
ହରିଚନ୍ଦନପୁର– କେନ୍ଦୁଝର ଜିଲ୍ଲା ଖଣି ଅଞ୍ଚଳ ଓଏମସି ଶୁଆକାଟୀ ଠାରୁ ଗୁହାଳଡିହିକୁ ରେଳ ସଂଯୋଗୀକରଣ ଯୋଗେ ଲୁହାପଥର ପରିବହନ ପ୍ରସ୍ତାବକୁ ବିରୋଧ କରିବା ସହ ଜିଲ୍ଲାର ଅର୍ଥନୀତି ସୁରକ୍ଷାକୁ ଦୃଷ୍ଟିରେ ରଖି ଟ୍ରକ ମାଲିକ ସଂଘ ପକ୍ଷରୁ ସୋମବାର ୨୪ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି । ଏଥିସହ ସରକାରଙ୍କ ଦ୍ଵାରା ଲାକମି ଯୋଜନା ଅନ୍ତର୍ଗତ ଟାୟାର(୨) କୁ ବିରୋଧ କରି କେନ୍ଦୁଝର ଜିଲ୍ଲା ସମସ୍ତ ଘରୋଇ ବସ୍ ସେବା ୨୪ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି । ଯାହାକୁ ନେଇ କେନ୍ଦୁଝର ଜିଲ୍ଲାର ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଟ୍ରକ ମାଲିକ ସଂଘ ପକ୍ଷରୁ ହରିଚନ୍ଦନପୁର ବାଇପାସ୍ ଛକ ନିକଟରେ ରାସ୍ତା ରୋକ୍ କରାଯାଇଥିବା ବେଳ ଅନେକ ଯାତ୍ରୀବାହୀ ସହ ଅନ୍ୟ ଗାଡି ଦୁଇ ପାର୍ଶ୍ଵରେ ଛିଡ଼ା ହୋଇ ରହିଥିବା ଦେଖିବାକୁ ମିଳିଛି । ଦୋକାନ, ବଜାର ବନ୍ଦ ରହିଥିବା ବେଳେ ସମସ୍ତ ସରକାରୀ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିଛି ଯାହାକୁ ନେଇ ଜନସାଧାରଣ ହନ୍ତସନ୍ତ ହୋଇଛନ୍ତି । ଅଜାଣତରେ ବିଭିନ୍ନ କାର୍ଯ୍ୟରେ ଘରୁ ବାହାରି ଆସିଥିବା ବେଳେ ପେଟ୍ରୋଲ ପମ୍ପ ବନ୍ଦକୁ ନେଇ ଗାଡି ତେଲ ସମସ୍ୟାର ସମ୍ମୁଖିନ ହୋଇଛନ୍ତି । ହୋଟେଲ ଜଳଖିଆ ଦୋକାନ ବନ୍ଦ କାରଣରୁ ଦୁଇ ପାର୍ଶ୍ଵରେ ଛିଡ଼ା ହୋଇରହିଥିବା ଗାଡି ଗୁଡିକର ଚାଳକ ସମେତ ରହିଥିବା ଯାତ୍ରୀମାନେ ଖାଦ୍ୟ ପାଇଁ ଡହଳବିକଳ ହେଉଥିବା ଦୃଶ୍ୟ ଦେଖିବାକୁ ମିଳିଛି । ସୁରକ୍ଷାକୁ ଆଖି ଆଗରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ରେଲୱେ ଷ୍ଟେସନ ଓ ବନ୍ଦ ପାଳନ ସ୍ଥାନ ସହ ବଜାର ମଧ୍ୟରେ ଆବଶ୍ୟକୀୟ ପୋଲିସ ସହ ସୁରକ୍ଷା କର୍ମୀ ମୁତୟନ କରାଯାଇଛି ।