-
ପ୍ରାଥମିକ ଚିକିତ୍ସା କ୍ଷେତ୍ରରେ ଯୁବଗୋଷ୍ଠୀ ପ୍ରଶିକ୍ଷିତ ହେବା ଦରକାର – ରାଜ୍ୟପାଳ
ଭୁବନେଶ୍ୱର– ସେଂଟ୍ ଜନ ଆମ୍ବୁଲାନ୍ସ ଦେଶରେ ପ୍ରାଥମିକ ଚିକିତ୍ସା ପ୍ରଦାନରେ ଅଗ୍ରଣୀ ଭୂମିକା ନେବା ସହ ଏକ ରୋଲ୍ ମଡେଲ୍ ଭାବରେ ପରିଗଣିତ । ସ୍ୱେଚ୍ଛାସେବୀମାନଙ୍କର ନିଷ୍ଠା ଓ ସମର୍ପଣ ମନୋଭାବ ବାସ୍ତବିକ ପ୍ରଶଂସନୀୟ । ବିଶେଷ କରି ପ୍ରାଥମିକ ଚିକିତ୍ସା ସେବା, ପ୍ରଶିକ୍ଷଣ ଓ ଆପତ୍କାଳୀନ ଆମ୍ବୁଲାନ୍ସ ସେବା ପ୍ରଦାନରେ ସଂଗଠନର କାର୍ଯ୍ୟ ବେଶ୍ ପ୍ରେରଣାଦାୟୀ । ପ୍ରାଥମିକ ଚିକିତ୍ସା ସେବାର ବିଶେଷ ଗୁରୁତ୍ୱ ରହିଛି । ପ୍ରତ୍ୟେକ ବିଶେଷତଃ ଯୁବଗୋଷ୍ଠୀ ଏ ବିଷୟରେ ପ୍ରଶିକ୍ଷିତ ହେବା ଦରକାର । ସେବା ଓ ପ୍ରଶିକ୍ଷଣ ପରିସରକୁ ଆହୁରି ପ୍ରସାରିତ କରିବାକୁ ରାଜ୍ୟପାଳ ରଘୁବର ଦାସ ସେଂଟ୍ ଜନ ଆମ୍ବୁଲାନ୍ସ ଓଡ଼ିଶା ରାଜ୍ୟ କେନ୍ଦ୍ରର କାର୍ଯ୍ୟନିର୍ବାହୀ ବୈଠକରେ ସଭାପତିତ୍ୱ କରି ପ୍ରକାଶ କରିଛନ୍ତି ।
ଶନିବାର ରାଜଭବନଠାରେ ଅନୁଷ୍ଠିତ କାର୍ଯ୍ୟନିର୍ବାହୀ ବୈଠକରେ ସେଂଟ୍ ଜନ ଆନୁକୂଲ୍ୟର ଲକ୍ଷ୍ୟ ଓ ଆଦର୍ଶର ପରିପୂରଣ ନିମନ୍ତେ କାର୍ଯ୍ୟକ୍ରମର ରୂପରେଖ ପ୍ରସ୍ତୁତ କରାଯାଇଛି । ଏହାକୁ ମଧ୍ୟ ଆହୁରି କ୍ରିୟାଶୀଳ ଓ ସମୟ ଉପଯୋଗୀ କରିବାକୁ ରାଜ୍ୟପାଳ ପରାମର୍ଶ ଦେବା ସହ ସଂଗଠନର କାର୍ଯ୍ୟକୁ ଆହୁରି ସଶକ୍ତ କରିବାକୁ ସରକାରୀ ଓ ବେସରକାରୀ ସ୍ତରରେ ସହଯୋଗ ଓ ସମର୍ଥନ ଉପରେ ଗୁରୁତ୍ୱ ଆରୋପ କରିଛନ୍ତି ।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ତଥା ସେଂଟ୍ ଜନ ଆମ୍ବୁଲାନ୍ସର ଅଧ୍ୟକ୍ଷ ନିରଞ୍ଜନ ପୁଜାରୀ ବର୍ତମାନର ସ୍ଥିତି ଓ ଭବିଷ୍ୟତର କାର୍ଯ୍ୟ ପନ୍ଥା ସଂପର୍କରେ ସୂଚନା ଦେଇଥିଲେ । ଅନୁଷ୍ଠାନର ଅବୈତନିକ ସଚିବ ନିଧି କୁମାର ରାଉତରାୟ ବିବରଣି ଉପସ୍ଥାପନ କରିବା ସହ ବିଭିନ୍ନ ପ୍ରସଂଗ ସଂପର୍କରେ ବିଷଦ ତଥ୍ୟ ଓ ସୂଚନା ପ୍ରଦାନ କରିଥିଲେ । ବୈଠକରେ ଆସନ୍ତା ବର୍ଷର ବଜେଟ୍ ଅନୁମୋଦିତ ହୋଇଥିଲା ।
ଏହି ବୈଠକରେ ଆରକ୍ଷୀ ମହାନିର୍ଦ୍ଦେଶକ ଅରୁଣ କୁମାର ଷଡ଼ଙ୍ଗୀ, ଅଗ୍ନିଶମ ତଥା ହୋମଗାର୍ଡର ମହାନିର୍ଦ୍ଦେଶକ ତଥା ସେଂଟ୍ ଜନ ଆମ୍ବୁଲାନ୍ସର ଉପାଧ୍ୟକ୍ଷ ସୁଧାଂଶୁ ଷଡ଼ଙ୍ଗୀ, ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ଶାଳିନୀ ପଣ୍ଡିତ, ରାଜ୍ୟପାଳଙ୍କ ପ୍ରମୁଖ ଉପଦେଷ୍ଟା ସନ୍ତୋଷ କୁମାର ଶତପଥିଙ୍କ ସମେତ କାର୍ଯ୍ୟ ନିର୍ବାହୀ କମିଟିର ସଦସ୍ୟ ତଥା ବିଭିନ୍ନ ବିଭାଗର ସଚିବ ଓ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ ।