ପୁରୀ- ସମୁଦ୍ର କୂଳ ବ୍ଲୁଫ୍ଲାଗ୍ ବିଚ୍ ଅଂଚଳ ଏବେ ପର୍ଯ୍ୟଟକଙ୍କ ପାଇଁ ନୋ ଏଂଟ୍ରି ଜୋନ୍ ପାଲଟିଛି । ବ୍ଲୁଫ୍ଲାଗ୍ ବିଚ୍ ପାଇଁ ପ୍ରଥମେ ଚନ୍ଦ୍ରଭାଗା ଅଂଚଳକୁ ଚୟନ କରାଯାଇଥିବା ବେଳେ କୌଣସି କାରଣବଶତଃ ପରବର୍ତି ସମୟରେ ଏହାକୁ ବାତିଲ୍ କରାଯାଇ ପୁରୀ ବିଚ୍ କୁ ଚୟନ କରାଯାଇଥିଲା । ବ୍ଲୁଫ୍ଲାଗ ବିଚ୍ ପାଇଁ ୩୩ ପ୍ରକାର ଗାଇଡ୍ ଲାଇନ୍ ରହିଛି । ଚନ୍ଦ୍ରଭାଗା ଠାରେ ଅପରିଷ୍କାର, ସମୁଦ୍ରଜଳ ଜଳ ଦୂଷିତ ଓ ଉଚ୍ଚ ଢ଼େଉ ଯୋଗୁଁ ବାତିଲ୍ ହୋଇଥିବା କୁହାଯାଇଛି । ଗାଇଡ ଲାଇନ ଅନୁସାରେ ସମୁଦ୍ର ଭିତରେ ସହରର ନର୍ଦ୍ଦମାଜଳ, ବର୍ଜ୍ଜ୍ୟବସ୍ତୁ ପ୍ରବେଶ କରୁନଥିବ । କିନ୍ତୁ ପୁରୀ ବ୍ଲୁଫ୍ଲାଗ୍ ବିଚ୍ ର ଅନତି ଦୂରରେ ବାଙ୍କୀମୁହାଣର ନର୍ଦ୍ଦମା ଜଳ ସିଧାସଳଖ ସମୁଦ୍ରରେ ମିଶୁଛି । ଏହି ଅଂଚଳ ସ୍ନାନ ପାଇଁ ଅନୁପଯୁକ୍ତ ଓ ଦୂଷିତ ବୋଲି ବିଭିନ୍ନ ସମୟରେ ବିଭିନ୍ନ କୋର୍ଟରେ ମାମଲା ଚାଲିଥିଲା । ଏହାସହ ଗାନ୍ଧୀଘାଟ ପଛପଟେ ଅନେକ ଘାସ ଓ ଶାଗ ଆକୃତିର କିଛି ଗୁଳ୍ମ ୩ ହଜାର ବର୍ଗଫୁଟ ଅଂଚଳରେ ଘେରି ରହିଛି । ଏହାକୁ ସଫା କିମ୍ବା ସମତୁଲ କରାଯାଉନାହିଁ । ଯାହାଫଳରେ ସେଠାରେ ପ୍ରତିଦିନ ୫୦ରୁ ଊଦ୍ଧ୍ୱର୍ ବୁଲାକୁକୁର ମଳତ୍ୟାଗ କରୁଛନ୍ତି । ଭୋରରୁ ଏବଂ ରାତିରେ କେତେକ ସ୍ଥାନୀୟ ଅଧିବାସୀ ଓ ପର୍ଯ୍ୟଟକ ମଳତ୍ୟାଗ କରୁଛନ୍ତି । ମଳମୁକ୍ତ ଅଂଚଳ ଘୋଷଣା କରାଯାଉଥିଲେ ମଧ୍ୟ ଅନ୍ଧାରର ସୁଯୋଗ ନେଇ ସେଠାରେ ମଳତ୍ୟାଗ ବୃଦ୍ଧି ପାଉଛି । କେତେକ ପରିବେଶବିତ୍ ସମୁଦ୍ରକୂଳକୁ ମଡ଼େଲ ବିଚ କରିବା, ଅନ୍ୟ କେତେକ ପରିବେଶବିତ୍ ସମୁଦ୍ରକୂଳେ ଇଟାଖଣ୍ଡେ ପଡିବ ନାହିଁ, କଂକ୍ରିଟ କାମ ହେବନାହିଁ ବୋଲି ଡିଣ୍ଡିମ ପିଟୁଥିବା ବେଳେ ସେଠାରେ ପ୍ଲାଷ୍ଟିକ୍ ପାଇପ୍ ଭିତରେ ଲୁହାରଡ ଓ କଂକ୍ରିଟ ପ୍ୟାକିଙ୍ଗ କରାଯାଉଛି । କେତେକ ସ୍ଥାନରେ ହାଇମାକ୍ସ ଲାଇଟ୍ ପାଇଁ କଂକ୍ରିଟ ବେସ୍ ଖୁଂଟ ନିର୍ମାଣ ଚାଲିଛି । ପରିବେଶବିତ୍ ମାନେ କାହିଁକି ଚୁପ୍ ରହିଲେ ତାକୁ ନେଇ ଏବେ ସହରରେ ଚର୍ଚ୍ଚା ଜୋର୍ ଧରିଛି । ବ୍ଲୁଫ୍ଲାଗ ବିଚ୍ ନିର୍ମାଣ ହେବା ପରେ ପର୍ଯ୍ୟଟକମାନେ ଓ ସହରବାସୀ ଜଣକ ପିଛା ୮୫୦ଟଙ୍କା ଦେଇ ସମୁଦ୍ର ଦେଖିବେ ବୋଲି ମତ୍ସ୍ୟଜୀବିମାନେ ଆଲୋଚନା କରୁଛନ୍ତି ।