ମାଲକାନଗିରି– ରାଜ୍ୟରେ ମକା ଚାଷ କହିଲେ ନବରଙ୍ଗପୁର ଜିଲ୍ଲାକୁ ବୁଝାଇଥାଏ । ଆଉ ନବରଙ୍ଗପୁର ମକା ଚାଷରୁ ଅନୁପ୍ରାଣିତ ହୋଇ ମାଲକାନଗିରି ଜିଲ୍ଲାରେ ବଢୁଛି ମକା ଚାଷର ଚାହିଦା । ମାଲକାନଗିରି ପୌରାଞ୍ଚଳ ସ୍ଥିତ ଏମଭି-୪୩ ଗାଁର ସୂର୍ଯ୍ୟ ନମୋଙ୍କ ମକା ବିଲରେ କୁଇଣ୍ଟାଲ କୁଇଣ୍ଟାଲ ମକା ଫଳିଛି । ଆଉ ଏଥି ପାଇଁ ଝାଳ ବୁହା ପରିଶ୍ରମ କରିଛନ୍ତି ସୂର୍ଯ୍ୟ ଓ ତାଙ୍କ ସ୍ତ୍ରୀ ଗୀତା ନମୋ । ଗତ ୮ ବର୍ଷ ଧରି ରବି ଋତୁରେ ସୂର୍ଯ୍ୟ ଦୁଇ ଏକର ଚାଷ ଜମିରେ ମକା ଚାଷ କରି ଆସୁଛନ୍ତି । ତେବେ ରେଳ ପ୍ରକଳ୍ପରେ ସୂର୍ଯ୍ୟଙ୍କ ଚାଷ ଜମି ଅଧିଗ୍ରହଣ ହେବାକୁ ଥିବାରୁ ଗତ ୨ ବର୍ଷ ଚାଷ କରି ନଥିଲେ ସୂର୍ଯ୍ୟ । ପ୍ରକଳ୍ପରେ ବିଳମ୍ବ ଯୋଗୁ ଏଥର ନିଜ ଭାଇର ଜମିକୁ ମିଶାଇ ୪ ଏକର ଜମିରେ ଦେଶୀ ମକା ଫଳାଇଛନ୍ତି ସୂର୍ଯ୍ୟ । ଏଥିପାଇଁ ଏକର ପିଛା ୨୫ରୁ ୩୦ ହଜାର ଟଙ୍କା ଖର୍ଚ୍ଚ କରି ପ୍ରାୟ ୭୦ ହଜାର ଟଙ୍କା ଏକର ପିଛା ରୋଜଗାର କରନ୍ତି ସୂର୍ଯ୍ୟ ଓ ତାଙ୍କ ପତ୍ନୀ ।ସୁଇଟ କର୍ଣ୍ଣ, ଡେନ୍ଟ କର୍ଣ୍ଣ, ପପ୍ କର୍ଣ୍ଣ ଏବଂ ବେବି କର୍ଣ୍ଣ ପରି ୪ ପ୍ରକାରର ମକା ଉପଲବ୍ଧ ହେଉଥିବା ବେଳେ ସୂର୍ଯ୍ୟଙ୍କ ଡେନ୍ଟ କର୍ଣ୍ଣ ବା ଦେଶୀ ମକାର ମାଲକାନଗିରି ବଜାରରେ ବେଶ ଚାହିଦା ରହିଛି । ସ୍ଥାନୀୟ ବ୍ୟବସାୟୀ ମାନେ ସୂର୍ଯ୍ୟଙ୍କ ମକା ବାଡିରୁ ୭ ରୁ ୮ ଟଙ୍କା ଦରରେ ମକା କିଣି ବଜାରରେ ୧୦ ଟଙ୍କାରେ ବିକ୍ରି କରନ୍ତି ।
ଚଳିତ ବର୍ଷ ରବି ଋତୁରେ ୨୦୦୦ ହେକ୍ଟର ଜମିରେ ମକା ଚାଷ ହେବା ଲାଗି କୃଷି ବିଭାଗ ଲକ୍ଷ୍ୟ ରଖିଛି। ମାଲକାନଗିରି ଜିଲ୍ଲାକୁ ମୁଖ୍ୟମନ୍ତ୍ରୀ ମକା ମିଶନରେ ଅନ୍ତର୍ଭୁକ୍ତ କରାଯାଇଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ଖଇରପୁଟ, ମାଥିଲି ଓ କୋରୁକୋଣ୍ଡା ବ୍ଲକକୁ ଏଥିରେ ସାମିଲ କରାଯାଇଛି । ଅର୍ଥାତ ଏଣିକି ଚାଷ ପାଇଁ ସରକାରୀ ସହାୟତା ଠାରୁ ଆରମ୍ଭ କରି ବିକ୍ରୟ ପର୍ଯ୍ୟନ୍ତ ସବୁ ସୁବିଧା ପାଇବେ ମକା ଚାଷୀ ।
ପିଲାଙ୍କ ଛତୁଆ ପ୍ରସ୍ତୁତି ଠାରୁ ଆରମ୍ଭ କରି ରେଷ୍ଟୁରାଣ୍ଟର ସୁଆଦିଆ ଖାଦ୍ୟ ପ୍ରସ୍ତୁତିରେ ବ୍ୟବହାର ହୁଏ ମକା । ତେବେ ଜିଲ୍ଲାରେ ଏବେ ଡେନ୍ଟ କର୍ଣ୍ଣ ସମେତ ସ୍ଵିଟ କର୍ଣ୍ଣ ଉତ୍ପାଦନ ହେଉଥିବା ବେଳେ ଆଗକୁ ବେବି କର୍ଣ୍ଣ ଓ ପପ୍ କର୍ଣ୍ଣ ଉତ୍ପାଦନ ଲାଗି ଚାଷୀଙ୍କୁ ପ୍ରୋତ୍ସାହିତ କରିବ କୃଷି ବିଭାଗ ।