ଭୁବନେଶ୍ୱର – ରାଜ୍ୟ ମନ୍ତ୍ରୀମଣ୍ଡଳ (କ୍ୟାବିନେଟ)ର 77 ତମ ବୈଠକ ଲୋକ ସେବା ଭବନର ତୃତୀୟ ମହଲା ସମ୍ମିଳନୀ କକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ଏହି ବୈଠକରେ 7 ଟି ବିଭିନ୍ନ ବିଭାଗର 14 ଟି ପ୍ରସ୍ତାବ ପାରିତ ହୋଇଛି । ରାଜ୍ୟ କ୍ୟାବିନେଟ ବୈଠକର ନିଷ୍ପତ୍ତି ସଂପର୍କରେ ରାଜ୍ୟ ଜଳ ସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ, ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା, ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ ଆଜିର କ୍ୟାବିନେଟ ବୈଠକରେ ପାରିତ ହୋଇଥିବା 7 ଟି ବିଭିନ୍ନ ବିଭାଗର 14 ଟି ପ୍ରସ୍ତାବ ଓ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଥିଲେ l
କଟକ ମହାନଦୀ ଉପରେ ଏକ ଉଚ୍ଚ ସେତୁ ନିର୍ମିତ ହେବା ସମ୍ପର୍କିତ ପ୍ରସ୍ତାବକୁ କ୍ୟାବିନେଟରେ ଅନୁମୋଦନ ଦିଆଯାଇଛି । ସାଲେପୁର ବ୍ଲକ ବ୍ରାହ୍ମଣଖଣ୍ଡ-ସାହୁଖେତ ରାସ୍ତାରେ ଏହା ନିର୍ମିତ ହେବ। ଏହି ସେତୁ ବାବଦରେ ୧୨୮ କୋଟି ଟଙ୍କା ଖର୍ଚ୍ଚ ହେବ। ୩ ବର୍ଷରେ ସେତୁ ନିର୍ମାଣ କାମ ସରିବ।
ଭୁବନେଶ୍ୱରର ଚନ୍ଦ୍ରଶେଖରପୁରରେ ଯାଦବ ଭବନ ନିର୍ମାଣ ଲାଗି ଅଧା ଏକର ଜାଗା ଯୋଗାଇ ଦେବେ ରାଜ୍ୟ ସରକାର। ଏହି ଭୂମିର ପ୍ରିମିୟମ ବାବଦକୁ 5 କୋଟି 6 ଲକ୍ଷ ଟଙ୍କାର ପ୍ରିମିମୟକୁ ରାଜ୍ୟ ସରକାର ଛାଡ କରିବେ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ କ୍ୟାବିନେଟ ବୈଠକରେ ଏ ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ ଦିଆଯାଇଛି ।