ଘଟଗାଁ– ଦୀର୍ଘବର୍ଷ ହେବ କେନ୍ଦୁଝର ଜିଲ୍ଲା ଘଟଗାଁ ଅଞ୍ଚଳ ଅବହେଳାର ଶିକାର ହୋଇଛି । ମା”ଙ୍କ ପୀଠ ଓ ତାର ଚାରି ପାର୍ଶ୍ବରେ ଥିବା ପଞ୍ଚାୟତର ବିକାଶ ବାଟବଣା ହୋଇଛି । ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ଵରେ ଦେଶ ବିକାଶ ପଥରେ ଅଗ୍ରସର ହେଉଛି । ହେଲେ ଏଠାରେ ନେତୃତ୍ବ ସମସ୍ୟା ଯୋଗୁଁ ଲୋକେ ଯୋଜନାର ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି । ଏହାର ଜବାବ୍ ଲୋକେ ଏହି ନିର୍ବାଚନରେ ଦେବେ ବୋଲି ଘଷିପୁରା ନିର୍ବାଚନ ମଣ୍ଡଳୀର ନେତା ଯଜ୍ଞ ପ୍ରସାଦ ସାହୁ କହିଛନ୍ତି ।
ଘଟଗାଁ ହାଟ ପଡ଼ିଆ ଠାରେ ବିଜେପି ପକ୍ଷରୁ ବିଜୟ ସଂକଳ୍ପ ସମାବେଶ ଆୟୋଜିତ ହୋଇଯାଇଛି । ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଗୋଲକ ବଳଙ୍କ ନେତୃତ୍ଵରେ ଆୟୋଜିତ ସମାବେଶରେ ଯୁବମୋର୍ଚ୍ଚା ରାଜ୍ୟ ସଂଯୋଜକ ଯଜ୍ଞ ପ୍ରସାଦ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ।
ଏହି ଅବସରରେ ଯଜ୍ଞ ପ୍ରସାଦ ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କର ତୀବ୍ର ସମାଲୋଚନା କରିଥିଲେ । ସେ କହିଲେ, ଘଷିପୁରା ନିର୍ବାଚନ ମଣ୍ଡଳୀରେ ବଦ୍ରିବାବୁ ଓ ତାଙ୍କ ସମର୍ଥକମାନେ ଅରାଜକତା ସୃଷ୍ଟି କରୁଛନ୍ତି । ମାନସ ରାମ ହତ୍ୟାକାଣ୍ଡ ଠାରୁ ଆରମ୍ଭ କରି ଶାଳଦେଇ ହତ୍ୟାକାଣ୍ଡ ପର୍ଯ୍ୟନ୍ତ, ସବୁଥିରେ ତାଙ୍କରି ସମର୍ଥକଙ୍କ ସମ୍ପର୍କ ରହିଛି । ଏପରିକି ସ୍ବର୍ଗତ ରାମଚନ୍ଦ୍ର ବେହେରାଙ୍କ ୫ ଜଣ ହତ୍ୟା ଅଭିଯୁକ୍ତଙ୍କୁ କୋର୍ଟ ଫାଶୀ ଦଣ୍ଡ ଶୁଣାଇଛନ୍ତି । ବାଲିଘାଟକୁ ବିରୋଧ କରିବାରୁ ଶାଳଦେଇର ମଲ୍ଲି ଜେନାଙ୍କୁ ପିଟି ପିଟି ହତ୍ୟା କରିବା ଅଭିଯୋଗରେ ଘଷିପୁରା ବ୍ଲକ୍ ଅଧ୍ୟକ୍ଷାଙ୍କ ସ୍ବାମୀ ୫ ମାସ ହେବ ଜେଲରେ ଅଛନ୍ତି । ଏମାନେ କାହାର ସମର୍ଥକ ବୋଲି ଯଜ୍ଞ ପ୍ରସାଦ ପ୍ରଶ୍ନ କରିଛନ୍ତି ? ଓଡ଼ିଆ ଅସ୍ମିତା ଓ ସ୍ବାଭିମାନ ପାଇଁ ଆମେ ଲଢ଼ିବୁ ବୋଲି ଶ୍ରୀ ପ୍ରସାଦ କହିଥିଲେ । ସଂକଳ୍ପ ସମାବେଶ ଆୟୋଜନ ନାମରେ ବିଜେପି ଆଜି ନିର୍ବାଚନୀ ବିଗୁଲ୍ ବଜାଇଛି । ରାଜ୍ୟରେ ମେଣ୍ଟକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଜିଲ୍ଲାରେ ରାଜନୈତିକ ଗତିବିଧି ସ୍ଥିର ରହିଛି । ତେବେ ଯଜ୍ଞ ପ୍ରସାଦଙ୍କ ଘନ ଘନ ବଡ ବଡ ରାଜନୈତିକ ସମାବେଶ ବୁଦ୍ଧିଜୀବୀ ମହଲକୁ ଚକିତ କରିଛି । ତେବେ ଏହି ସମାବେଶରେ ଯଜ୍ଞ ପ୍ରସାଦ ବିଧାୟକଙ୍କୁ ସମାଲୋଚନା କରିଥିଲେ ମଧ୍ୟ ନବୀନଙ୍କ ସମ୍ପର୍କରେ ପଦେ ବି କହି ନଥିଲେ ।
ସମାବେଶରେ ପୂର୍ବତନ ଜିଲ୍ଲା ସଭାପତି ରାଧାକାନ୍ତ ମହାନ୍ତ, ବିଧାନସଭା ପ୍ରଭାରୀ ସୁବ୍ରତ କୁମାର ମହାନ୍ତି, ବରିଷ୍ଠ ନେତା ରାଜେନ୍ଦ୍ର ପଟ୍ଟନାୟକ, ପୂର୍ବତନ ମଣ୍ଡଳ ସଭାପତି ଗୋଲକ ବଳ, ଯୁବ ସଂଗଠକ ସତ୍ୟମ୍ ଦେହୁରୀ, ସରପଞ୍ଚ ରିମାଲତା ନାୟକ, ମୁକୁନ୍ଦ ମୁଣ୍ଡା, ସମିତି ସଭ୍ୟା ପାର୍ବତୀ ବାର୍ଲ୍ଲା, ବରିଷ୍ଠ ନେତା ଜଗବନ୍ଧୁ ସା, ଯୁବ ସଂଗଠକ ଜିତେନ୍ଦ୍ର ପଲେଇ, ବିଷ୍ଣୁନନ୍ଦ ବେହେରା, ମଳୟ ନାୟକ, ଭଜନ ସେଠୀ, ସେକ ଜାମୁଲ, ସେକ ଦାଉଦ୍, ଗୋଲବାସ ଦେହୁରୀ, ଆନନ୍ଦ ମହାନ୍ତ, ବନମାଳୀ ମହାନ୍ତ, ଶରତ ବେଜ, ପ୍ରଶାନ୍ତ ଗିରି, ମହିଳା ମୋର୍ଚ୍ଚା ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ସନ୍ଧ୍ୟାରାଣୀ ବେହେରା, କାହ୍ନୁ ଗିରି, ଅନନ୍ତ ସାହୁ, ପରୀକ୍ଷିତ ନାୟକ, ଉତ୍ତମ ପ୍ରଧାନ, ମକରଧ୍ବଜ ବେହେରା, ଅଜୟ ମହାପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଆଗାମୀ ନିର୍ବାଚନରେ ବିଜେପିର ବିଧାୟକ ପ୍ରାର୍ଥୀଙ୍କୁ ନିର୍ବାଚିତ କରି ବିଧାନସଭାକୁ ପଠାଇବାକୁ ଆହ୍ବାନ ଦେଇଥିଲେ ।
ଏହି ସମାବେଶରେ ଘଟଗାଁ ଜୋନର ୭ଟି ପଞ୍ଚାୟତରୁ ୨ ହଜାରରୁ ଉର୍ଦ୍ଧ୍ବ ଜନସାଧାରଣ ଓ ସମର୍ଥକ ସାମିଲ ହୋଇଥିଲେ ।