 
                
ଜୟପୁର ସଦର ଥାନା ଅନ୍ତର୍ଗତ ବାମୁଣି ଗାଁ ନୁଆଗୁଡାରେ ସ୍ୱାମୀ ରମେଶ ପରଜା ଓରଫ ବାଘ  ଓ ସ୍ତ୍ରୀ ଡମୁଣି ପରଜା ଓରଫ ହରିଜନ  ଏକାଠି ରହୁଥିଲେ ଓ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ ।  ସ୍ୱାମୀ ରମେଶ ସ୍ତ୍ରୀ ଡମୁଣିକୁ ୩ ଶହ ଟଙ୍କା ଦେଇଥିଲେ । ସେହି ୩ ଶହ ଟଙ୍କାରେ ଡମୁଣି ଘର ଜିନିଷ କିଣି ଦେଇ ଖର୍ଚ୍ଚ କରିଦେଇଥିଲେ । ଗତ ୨ ତାରିଖ ରାତିରେ ସ୍ୱୀମୀ ରମେଶ ମଦ ପିଇ ଆସି ୩ ଶହ ଟଙ୍କା ମାଗିଥିଲେ । କିନ୍ତୁ, ଡମୁଣି ଉକ୍ତ ୩ ଶହ ଟଙ୍କାରେ ଘର ଜିନିଷ କିଣି ଦେଇଥିବା ପ୍ରକାଶ କରିବାକୁ ରମେଶ ତାକୁ ବିଧା, ଗୋଇଠା ମାରିବା ସହ ପଥରରେ ମୁଣ୍ଡକୁ ଛେଚି ଦେଇଥିଲା  । ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା  । ଏକଥା କାହାକୁ ପ୍ରଘଟ ନକରି ତାଙ୍କର କେତେକ ବନ୍ଧୁକୁ ଜଣାଇ  ଶୁକ୍ରବାର ଅପରାହ୍ନ ୧୧ ଟା ସମୟରେ ଶ୍ମଶାନରେ ନେଇ ଶବକୁ ପୋତି ଦେଇଥିଲା । ଏହି ଖବର ପାଇ ମୃତ ଡ଼ମୁଣିର ଭାଇ ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ  ପାଇ ପୋଲିସ ଦଫା ୩୦୨,୨୮୧  ବଳରେ ୩ /୨୦ ରେ ଏକ ମାମଲା ରୁଜୁ କରିଛି । ମାମଲାର ତଦନ୍ତକାରୀ ଅଧିକାରି ଶିବ ଶଙ୍କର ସାହୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଆଜି ଶବକୁ ମାଟିତଳୁ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛନ୍ତି  । ଘଟଣାସ୍ଥଳରେ ଏଏସପି ଉତ୍ପଳ ରଞ୍ଜନ ଦାସ,  ଜୟପୁର ଏସଡିପିଓ ବରୁଣ ଗୁଣ୍ଠପାଲି, ବୋରିଗୁମ୍ମା ଏସଡିପିଓ ହରେକୃଷ୍ଣ ମାଝିଙ୍କ ସମେତ ସଦର  ଓ ଟାଉନ ପୋଲିସ ଉପସ୍ଥିତ ରହିଥିଲେ ।
                            
                        
	                    
 
                    







