ସୂଚନାନୁସାରେ, ଫେଡକୋ ଓ ସେସୁ ବିଭାଗର ବିଦ୍ୟୁତ ବ୍ୟବସ୍ଥା ଜଟଣୀବାସୀଙ୍କ ପାଇଁ କାଳ ପାଲଟିଛି । ବର୍ଷ ବର୍ଷରୁ ଅଘୋଷିତ ବିଦ୍ୟୁତ କାଟ, ଲୋ ଭୋଲଟେଜ ସହିତ ଏବେ ଆଉ ଏକ ସମସ୍ୟା ମୁଣ୍ଡ ଟେକିଛି । ଗରୀବ ଅସହାୟ ତଥା ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକମାନଙ୍କୁ ବିନା ଅଗ୍ରୀମରେ ମାସିକ ସ୍ୱଳ୍ପ ଦରରେ ଘରୋଇ ବିଦ୍ୟୁତ ସଂଯୋଗ ଦେବାପାଇଁ ଯୋଜନା ଆରମ୍ଭ ହୋଇଛି । ଏଥିରେ ଶହ ଶହ ସଂଖ୍ୟକ ଲୋକେ ସଂଯୋଗ ନେଇଛନ୍ତି । ଏହି ଯୋଜନାରେ ଫର୍ମ ପୁରଣ କରିଥିବା କିଛି ଉପଭୋକ୍ତାଙ୍କୁ ଏ ପର୍ଯ୍ୟନ୍ତ ସଂସ୍ଥା ପକ୍ଷରୁ ବିଦ୍ୟୁତ ସଂଯୋଗ ଦିଆଯାଇପାରିନାହିଁ ବୋଲି ଅଭିଯୋଗ ହୋଇଛି । ଅନ୍ୟପକ୍ଷରେ ଯେଉଁ ଉପଭୋକ୍ତା ଏହି ସଂଯୋଗ ନେଇଛନ୍ତି, ସେମାନେ ବ୍ୟବହାର ନକରି ବିନା ମିଟର ଚେକିଂରେ ସଂସ୍ଥା ପକ୍ଷରୁ ୨୦୦୦ ଟଙ୍କାରୁ ଉଦ୍ଧ୍ୱର୍ ବିଲ୍ ଆସିଛି । ଏହି କ୍ରମରେ ଜଟଣୀ ଗଜପତି ନଗର ଅଂଚଳର ଧନଲକ୍ଷ୍ମୀ ନାମକ ଜଣେ ମହିଳା ସୈାଭାଗ୍ୟ ଯୋଜନାରେ ବିଦ୍ୟୁତ ସଂଯୋଗ ପାଇଁ ଆବେଦନ କରିଥିଲେ । ବିଦ୍ୟୁତ ସଂଯୋଗ ହେବାର ମାସ ନପୁରୁଣୁ ୨୦୦୦ ଟଙ୍କା ବିଦ୍ୟୁତ ବିଲ୍ ଆସିଛି ।
ଏଥି ବ୍ୟତିତ ଆହୁରି ହାସ୍ୟସ୍ପଦ ଘଟଣା ହେଉଛି, ଏହି ଅଂଚଳର ଡି. ଜୟା କୁମାରୀ ସୈାଭାଗ୍ୟ ଯୋଜନାରେ ବିଦ୍ୟୁତ ସଂଯୋଗ ପାଇଁ ଆବେଦନ କରିଥିଲେ । ମାତ୍ର ଆଜି ପର୍ଯ୍ୟନ୍ତ ତାଙ୍କ ଘରକୁ ବିଦ୍ୟୁତ ସଂଯୋଗ ଦିଆଯାଇପାରିଲା ନାହିଁ । ହେଲେ ବିଦ୍ୟୁତ ବିଲ୍ ଆସିଛି ୧୨୦୦୦ ଟଙ୍କା । ଦିଲୀ ସରକାର ପ୍ରତ୍ୟକ ଲୋକମାନଙ୍କୁ ୨୦୦ ୟୁନିଟ ମାଗଣାରେ ବିଦ୍ୟୁତ ଯୋଗାଉଥିବା ବେଳେ ଓଡିଶାର ଜଟଣୀ ସହରରେ ବିନା ବିଦ୍ୟୁତ ସଂଯୋଗରେ ହଜାର ହଜାର ଟଙ୍କା ବିଲ୍ ଆସିବା ଏହା ନିଶ୍ଚିତ ହାସ୍ୟସ୍ପଦ ବୋଲି ସାଧାରଣରେ ଚର୍ଚ୍ଚା ଆରମ୍ଭ ହୋଇଛି । ଏପରି ଅଭିଯୋଗ ନେଇ ଗଲେ ଉପଭୋକ୍ତାମାନଙ୍କୁ ଏଣେ ତେଣେ ବୁଝାଇ ପଠାଉଛନ୍ତି କର୍ତୃପକ୍ଷ । ସେହିପରି ଜଟଣୀ ପୈାରପରିଷଦ ଅଧିନସ୍ଥ ୱାର୍ଡ ନଂ ୫ ଗଜପତି ନଗରରେ ରହୁଥିବା ବାସୁଦେବ ସେଠୀଙ୍କ ଏହି ଯୋଜନାରେ ୨୦୧୯ ଅକ୍ଟୋବର ୧୫ ତାରିଖରେ ବିଦ୍ୟୁତ ସଂଯୋଗ କରାଗଲା । ଏହାର କିଛିଦିନ ମଧ୍ୟରେ ୨୦୧୯ ଅକ୍ଟୋବର ୧୩ ତାରିଖ ଥିବା ୫,୬୯୫ ଟଙ୍କାର ବିଲ୍ ଏବଂ ୨୦୧୯ ନଭେମ୍ବର ୧୧ ତାରିଖରେ ୬,୮୮୬ ଟଙ୍କାର ବିଦ୍ୟୁତ ବିଲ୍ ଆସିଛି । ତେବେ ବିଦ୍ୟୁତ ବିଭାଗ ଏଭଳି ତ୍ରୁଟି କିପରି କରୁଛି, ଉପଭୋକ୍ତାମାନଙ୍କ ପାଇଁ ବିଦ୍ୟୁତ ବିଲ୍ ପ୍ରସ୍ତୁତ କରୁଥିବା ଅଧିକାରୀ ମାନସିକ ବିକୃତ ନୁହେଁତ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏପରି ସମସ୍ୟା ନେଇ ଅନେକ ଉପଭୋକ୍ତା ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀ ଓ ଉପ ପ୍ରଭାଗ ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ଏଥିପ୍ରତି ଉଚ୍ଚପଦସ୍ଥ ଅଧିକାରୀମାନେ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।