁ ବିଦ୍ୟାଳୟରେ ସ୍ବଳ୍ପ ଜାଗା ରହିଥିଲେ ମଧ୍ୟ ବିଦ୍ୟାଳୟ କର୍ତ୍ତୃପକ୍ଷ ତାହାକୁ ଖେଳପଡିଆ ବୋଲି ଦର୍ଶାଇ ଦେଉଛନ୍ତି।ଏଥିସହ ବିଦ୍ୟାଳୟ ନିକଟରେ ଖାଲି ପଡିଥିବା ଜମିକୁ ମଧ୍ୟ ଖେଳପଡିଆ ବୋଲି ଦର୍ଶାଇ ପରିସଂଖ୍ୟାନକୁ ବଢ଼ାଇବାକୁ ଚେଷ୍ଟା କରୁଛନ୍ତି।ଛାତ୍ରଛାତ୍ରୀମାନେ କ୍ରିକେଟ,ଫୁଟବଲ, ହକି ଆଦି ଶାରିରୀକ ଖେଳ ଖେଳିବା ପାଇଁ ଜିଲ୍ଲାରେ ୫ ଶହରୁ ଅଧିକ ବିଦ୍ୟାଳୟରେ ଖେଳପଡିଆ ନାହିଁ।ଏଥିସହ ବହୁ ବିଦ୍ୟାଳୟ କର୍ତ୍ତୃପକ୍ଷ ଖେଳ ପଡିଆ ପାଇଁ ଆବେଦନ କରିଥିଲେ ମଧ୍ୟ ସେମାନଙ୍କୁ ମିଳିପାରି ନାହିଁ। ସେହିପରି କ୍ରୀଡା ଛାତ୍ରାବାସ ରହିଥିଲେ ମଧ୍ୟ କ୍ରୀଡା ପ୍ରତି କାହାର ଆଗ୍ରହ ନଥିବା ଦେଖିବାକୁ ମିଳିଛି।
ପ୍ରତିବର୍ଷ ଜିଲ୍ଲାର ୧୨୮୧ଟି ବିଦ୍ୟାଳୟକୁ ଖେଳ ସାମଗ୍ରୀ କିଣିବା ପାଇଁ ଟଙ୍କା ପ୍ରଦାନ କରାଯାଉଛି।ସେଥିରେ ପ୍ରାଥମିକ ବିଦ୍ୟାଳୟକୁ ୫ ହଜାର,ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ୧୦ ହଜାର ଟଙ୍କା, ଉଚ୍ଚ ବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ୨୫ ହଜାର ଟଙ୍କା ପ୍ରଦାନ କରାଯାଉଛି।ଚଳିତବର୍ଷ ଜିଲ୍ଲାରେ ଥିବା ସମସ୍ତ ସରକାରୀ ବିଦ୍ୟାଳୟକୁ ମୋଟ ୧ କୋଟି ୩ ଲକ୍ଷ ୬୦ ହଜାର ଟଙ୍କା ପ୍ରଦାନ କରାଯାଇଛି।ସେଥିରେ ବିଦ୍ୟାଳୟ କତୃପକ୍ଷ ଲୁଡୁ,କ୍ୟାରେମ ବୋର୍ଡ,ରିଲେ ବଟନ୍,ଦଉଡି,ବ୍ୟାଟମିଣ୍ଟନ, ଥ୍ରୋବଲ୍,ଜାଭଲିନ୍ ଥ୍ରୋ, ହାଇହର୍ଡଲସ,ଭାରୋଉତ୍ତୋଳନସେଟ୍,ବାସ୍କେଟବଲ୍,ଫୁଟବଲ୍,ସଟଫୁଟ୍,ଡିସକସ୍ ଥ୍ରୋ,କ୍ରିକେଟ ସଂରଞ୍ଜାମ, ହ୍ୟାଣ୍ଡବଲ୍,ଭଲିବଲ୍,ନେଟ୍,ଚେସ୍,ଫୁଟ ପମ୍ପ,ଯୋଗ ପାଇଁ ମେଟ୍,ଫାଷ୍ଟଏଡ୍,ଷ୍ଟପ ୱାଚ୍,ଗୋଲ ପୋଷ୍ଟ ନେଟ ଆଦି ବିଭିନ୍ନ ସାମଗ୍ରୀ କିଣିବା ପାଇଁ ଅର୍ଥ ପ୍ରଦାନ କରାଯାଉଛି।ଇନଡୋର ଖେଳ ପାଇଁ ପଡିଆର ଆବଶ୍ୟକତା ହେଉନଥିବା ବେଳେ ଶାରିରୀକ ଖେଳ ପାଇଁ ପଡିଆର ନିହାତି ଆବଶ୍ୟକତା ରହିଛି।
ବିଦ୍ୟାଳୟ କର୍ତ୍ତୃପକ୍ଷ ଖେଳ ସାମଗ୍ରୀ କ୍ରୟ କରୁଛନ୍ତି ସତ କିନ୍ତୁ ଖେଳ ପଡିଆ ଅଭାବରୁ ପିଲାଙ୍କୁ ଖେଳିବାକୁ ସୁଯୋଗ ମିଳିପାରୁ ନାହିଁ।ଜିଲ୍ଲା ପ୍ରଶାସନର କ୍ରୀଡା ପ୍ରତି ଗୁରୁତ୍ବ ଦେଇ ଏକ ଟିମ ୱାର୍କ କରି ଜିଲ୍ଲାରେ କେତୋଟି ସ୍କୁଲରେ ଖେଳପଡ଼ିଆ ନାହିଁ ତାହାର ତଦନ୍ତ କରି ସ୍କୁଲ୍ ଗୁଡିକୁ ଖେଳପଡିଆ ଦେବାପାଇଁ ଦାବି ହେଉଛି!