ପୁରୀ- ଶ୍ରୀଜଗନ୍ନାଥଙ୍କ ଡୋରି ଲାଗିବାରୁ ପାକିସ୍ତାନରୁ ଧାଇଁ ଆସିଛନ୍ତି ହିନ୍ଦୁଭକ୍ତ ପୁରୀକୁ । ଓଡିଶା ଇଂଟର ନ୍ୟାସନାଲ ସେଂଟର ପକ୍ଷରୁ ୧୨୦ ଜଣ ହିନ୍ଦୁଭକ୍ତ ଭୁବନେଶ୍ୱର ପହଂଚିଥିଲେ । ଭୁବନେଶ୍ୱରର ବିଭିନ୍ନ ଧର୍ମପୀଠ ବୁଲିବା ପରେ ଶନିବାର ଦିନ ପୂର୍ବାହ୍ନରେ ଶ୍ରୀକ୍ଷେତ୍ରରେ ପହଂଚି ଥିଲେ । ଶ୍ରୀକ୍ଷେତ୍ରର ସିଂହଦ୍ୱାର ଠାରେ ଅଭୂତ ପୂର୍ବ ସାଜସଜା, ସୌନ୍ଦର୍ଯ୍ୟକରଣ ଓ ଖୋଲାସ୍ଥାନ ଦେଖି ଭାବ ବିହ୍ୱଳ ହୋଇଯାଇଥିଲେ । ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ସିଂହଦ୍ୱାର । ଭକ୍ତମାନେ ବ୍ୟାରିକେଡରେ ଶୃଙ୍ଖଳିତ ଭାବେ ଶ୍ରୀମନ୍ଦିରରେ ପ୍ରବେଶ ପୂର୍ବକ ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ । ଦୁଇ ଦେଶ ମଧ୍ୟରେ ଶାନ୍ତି, ମୈତ୍ରୀ ଓ ସୁସଂପର୍କ ରକ୍ଷା ପାଇଁ ପ୍ରଭୁଙ୍କ ଠାରେ ଗୁହାରୀ କରିଥିଲେ । ସେମାନେ ମଥୁରା ଦେଇ ଭୁବନେଶ୍ୱର ଓ ପୁରୀ ଆସିଛନ୍ତି । ପ୍ରଭୁଙ୍କୁ ଦର୍ଶନ କରି ପାକିସ୍ତାନୀ ହିନ୍ଦୁ ଶ୍ରଦ୍ଧାଳୁମାନେ ବେଶ ଆନନ୍ଦିତ ଦେଖାଯାଉଥିଲେ । ମନ୍ଦିରରୁ ଫେରିବା ପରେ ସମସ୍ତେ ଶ୍ରୀକ୍ଷେତ୍ରର ମହିମା ପ୍ରଚାର କରିଥିଲେ । ରବିବାର ଦିନ ସେମାନଙ୍କୁ ସଦଭାବନା ସଭାଗୃହଠାରେ ସମ୍ବର୍ଦ୍ଧିତ କରାଯିବ । ଏଥିରେ କ୍ରିୟାଯୋଗୀ ପରମହଂସ ପ୍ରଜ୍ଞାନାନନ୍ଦ ସରସ୍ୱତୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।
ଏହାସହ ଆୟକର ବିଭାଗର ପ୍ରମୁଖ ଆୟୁକ୍ତ ଦେବେନ୍ଦ୍ର ନାରାୟଣ କର, ଛତିଶାନିଯୋଗର ମହାନାୟକ ପାଟ୍ଟଯୋଶୀ ଜନାର୍ଦ୍ଦନା ମହାପାତ୍ର, ଆଧ୍ୟାତ୍ମିକ ବ୍ୟକ୍ତି କିଶନଲାଲ ଭରତିଆ, ବରିଷ୍ଠ ସାମ୍ବାଦିକ ଅରୁଣ କୁମାର ପଣ୍ଡା ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ପୁରୀରୁ ଯିବା ପରେ ହରିଦ୍ୱାର, ବୃନ୍ଦାବନ ଓ ଅନ୍ୟ କେତେକ ତୀର୍ଥସ୍ଥଳ ଦର୍ଶନ କରି ପାକିସ୍ତାନ ଫେରିବାର କାର୍ଯ୍ୟକ୍ରମ ରହିଛି ବୋଲି ସେଂଟରର ସଭାପତି ପରେଶ ନାୟକ ସୂଚନା ଦେଇଛନ୍ତି ।