ମୁଖୀଗୁଡା,ଆଧାର କାର୍ଡ ନଥିବା ଯୋଗୁଁ ବିଭିନ୍ନ ସରକାରୀ ଯୋଜନାରୁ ବଂଚିତ ହୋଇ ଦୁର୍ବିସହ ଜୀବନ କାଟୁଛନ୍ତି କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଚିର୍କା ଗାଁର ଭିନ୍ନକ୍ଷମ ଯୁବତୀ ଶ୍ରୀମତୀ ଶବର । ତାଙ୍କ ବୟସ ୨୪, ହେଲେ ଜନ୍ମରୁ ଡାହାଣ ହାତ କହୁଣୀ ପର୍ଯ୍ୟନ୍ତ ଥିବା ବେଳେ ବହୁ ସଂଘର୍ଷମୟ ପରିସ୍ଥିତିରେ ଛୋଟରୁ ବଡ଼ ହୋଇଛନ୍ତି ଶ୍ରୀମତୀ । ଗୋଟିଏ ହାତ ନଥିଲେ ବି ଜୀବନ ପଥରେ ଆଗେଇ ଆସିଛନ୍ତି । ଗାଁ ରେ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢି ସାରିବା ପରେ ଦୀର୍ଘ ତିନି କି.ମି. ଚାଲି ଚାଲି ଜୟପାଟଣା ଉଚ୍ଚ ବିଦ୍ୟାଳୟରେ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଲେ । ୨୦୧୦ ମସିହାରୁ ଭିନ୍ନକ୍ଷମ ଭତା ମିଳୁଛି ସତ, କିନ୍ତୁ ଗୋଟିଏ ହାତ ପାପୁଲି ଯୋଗୁଁ ଆଧାର କାର୍ଡ ହେଉନଥିବା ହେତୁ ଉଚ୍ଚ ଶିକ୍ଷା ଓ ବିଭିନ୍ନ ସରକାରୀ ଯୋଜନାରୁ ବଂଚିତ ହୋଇ ରହିଥିବା ଅଭିଯୋଗ କରିଛନ୍ତି ଶ୍ରୀମତୀ । ଏପରିକି ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ୍ ହୋଇଥିଲେ ସୁଦ୍ଧା ଚାଉଳ ପାଇବାରୁ ବଂଚିତ ହୋଇଛନ୍ତି ଶ୍ରୀମତୀ । ତାଙ୍କ ଘରର ଆର୍ôଥକ ଅବସ୍ଥା ତାଙ୍କ ଦୁଃଖକୁ ଦୁଇଗୁଣ କରି ଦେଇଛି । ଶ୍ରୀମତୀ ବୟସରେ ଘରର ସବୁଠାରୁ ଛୋଟ ହୋଇଥିବା ବେଳେ ବଡ଼ ଭାଇ ଓ ଭଉଣୀର ବିବାହ ହୋଇସାରିଛି । ମା ବାପା, ଭାଇ ଓ ଭାଉଜ କୁଲି ମଜୁରୀ କରି ବର୍ତମାନ ଶ୍ରୀମତୀଙ୍କ ସମସ୍ତ କଥା ବୁଝୁଛନ୍ତି । ଗୋଟିଏ ହାତ ନଥିବା ହେତୁ କୌଣସି ଓଜନ କାମ କିମ୍ବା ରୋଷେଇ ମଧ୍ୟ କରି ପାରୁନାହାନ୍ତି ଶ୍ରୀମତୀ । ଆଧାର କାର୍ଡ ପାଇଁ ସେ ଭବାନୀପାଟଣା, ଧର୍ମଗଡ଼ ଓ ଜୟପାଟଣାକୁ ଅନେକ ଥର ଯାଇ ଆବେଦନ କରିଥିଲେ ସୁଦ୍ଧା କୌଣସି ଲାଭ ହୋଇନାହିଁ ବୋଲି ଅଭିଯୋଗ କରିଛନ୍ତି । ସରକାରୀ ଯୋଜନା ବିଷୟରେ ଅଜ୍ଞ ଥିବା ଶ୍ରୀମତୀଙ୍କ ପରିବାର ପାଇଁ ସବୁ ଯୋଜନା ଆଉ ବ୍ୟବସ୍ଥା ସାତ ସପନ ହୋଇଛି । ଅନ୍ୟପଟେ ଶ୍ରୀମତୀଙ୍କୁ ସରକାରଙ୍କ ତରଫରୁ ଏକ କୃତ୍ରିମ ହାତ ଯୋଗାଇ ଦେଲେ ଜୀବନରେ କିଛି ପରିବର୍ତନ ହୋଇ ପାରନ୍ତା ବୋଲି ଆଶା କରୁଛନ୍ତି । ଜିଲ୍ଲା ପ୍ରଶାସନ ତୁରନ୍ତ ଏ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହେଉଛି ।
Related Stories
November 21, 2024
November 21, 2024